ରାୟଗଡ଼ା: ରେଳ ଡିଭିଜନ୍ ଘୋଷଣାକୁ ବିତିଲାଣି ସାଢ଼େ ୩ ବର୍ଷ। କାର୍ଯ୍ୟକ୍ଷମ ତ ଦୂରର କଥା ଆଜି ସୁଦ୍ଧା ଭୂଇଁରୁ ଉଠି ପାରୁନି ଡିଭିଜନ୍ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ। ବିଭାଗୀୟ ଅନୁଦାନ ମଧ୍ୟ ଆଖି ଦୃଶିଆ ନୁହେଁ। ୩ ରେଳ ବଜେଟରେ ମିଳିଛି ୩.୮୦ କୋଟି। ଖର୍ଚ୍ଚ ହୋଇଛି ମାତ୍ର ୧୪ ଲକ୍ଷ। ଜବରଦଖଲ ଉଚ୍ଛେଦରେ ବିଭାଗୀୟ ପଦକ୍ଷେପ ସୀମିତ ଥିବା ବେଳେ ଡିଭିଜନ୍ କେବେ କାର୍ଯ୍ୟକ୍ଷମ ହେବ ସେ ନେଇ ସମୟସୀମା ଧାର୍ଯ୍ୟ ହୋଇନି ବୋଲି ଅଜବ ଯୁକ୍ତି ଦର୍ଶାଇଛି ରେଳ ମନ୍ତ୍ରଣାଳୟ।

Advertisment

ରାୟଗଡ଼ା ରେଳ ଡିଭିଜନର ଅଗ୍ରଗତି ସଂପର୍କରେ ସଂସଦର ଶୀତ ଅଧିବେଶନରେ ପ୍ରଶ୍ନ ଉଠାଇଥିଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା। ଶ୍ରୀ ଉଲାକାଙ୍କ ପ୍ରଶ୍ନର ରେଳ ମନ୍ତ୍ରଣାଳୟ ଯେଉଁ ଉତ୍ତର ରଖିଛି ତାହା ନୂଆ ରେଳ ଡିଭିଜନ୍ କାର୍ଯ୍ୟକ୍ଷମକୁ ନେଇ ଆଶଙ୍କା ବଢ଼ାଇ ଦେଇଛି। ଡିଭିଜନ୍ କେଉଁଠି ହେବ, ରୂପରେଖ କିପରି ହେବ ସେ ନେଇ ରେଳ ମନ୍ତ୍ରଣାଳୟ କୌଣସି ଉତ୍ତର ରଖିନି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଲିଖିତ ଉତ୍ତରରେ ଡିଭିଜନ୍ କାର୍ଯ୍ୟକ୍ଷମ ନେଇ କୌଣସି ସମୟସୀମା କହି ହେବନି ବୋଲି ରୋକଠୋକ୍ ଭାବେ ଉଲ୍ଲେଖ କରାଯାଇଛି। ଯାହା ରେଳ ବିଭାଗର ଚକ୍ରାନ୍ତକୁ ପଦାରେ ପକାଇଛି।

୨୦୧୯ ଜୁଲାଇରେ ରେଲୱେ ବୋର୍ଡ ରାୟଗଡ଼ାରେ ନୂତନ ଡିଭିଜନ୍ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ବର୍ଷକ ମଧ୍ୟରେ ରାୟଗଡ଼ାରେ ଡିଭିଜନର ଅସ୍ଥାୟୀ କାର୍ଯ୍ୟ ଖୋଲିବା ସହ ସ୍ଥାୟୀ କାର୍ଯ୍ୟାଳୟ, ଡିଭିଜନ୍ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକ ସମସ୍ତ ଯାନ୍ତ୍ରିକ ବିଭାଗ, ଷ୍ଟାଫ କ୍ବାର୍ଟର୍ସ ନିର୍ମାଣ ଦିଗରେ ତ୍ବରିତ୍ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲା। ଅଥଚ ଆଜି ସୁଦ୍ଧା ରେଳ ବିଭାଗ ଜମିରେ ଗଢ଼ି ଉଠିଥିବା କିଛି ବସ୍ତି ଜବରଦଖଲ ଉଚ୍ଛେଦକୁ ଛାଡ଼ିଲେ ଆଉ କିଛି ନିର୍ମାଣ କାମ ହୋଇପାରିନି। ଇତି ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଇଷ୍ଟକୋଷ୍ଟ୍ ରେଲୱେ ଜେନେରାଲ୍ ମ୍ୟାନେଜର୍, ୱାଲଟିୟର୍ ଡିଭିଜନ୍ ଡିଆରଏମଙ୍କ ସମେତ ବହୁ ଅଧିକାରୀ ରାୟଗଡ଼ା ଗସ୍ତରେ ଆସି ଡିଭିଜନ୍ କାର୍ଯ୍ୟକ୍ଷମର ସମୀକ୍ଷା କରିଛନ୍ତି। ହେଲେ କୌଣସି ସୁଫଳ ମିଳି ପାରୁନି। ନୂତନ ଡିଭିଜନ୍ କାର୍ଯ୍ୟକ୍ଷମ ବିଳମ୍ବକୁ ନେଇ ସମସ୍ତେ ସନ୍ଦେହରେ ଥିବା ବେଳେ ରାଜସ୍ବ ହରାଇବା ଚିନ୍ତା ନା ଉତ୍ତର ପୂର୍ବ ବଦଳରେ ଦକ୍ଷିଣ ତଟ ରେଳପଥରେ ରାୟଗଡ଼ା ଡିଭିଜନ୍ ସାମିଲ୍ ନେଇ ବିଭାଗ ଏପରି କରୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାୟଗଡ଼ା ଡିଭିଜନ୍ କାର୍ଯ୍ୟକାରୀ ପାଇଁ ୧୮୬ କୋଟି ବ୍ୟୟ ଅଟ୍ଟକଳ ହୋଇଛି। ନୂଆ ଡିଭିଜନ୍ କାର୍ଯ୍ୟକାରୀ ହେଲେ ଓଡ଼ିଶା-ଆନ୍ଧ୍ର-ଛତିଶଗଡରେ ଥିବା ୮୪ଟି ଷ୍ଟେସନ, ୫୮୫ କିମି ରେଳପଥ ୱାଲଟିୟର୍ ଡିଭିଜନରୁ ରାୟଗଡ଼ା ଡିଭିଜନ୍ ଅଧୀନକୁ ଆସିବ। ଆଗାମୀ ଦିନରେ ଆଉ ୩୬୩ କିମି ରେଳପଥ ସହ ନିର୍ମାଣଧୀନ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥ ରାୟଗଡ଼ାରେ ସାମିଲ୍ ହେବ। ୱାଲଟିୟର୍ ଡିଭିଜନକୁ ବାର୍ଷିକ ସିଂହଭାଗ ରାଜସ୍ବ ପ୍ରଦାନ କରି ଆସୁଛି କୋରାପୁଟ-ରାୟଗଡ଼ା, କୋରାପୁଟ-ବଇଲାଡିଲା-କିରୁଣ୍ଡୋଲ୍-ବାଚେଲି ରେଳପଥ। କୋରାପୁଟ-ରାୟଗଡ଼ା, କୋରାପୁଟ-ବିଶାଖାପାଟଣା ରୁଟରେ ଦୈନିକ ଶହେରୁ ଉର୍ଦ୍ଧ୍ବ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି। ଏହା ବାବଦକୁ ୱାଲଟିୟର୍ ଡିଭିଜନ୍ ହଜାର ହଜାର କୋଟିର ରାଜସ୍ବ ପାଉଛି। ରାୟଗଡ଼ା ରେଳ ଡିଭିଜନ୍ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ପଛୁଆ ଅଞ୍ଚଳକୁ ରେଳପଥ ସଂଯୋଗ, ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବାକୁ ଥିବାରୁ ତୁରନ୍ତ ରେଳ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି।