ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାୟଗଡ଼ା ବିଧାୟକ, ଡାକ୍ତର ନିଯୁକ୍ତି ଓ ପାନୀୟ ଜଳ ସମସ୍ୟାର ସମାଧାନ ଦାବି କଲେ 

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରରେ କଲେରା ସ୍ଥିତି ଅଣାୟତ୍ତ ହୋଇ ଚାଲିଥିବାରୁ ପଦକ୍ଷେପ ନେଇ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଦାବି କରିଛନ୍ତି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। ବିଧାୟକ ଶ୍ରୀ ମୁଦୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକଙ୍କୁ ଚିଠି ଲେଖି ପାନୀୟ ଜଳ ସମସ୍ୟାର ସମାଧାନ, ମେଡ଼ିକାଲରେ ଡାକ୍ତର ନିଯୁକ୍ତି, ରାୟଗଡ଼ାରେ ଆରଏମଆରସି ୟୁନିଟକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି। ଅସାବଧାନତା ଯୋଗୁ ୨୦୦୭, ୨୦୧୦ ମସିହାରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବାରୁ ତୁରନ୍ତ କଲେରାକୁ ନିୟନ୍ତ୍ରଣ କରିବାକୁ ବିଧାୟକ ମୁଦୁଲି ଦାବି କରିଛନ୍ତି।

ବିଧାୟକ କହିଛନ୍ତି, କାଶୀପୁର ବ୍ଲକର ଅଧିକାଂଶ ଗ୍ରାମରେ ପାନୀୟ ଜଳର ସୁବିଧା ନାହିଁ। ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବାରୁ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସେହିପରି ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ପଦବି ଖାଲି ପଡିଛି। ବାରମ୍ବାର ଦାବି ପରେ ମଧ୍ୟ ହାକ୍ତର ନିଯୁକ୍ତି ହୋଇପାରୁନଥିବାରୁ ଫାର୍ମାସିଷ୍ଟ୍ ଓ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ସେବା ଚାଲିଛି। ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡେପୁଟେସନରେ ଚାଲିଥିବା ବେଳେ ଗୋରଖପୁର, କୁଚେଇପଦର, ମାଣ୍ଡିବିଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କେହି ଡାକ୍ତର ନାହାନ୍ତି। ୧୭ ଡାକ୍ତରଙ୍କ ବଦଳରେ ମାତ୍ର ୪ ଜଣ କାମ କରୁଥିବାରୁ ବହୁ ସମୟରେ ବ୍ଲକବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ୨୦୦୭, ୨୦୧୦ ମସିହାରେ କଲେରା ସ୍ଥିତି ଅଣାୟତ୍ତ ହେବା ପରେ ସ୍ଥିତି ଉପରେ ନଜର ରଖିବାକୁ ରାୟଗଡ଼ାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରଏମଆରସି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଗତ ୨ ବର୍ଷ ତଳେ ଉକ୍ତ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଥିବାରୁ ନମୁନା ପରୀକ୍ଷଣ ପାଇଁ ଭୁବନେଶ୍ବର, ବ୍ରହ୍ମପୁର ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଣୁ ପୁନଶ୍ଚ ଆରଏମଆରସିକୁ କାର୍ଯ୍ୟକ୍ଷମ କରିବା ସହ ଡାକ୍ତରୀ ପଦବି ପୂରଣ ଏବଂ ରାଜ୍ୟସ୍ତରୀୟ ଡାକ୍ତରୀ ଟିମକୁ କାଶୀପୁରକୁ ପଠାଇବା ପାଇଁ ବିଧାୟକ ଦାବି କରିଛନ୍ତି।

ସୂଚନାଯୋଗ୍ୟ, କଲେରାରେ ଆକ୍ରାନ୍ତ ହୋଇ ଆଜି ସୁଦ୍ଧା ବ୍ଲକରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବ‌େଳେ ୫୬ ଚିକିତ୍ସାଧୀନ ଅଛନ୍ତି। କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧, ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭, ଉତ୍କଳ ଆଲୁମିନା ହସପିଟାଲରେ ୨୮ ଜଣଙ୍କ ଚିକିତ୍ସା ଚାଲିଛି। ୨୨୯ ଗାଁର ପାନୀୟ ଜଳ ନମୁନା ପରୀକ୍ଷା ପାଇଁ ସଂଗୃହୀତ ହୋଇଥିବା ବେଳେ ୧୭୮ ଗ୍ରାମର ପାଣିକୁ ବିଶୋଧନ କରି ବ୍ୟବହାର ଉପଯୋଗୀ କରାଯାଇଛି। ୮ଟି ମୋବାଇଲ୍ ଟିମ୍ ଗାଁକୁ ଗାଁ ବୁଲି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି।

ସମ୍ବନ୍ଧିତ ଖବର