ପର୍ଯ୍ୟଟନ ମାନଚିତ୍ରରେ ମଳିନ ପଡୁଛି ରାୟଗଡ଼ାର ଛବି : ଚମକ ହରାଉଛି ପୁରୁଣା, ନୂଆକୁ ମିଳୁନି ଅନୁମୋଦନ

ମୁହଁ ଫେରାଉଛନ୍ତି ପର୍ଯ୍ୟଟକ, କମୁଛି ବିଦେଶୀଙ୍କ ସଂଖ୍ୟା

ରାୟଗଡ଼ା, (ନବୀନ ଚନ୍ଦ୍ର ସାହୁ): ବଣ ପାହାଡ଼ ଘେରା ଅପରୂପ ସୌନ୍ଦର୍ଯ୍ୟ, ଆକର୍ଷଣୀୟ ଜଳପ୍ରପାତ, ନିୟମଗିରିର ସବୁଜିମା, ଡଙ୍ଗରିଆ ଓ ଲାଞ୍ଜିଆ ସଉରାଙ୍କ ବୈଭବପୂର୍ଣ୍ଣ ସଂସ୍କୃତିକୁ ନେଇ ପର୍ଯ୍ୟଟନ ମାନଚିତ୍ରରେ ରାୟଗଡ଼ାର ସ୍ଥାନ ନିଆରା। ତା ସହିତ ଷୋଡ଼ଶ ଶତାବ୍ଦୀର ପାତାଳେଶ୍ବର ମନ୍ଦିର, କଲ୍ୟାଣସିଂହପୁରର ଦେବଗିରି, ପଦ୍ମପୁରର ବୌଦ୍ଧ ଧର୍ମକୀର୍ତ୍ତିରାଜ ଜିଲ୍ଲାର ପର୍ଯ୍ୟଟନ ବୈଭବକୁ ଆଉ ଦୁଇ ପାଦ ଆଗକୁ ନେଇଛି। କିନ୍ତୁ ବିଭାଗୀୟ ଅବହେଳା, ପର୍ଯ୍ୟଟନସ୍ଥଳୀରେ ଭିତ୍ତିଭୂମିର ଅଭାବ ଯୋଗୁ ଏକଦା ରାଜ୍ୟ ବାହାର ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ରାୟଗଡ଼ା ପର୍ଯ୍ୟଟନ କ୍ଷେତ୍ର ଏବେ ଖାଁ ଖାଁ ହୋଇ ପଡିଛି।

ଜିଲ୍ଲାର ୪ଟି ବ୍ଲକର ୭ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି। ଯାହା ମଧ୍ୟରେ ବିଷମକଟକର ଗଦଗଦା ଜଳ ପ୍ରପାତ, ଚାଟିକଣାର ଡଙ୍ଗରିଆଙ୍କ ଜୀବନ ସଂସ୍କୃତିକୁ ନେଇ ନିର୍ମିତ ଟୁରିଷ୍ଟ୍ ହବ୍, ନିୟମଗିରି ପର୍ବତ, ଗୁଡାରିର ତିନି ନଦୀର ସଙ୍ଗମସ୍ଥଳରେ ଥିବା ଶୈବ ପୀଠ ମୀନାଝୋଲା ଏବଂ ପଦ୍ମପୁର ଜଗମଣ୍ଡା ପାହାଡ଼ ଉପରେ ଥିବା ବୌଦ୍ଧ ଧର୍ମ କୀର୍ତ୍ତିରାଜ, ମଲ୍ଲିକେଶ୍ବର, ପୁଡୁକେଶ୍ବର ମନ୍ଦିର ରହିଛି। ଦୀର୍ଘ ବର୍ଷ ହେଲା ଏହି ସ୍ଥାନ ଗୁଡ଼ିକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିଲେ ମଧ୍ୟ ସର୍ବନିମ୍ନ ସୁବିଧା ସୁଯୋଗ ବିଭାଗ ପକ୍ଷରୁ କରାଯାଇନି। ନିୟମିଗିରି ପର୍ବତକୁ ଶହ ଶହ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସୁଥିବା ବେଳେ ଯାତାୟାତ ପାଇଁ ରାସ୍ତା ଖଣ୍ଡିଏ ଛାଡିଲେ ଅନ୍ୟ କିଛି ସୁବିଧା ନାହିଁ। ରେଷ୍ଟ୍ ସେଡ୍, ବିଦ୍ୟୁତ୍, ପାନୀୟ ଜଳ ସେବା ତ ଦୂରର କଥା ମୋବାଇଲ୍ ନେଟୱର୍କ ଏହି ଅଞ୍ଚଳକୁ ପହଞ୍ଚି ପାରିନି। ଯେଉଁଥି ପାଇଁ ମୁହଁ ମୋଡ଼ିବାରେ ଲାଗିଛନ୍ତି ପର୍ଯ୍ୟଟକ। ମୀନାଝୋଲା ପର୍ଯ୍ୟଟନସ୍ଥଳୀର ମଧ୍ୟ ସମାନ୍ ଅବସ୍ଥା।

ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଲାଗି ବର୍ଷ ବର୍ଷ ଧରି ଅନୁଦାନ ଆସୁନଥିବା ବେଳେ ଯାହା କିଛି ଆସୁଛି ସେଥିରେ ବିକାଶ କମ ହରିଲୁଟ୍ ଅଧିକ ହେଉଥିବାରୁ ପୁରୁଣା ପର୍ଯ୍ୟଟନସ୍ଥଳୀ ଚମକ ହରାଇବାରେ ଲାଗିଛି। ଏପଟେ ନୂଆ ମାନ୍ୟତା ଅପେକ୍ଷାରେ ପାଇକପଡା, ରାୟଗଡ଼ାର ମା ମଝିଘରିଆଣି, ଥେରୁବାଲିର ଲକ୍ଷ୍ମୀ ନାରାୟଣ ମନ୍ଦିର, କୁମୁଡାବାଲିର ବଂଶଧାରା-ସୁକୁଟାନାଳର ସଙ୍ଗମସ୍ଥଳ, କୁର୍ଲିର ପର୍ବତାରୋହଣ ବେସ୍ ପଏଣ୍ଟ, ଗୁଣପୁରର ଶେଫାଳି ପାହାଡ଼, ଝିଗିଡିର ଆଦିବାସୀ ଅଳଙ୍କାର ମାର୍କେଟ୍, ପୁଟାସିଂର ଲାଞ୍ଜିଆ ସଉରା ଜନଜାତି କେନ୍ଦ୍ରକୁ ପର୍ଯ୍ୟଟନ ବିଭାଗର ଅନୁମୋଦନ ମିଳି ପାରୁନି। ସେହିପରି କୋଟି କୋଟି ଟଙ୍କା ବ୍ୟୟରେ ରାୟଗଡ଼ା ସହରରେ ନିର୍ମିତ ପ୍ରେମ ପାହାଡ଼ ମଧ୍ୟ ଏଯାବତ୍ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇ ପାରିନି। ପାହାଡ ଚର୍ତୁପାର୍ଶ୍ବକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯିବା ସହ ପାହାଡ ଉପରେ ଭିୟୁ ପଏଣ୍ଟ୍ ନିର୍ମାଣ କରାଯାଇଛି। ହେଲେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ତ ଦୂରର କଥା ଆଜି ଯାଏଁ ଉଦଘାଟନ ନ ହେବା ଯୋଗୁ ଏହା ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ରାୟଗଡ଼ା-ବାଇସିଂ ଘାଟି ରାସ୍ତା ସହିତ ଝୁଲା ପୋଲ ପର୍ଯ୍ୟଟକଙ୍କ ମନ ମୋହିବାରେ ଲାଗିଥିବା ବେଳେ ବିଭାଗର ଦୃଷ୍ଟି କିନ୍ତୁ ଏ ଯାଏଁ ପଡିନି।

ପର୍ଯ୍ୟଟନ ବିଭାଗ ସୂଚନାନୁଯାୟୀ, ଗତ ୩ ବର୍ଷରେ ଦେବଗିରିକୁ ୧ଲକ୍ଷ ୪୨ ହଜାର ୭୩୯, ହାତୀପଥର (ରାୟଗଡ଼ା) କୁ ୨ ଲକ୍ଷ ୩୫ ହଜାର ୪୩୨, ପଦ୍ମପୁରକୁ ୧ ଲକ୍ଷ ୧୪ ହଜାର ୨୧୪, ଚାଟିକଣାକୁ ୨ ଲକ୍ଷ ୩୪ ହଜାର ୮୫୨, ବିଷମକଟକକୁ ୪୦ ହଜାର ୨୩୨, ମୀନାଝୋଲାକୁ ୫୪ ହଜାର ୮୦୩, ନିୟମଗିରି ପର୍ବତକୁ ୧୩ ହଜାର ୨୭୪ ପର୍ଯ୍ୟଟକ ଆସିଛନ୍ତି। ଯାହାଙ୍କ ମଧ୍ୟରେ ୬ ହଜାର ୯୩୨ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ୨୦୧୯ ରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ୨୦୨୦ରେ କରୋନା କଟକଣା ଯୋଗୁ ପର୍ଯ୍ୟଟକ ଆସି ନାହାନ୍ତି। ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ରେଷ୍ଟ୍ ରୁମ୍, ଭିୟୁ ପଏଣ୍ଟ୍, ରୋଷୋଇ ସୁବିଧା, ମୋବାଇଲ୍ ନେଟୱର୍କ, ଗମନାଗମନ ପାଇଁ ସ୍ବତନ୍ତ୍ର ଗାଡି, ଟୁରିଷ୍ଟ୍ ଗାଇଡ୍ ସେବା ଉପଲବ୍ଧ ରହିଲେ ଅଧିକ ପର୍ଯ୍ୟଟକ ଆସି ପାରନ୍ତେ। କିନ୍ତୁ କେବଳ ପର୍ଯ୍ୟଟନ ଦିବସ ପାଳନ କାର୍ଯ୍ୟକ୍ରମରେ ସରକାରଙ୍କ ଇଚ୍ଛା ଶକ୍ତି ସୀମିତ ଥିବାରୁ ପର୍ଯ୍ୟଟନ ମାନଚିତ୍ରରେ ରାୟଗଡ଼ାର ଛବି ମଳିନ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର