ରାୟଗଡ଼ା: ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ଅଧାରୁ ଅଧିକ ଡାକ୍ତର ପଦବି ଖାଲି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚଲାଉଛନ୍ତି ନବ ନିଯୁକ୍ତ ଡାକ୍ତର। ଡାକ୍ତର ଅଭାବ ଯୋଗୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅସୁସ୍ଥ ହୋଇ ପଡ଼ିଥିବାରୁ ଜ୍ବର, ଛିଙ୍କ, ଯନ୍ତ୍ରଣା ଜନିତ ଚିକିତ୍ସାକୁ ଛାଡ଼ିଲେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କୁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ରୋଗୀ ଖର୍ଚ୍ଚାନ୍ତ ସହ ଶୋଷଣର ଶିକାର ହେଉଛନ୍ତି।
ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ରାୟଗଡ଼ାବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାକୁ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ସମେତ ୧୧ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୩୦ରୁ ଉର୍ଧ୍ବ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। କିନ୍ତୁ ଡାକ୍ତର ନଥିବାରୁ ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳିପାରୁନି। ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଅପରେସନ୍ ହୋଇପାରୁନଥିବା ବେଳେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ନାହାନ୍ତି ଶଲ୍ୟ ବିଶେଷଜ୍ଞ। ଆହତ ଓ ଗୁରୁତର ବ୍ୟକ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଚିକିତ୍ସା କରିବା ପରିବର୍ତ୍ତେ ଅଧିକ ଚିକିତ୍ସା ନାଁରେ କୋରାପୁଟ-ବ୍ରହ୍ମପୁର-କଟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରି ଦେଉଛନ୍ତି। ହେଲେ ମେଡ଼ିକାଲ୍ କଲେଜ ଗୁଡ଼ିକରେ ମଧ୍ୟ ଭଲ ସ୍ବାସ୍ଥ୍ୟସେବା ମିଳୁନଥିବାରୁ ରୋଗୀ ବାଧ୍ୟ ହୋଇ ବିଶାଖାପାଟଣା ଉପରେ ଭରସା କରୁଛନ୍ତି।
୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ଜନସଂଖ୍ୟା ୯ ଲକ୍ଷ ୬୭ ହଜାର ୯୧୧ ରହିଥିଲା। ଏବେ ଜନସଂଖ୍ୟା ବୃଦ୍ଧି ପାଇ ୧୨ ଲକ୍ଷରେ ପହଞ୍ଚିଲାଣି। ୧୧ ବ୍ଲକ୍, ୨ ପୌର ପରିଷଦ, ଗୋଟିଏ ଏନ୍ଏସିରେ ରହୁଥିବା ଏତେ ସଂଖ୍ୟକ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ସରକାର ସୃଷ୍ଟି କରିଛନ୍ତି ୨୪୯ ଡାକ୍ତର ପଦବି। ହେଲେ ବିଡମ୍ବନାର କଥା ମୋଟ ପଦବିର ମାତ୍ର ୪୦ ଭାଗ ଅର୍ଥାତ୍ ୧୦୦ ଜଣ ଡାକ୍ତର ଏବେ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି। ବିଗତ ୨ ବର୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାରୁ ୫୦ରୁ ଉର୍ଧ୍ବ ଡାକ୍ତରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। କିନ୍ତୁ ରାୟଗଡ଼ାକୁ ଆସିଥିବା ଅଧାରୁ ଅଧିକ ଡାକ୍ତର ଗ୍ରାମାଞ୍ଚଳରେ ଗମନାଗମନ, ବିଦ୍ୟୁତ ସେବା, ରହଣୀ ଭଳି ମୌଳିକ ସୁବିଧା ନଥିବା ଅଭିଯୋଗ ଆଣି ଏବଂ କେତେକ ଉଚ୍ଚ ଶିକ୍ଷା ନାଁରେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ସହରାଞ୍ଚଳରୁ ଡାକ୍ତର ଦୁର୍ଗମ ଅଞ୍ଚଳକୁ ଯିବା ପାଇଁ ଇଚ୍ଛା କରୁନାହାନ୍ତି। କିଛି ଡାକ୍ତର ଗ୍ରାମାଞ୍ଚଳରେ ରହି ଉତ୍ତମ ସେବା ଯୋଗାଇ ଆସୁଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ଥିଶଲ୍ୟ, ଶିଶୁ, ଚର୍ମ ରୋଗ, ଭେଷଜ, ସର୍ଜରୀ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ସମେତ ରେଡ଼ିଓଲୋଜି, ପାଥୋଲୋଜି ଭଳି ୫୦ରୁ ଉର୍ଧ୍ବ ପଦବି ଖାଲି ପଡିଛି। ସେହିପରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଏମବିବିଏସ୍ ଓ ଦାନ୍ତ ଡାକ୍ତରକୁ ନେଇ ଚାଲିଛି। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ବାହାର ଜିଲ୍ଲାରୁ ଆସି ଚିକିତ୍ସା ସେବା ଯୋଗାଉଥିବା ବେଳେ ଶିଶୁ, ଅସ୍ଥିଶଲ୍ୟ, ସର୍ଜରୀ, ଭେଷଜ ବିଶେଷଜ୍ଞ ପଦବି ଖାଲି ପଡିଛି। ଦୀର୍ଘ ଦିନ ଧରି ଗୁଣପୁର ମେଡ଼ିକାଲରେ ଥିବା ପ୍ରସୂତି ବିଶେଷଜ୍ଞ ପ୍ରଦୀପ କୁମାର ପଣ୍ଡାଙ୍କୁ ମୁନିଗୁଡ଼ାକୁ ବଦଳି ହେବା ପରେ ସେ କୋର୍ଟର ଆଶ୍ରୟ ନେଇ ଛୁଟିରେ ଅଛନ୍ତି। କରୋନା ମହାମାରୀ ବ୍ୟାପିବା ପରେ ଖାଲି ପଡିଥିବା ଡାକ୍ତର ପଦବି ପୂରଣ ସହ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ରାୟଗଡ଼ା ଜିଲ୍ଲାରେ ୧୮ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ଅନ୍ୟ ସମୟରେ ମଧ୍ୟ ବହୁ ଡାକ୍ତରଙ୍କ ତାଲିକା ବାହାରିଛି। କିନ୍ତୁ ଅଧିକାଂଶ ଡାକ୍ତର ବିଭିନ୍ନ ଆଳ ଦେଖାଇ, ଆଇନର ଆଶ୍ରୟ ନେଇ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। କିଛି ଦିନ ପରେ ପୁଣି ବଦଳି ହୋଇ ସହରକୁ ଚାଲି ଯାଉଛନ୍ତି। ରାୟଗଡ଼ାରେ ଦୈନିକ ୫ରୁ ୭ଟି ସଡ଼କ ଦୁର୍ଘଟଣା ଘଟୁଛି। ବାର୍ଷିକ ସଡ଼କ ଦୁର୍ଘଟଣାରେ ଶହେରୁ ଉର୍ଧ୍ବ ଲୋକଙ୍କ ମୃତ୍ୟୁ ହେବା ବହୁ ଲୋକ ଅର୍କମଣ୍ୟ ହୋଇ ପଡୁଛନ୍ତି। ଏହା ସତ୍ତ୍ବେ ଗୁରୁତର, ଆହତଙ୍କ ଚିକିତ୍ସା ପାଇଁ ସର୍ଜରୀ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ନିଯୁକ୍ତି ହୋଇପାରୁନଥିବାରୁ ରୋଗୀଙ୍କୁ ଆନ୍ଧ୍ରର ମେଡ଼ିକାଲକୁ ଯିବାକୁ ପଡୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/RGD_DHH-Medical.jpg)