ରାୟଗଡା: ରାୟଗଡା ଜିଲ୍ଲାରେ ଏବେ ଗ୍ରୀଷ୍ମର ରାଜୁତି। ସଂଧ୍ୟା ପର୍ଯ୍ୟନ୍ତ ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ଲକ୍ଷ୍ୟ କରାଯାଇଛି। କେବଳ ଗରମ ନୁହେଁ ବିଦ୍ୟୁତର ଲୁଚକାଳି ଖେଳ ଅସହ୍ୟ କରିସାରିଲାଣି। ଘନଘନ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବାହାରେ ଗରମରେ ସିଝୁଥିବା ବେଳେ ଏପଟେ ଘରେ ବିଦ୍ୟୁତ ଯନ୍ତ୍ରଣାରୁ ଲୋକଙ୍କୁ ଆଉ ତ୍ରାହି ନାହିଁ।

Advertisment

ରାୟଗଡା ସହରରେ ଲୋ ଭୋଲଟେଜ ଯୋଗୁଁ ଲୋକେ ଦିନରେ ଯେତିକି ଅସୁବିଧା ଭୋଗୁଛନ୍ତି, ରାତିରେ ତା ଠାରୁ ଅଧିକ। ରାତିରେ ନା ଫ୍ୟାନ ବୁଲୁଛି ନା କୁଲର ଚାଲୁଛି। ଏସି ଚାଲିବା ତ ଦୁରର କଥା। ରାତି ତମାମ ଉଜାଗର ରହିବାକୁ ପଡୁଥିବା ସ୍ଥାନୀୟ ଲୋକେ ମତ ଦେଉଛନ୍ତି। ଏଥିପାଇଁ ସରକାରଙ୍କୁ ଦାୟୀ କରାଯିବା ସହ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। କେବଳ ଖରାଦିନେ ଏଭଳି ବିଦ୍ୟୁତ କାଟ କାହିଁକି ବୋଲି ଏବେ ପ୍ରଶ୍ନ ଉଠୁଛି।

ସୂଚନାଯୋଗ୍ୟ ଯେ, କେବଳ ରାୟଗଡା ସହରକୁ ୨୧ ମେଗାୱାଟ ବିଦ୍ୟୁତ ଦରକାର ପଡୁଛି। ସେହିପରି ଜିଲ୍ଲାର ଅନ୍ୟ ୬ଟି ଗ୍ରୀଡକୁ ପାଖାପାଖି ୨୬ ମେଗାୱାଟ ବିଦ୍ୟୁତ ଦରକାର ପଡ଼ୁଛି। ଚନ୍ଦ୍ରଗିରି ଗ୍ରୀଡକୁ ୨ ମେଗାୱାଟ, ଥେରୁବାଲି ଗ୍ରୀଡକୁ ୫, ହାଟମୁନିଗୁଡା ଗ୍ରୀଡକୁ ୯ ମେଗାୱାଟ, ଆଖୁସିଂ ଗ୍ରୀଡକୁ ୫ ମେଗାୱାଟ, ଗୁଣୁପୁର ଗ୍ରୀଡକୁ ୭ ମେଗାୱାଟ ଏବଂ କାଶୀପୁର ବ୍ଲକ ପାଇଁ ଲକ୍ଷ୍ମୀପୁର ଗ୍ରୀଡକୁ ପ୍ରାୟ ୨ ମେଗାୱାଟ ବିଦ୍ୟୁତ ଦରକାର ପଡୁଛି। ଜିଲ୍ଲାରେ ପ୍ରାୟ ୫୫ରୁ ୬୦ ମେଗାୱାଟ ବିଦ୍ୟୁତ ଦରକାର ପଡୁଛି। ଜିଲ୍ଲାକୁ ମାଛକୁଣ୍ଡ ପ୍ରକଳ୍ପରୁ ବିଦ୍ୟୁତ ଯୋଗାଣ ହେଉଛି।

ତେବେ ଏଠାରୁ ବିଦ୍ୟୁତ ସେବା ଯୋଗାଇବା ସମୟରେ ପ୍ରାୟତଃ ଲୋ ଭୋଲଟେଜ ରହୁଥିବା ବିଭାଗ ସ୍ବୀକାର କରିଛି। କିନ୍ତୁ ଯେତେବେଳେ ବିଟିଏଚ(ବାଲିମେଳା-ତାଳଚେର-ହୀରାକୁଦ) ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଯୋଗାଇ ଦିଆଯାଏ ସେତେବେଳେ ବିଦ୍ୟୁତ ସେବାରେ କୌଣସି ବିଭ୍ରାଟ ଦେଖାଯାଇନଥାଏ ବୋଲି କୁହାଯାଇଛି। ରାୟଗଡା ସହରରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ପ୍ରାୟତଃ ସମସ୍ତଙ୍କ ଘରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। କିନ୍ତୁ ବହୁ ଘର ଏମିତି ରହିଛି ଯେଉଁମାନଙ୍କର ଘରେ ଏସି ନାହିଁ। କେବଳ ଗରମରୁ ରକ୍ଷା ପାଇବା ପାଇଁ ଫ୍ୟାନ ଖଣ୍ଡେ ବ୍ୟବହାର କରନ୍ତି। ଏଥିସହ ସେମାନଙ୍କ ଘରେ କୌଣସି ଇନଭର୍ଟର ମଧ୍ୟ ନାହିଁ। ବିଦ୍ୟୁତ ଚାଲିଗଲେ ଅନ୍ଧାରରେ ଏବଂ ଗରମରେ ରହିବାକୁ ବାଧ୍ୟ ହେଉଛନ୍ତି। ତେବେ ବିଦ୍ୟୁତ କାଟ ନେଇ ବିଭାଗକୁ ପଚାରିବାରୁ ବିଦ୍ୟୁତ କାଟ କେବଳ କୌଣସି ଅଘଟଣ ହେଲେ କଟୁଛି। କିନ୍ତୁ ଜାଣିଶୁଣି ବିଦ୍ୟୁତ କାଟ କରାଯାଉନଥିବା ବିଭାଗ କହିଛି।

ଗ୍ରାମାଞ୍ଚଳରେ ଲୋକେ କିପରି ରହୁଛନ୍ତି ବୋଲି ପଚାରିବାରୁ ସେଠାରେ କୌଣସି ଅସୁବିଧା ବର୍ତ୍ତମାନ ପର୍ୟ୍ୟନ୍ତ ପରିଲକ୍ଷିତ କରାଯାଇନଥିବା କୁହାଯାଇଛି। ଗ୍ରାମାଞ୍ଚଳରେ ଲୋ ଭୋଲଟେଜର କୌଣସି ଅସୁବିଧା ନଥିବା ବିଭାଗ କହିଛି। କେବଳ ବିଦ୍ୟୁତ ତାର ଉପରେ ଗଛ ପଡିଗଲେ ହିଁ ଏହାକୁ ମରାମତି କରିବାକୁ ବିଦ୍ୟୁତ କାଟ କରାଯାଇଥାଏ ବୋଲି କୁହାଯାଇଛି। ଆଜି ବି ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ଗ୍ରାମରେ ବିଦ୍ୟୁତ ସେବା ନଥିବା ବେଳେ ଯେଉଁ ଦୁର୍ଗମ ଗ୍ରାମରେ ବିଦ୍ୟୁତ ସେବା ରହିଛି, ତାହା ନକହିବା ଭଲ। ଦୁର୍ଗମ ଗ୍ରାମଗୁଡିକରେ ବିଦ୍ୟୁତ ସେବା ଚାଲିଗଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସେବା ଯୋଗାଇ ଦିଆଯାଉନଥିବା କୁହାଯାଇଛି। ବିଶେଷକରି ଚନ୍ଦ୍ରଗିରି, କାଶୀପୁର, ଗୁଣୁପୁର, ଗୁମୁଡା ଭଳି ଅଚଂଳରେ ବିଦ୍ୟୁତ ସେବାରେ ବେଶୀ ବିଭ୍ରାଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ଯନ୍ତ୍ରଣାରୁ ଲୋକେ କେବେ ନିସ୍ତାର ପାଇବେ ଦେଖିବାକୁ ବାକି ରହିଲା।