ରାୟଗଡ଼ା: ଚଳିତ ମାସ ଡିସେମ୍ବର ୨୧ତାରିଖରେ ଚନ୍ଦ୍ରପୁରରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଆଜକୁ ଦଶଦିନ ବିତିଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରି ପାରୁନାହିଁ। ଫଳରେ ପୀଡିତ ପରିବାରମାନଙ୍କୁ ନ୍ୟାୟ ମିଳୁନାହିଁ। ଆଦିବାସୀ ମାଟିରେ ଆଦିବାସୀ ଯୁବତୀ ତଥା ସଂପ୍ରଦାୟର ଯୁବକଯୁବତୀଙ୍କୁ ହତ୍ୟା କରାଯାଉଛି। ହତ୍ୟାକାରୀକୁ ଗିରଫ କରିବାରେ ପୁଲିସ ବିଫଳ ହେଉଛି। ତେଣୁ ଏହାର ପ୍ରତିବାଦରେ ଆସନ୍ତା ଜାନୁଆରି ୫ତାରିଖ ଦିନ ସକାଳ ୬ରୁ ସଂଧ୍ୟା ୬ଘଂଟା ପର୍ଯ୍ୟନ୍ତ ୧୨ଘଂଟା ଧରି ରାୟଗଡା ଜିଲ୍ଳାରେ ବନ୍ଦ ପାଳନ କରାଯିବା ନିମନ୍ତେ ଆଦିବାସୀ ମହାସଂଘ ରାୟଗଡା ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଡାକରା ଦିଆଯାଇଛି।

Advertisment

ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାରୀଙ୍କୁ ଗିରଫ ଦାବି ହୋଇଛି। ୨୦୧୦ମସିହା ଡିସେମ୍ବର ୧୫ତାରିଖରେ ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଓ ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ା ଥାନାରେ ଏତଲା ଦିଆଯାଇଥିଲା। ହତ୍ୟାକାଣ୍ଡରେ ରାୟଗଡା ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତାଙ୍କ ସଂପୃକ୍ତି ରହିଥିବା ନେଇ ଆଦିବାସୀ ମହାସଂଘ ଅଭିଯୋଗ କରି ଆସୁଛି। ସଂପୃକ୍ତ ନେତାଙ୍କ ରାଜନୈତିକ କ୍ଷମତା ବଳରେ ଆଜି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ ବୋଲି ମହାସଂଘ ଅଭିଯୋଗ କରିଛି। ଆଦିବାସୀ ମହାସଂଘ ନେତୃତ୍ୱରେ ବାରମ୍ବାର ସାମ୍ଭିଧାନିକ ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ସରକାରଙ୍କ ଦ୍ୱାରସ୍ଥ ହୋଇ ଦୀର୍ଘ ୧୩ବର୍ଷ ବିତିଗଲାଣି। ଯଦି ସରକାର ଆସନ୍ତା ଜାନୁଆରି ୩ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନେବେ ନାହିଁ ତେବେ ମହାସଂଘ ପକ୍ଷରୁ ଜାନୁଆରି ୫ ତାରିଖରେ ରାୟଗଡାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ଏବଂ ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାର ଏବଂ ଆଦିବାସୀଙ୍କ ନ୍ୟାୟ ପାଇ ଓ ସାଧାରଣ ଜନତାଙ୍କ ନ୍ୟାୟ ପାଇଁ ରାୟଗଡ଼ା ଆଦିବାସୀ ମହାସଂଘ ଲଢ଼େଇ କରିବୁ ବୋଲି ଆବାହକ ଶ୍ରୀ ଉଲ୍ଳାକ ପ୍ରକାଶ କରିଛନ୍ତି।

ସେହିପରି ଜିଲ୍ଳାରେ ଭାଗିରଥୀ ମାଣ୍ଡାଙ୍ଗି ଭଳି ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କ ମଧ୍ୟ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିବାରେ ପୁଲିସ ବିଫଳ ହୋଇଛି।  ତେଣୁ ଆଦିବାସୀ ମହାସଂଘର ଏହି ପ୍ରତିବାଦ ଲଢେଇରେ ରାୟଗଡ଼ା ଜନସାଧାରଣ, ବ୍ୟବସାୟୀ ସଂଘ ଓ ସରକାରୀ ତଥା ବେସରକାରୀ, ଅନୁଷ୍ଠାନ, ବିଦ୍ୟାଳୟ, ଅନ୍ୟାନ୍ୟ ସମସ୍ତ ସଂଘ ବନ୍ଦ ପାଳନକୁ ସହଯୋଗ କରି ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ମହାଂସଘ ନିବେଦନ କରୁଛି ବୋଲି ଆଦିବାସୀ ନେତ୍ରୀ ଶ୍ରୀମତୀ ମଂଜୁଳା ମିଣିଆକା ପ୍ରକାଶ କରିଛନ୍ତି।

ସ୍ଥାନୀୟ ଜେଏସକୋ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ଆଦିବାସୀ ମହାସଂଘ ସଭାପତି କାଡ୍ରକା ଆପଲାସ୍ୱାମୀ, ଉପସଭାପତି ତଥା ଆବାହକ ବସନ୍ତ କୁମାର ଉଲ୍ଳାକା, ସାଧାରଣ ସଂପାଦକ ଜଗନ୍ନାଥ ମାଣ୍ଡାଙ୍ଗିଙ୍କ ସମତେ ଆଦିବାସୀ ନେତ୍ରୀ ମଂଜୁଳା ମିଣିଆକା ଏବଂ ବହୁଜନ ସମାଜ ପାର୍ଟି ଜିଲ୍ଳା ସଭାପତି ଜିତୁ ଜାକେସିକା ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ପ୍ରଦାନ କରିଛନ୍ତି।