ପରଲୋକରେ ରାୟଗଡ଼ାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗ

ରାୟଗଡ଼ା/ଗୁଣପୁର : କୋର୍ଟ ରାୟରେ ସଂଧ୍ୟାରେ ପଦବି ଗଲା, ରାତିରେ ସଡ଼କ ଦୁର୍ଘଟଣାରେ ଜୀବନ ବି ଚାଲିଗଲା। ଗତକାଲି ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ବିଳମ୍ବିତ ରାତିରେ ଦୁଃଖଦ ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ରାଗୁଲୁ ଜେମସ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି। ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଜନ୍ମ ମାଟି ଅନ୍ତରଝୋଲିରେ ଶୋକାକୁଳ ପରିବେଶ ମଧ୍ୟରେ ପୁରୁଷୋତ୍ତମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁରୁଷୋତ୍ତମଙ୍କ ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେବା ପରେ ସଂଧ୍ୟାରେ ନିଜ ଇନୋଭା କାର ଯୋଗେ ପୁରୁଷୋତ୍ତମ ଗୁଣପୁର ଫେରୁଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚନ ହେବା ପରଠୁ ବିଗତ ୩ ବର୍ଷ ଧରି ଆଇନ କାନୁନ୍ ଜାଲରେ ପୁରୁଷୋତ୍ତମ ଛନ୍ଦି ରହୁଥିବା ବେଳେ ଗତକାଲି ପୁଣି ପଦବି ଅସିଦ୍ଧ ଘୋଷଣାକୁ ନେଇ ମନସ୍ତାପରେ ଥିଲେ। ରାୟଗଡ଼ାରୁ ଗୁଣପୁର ଅଭିମୁଖେ ଫେରିବା ବେଳେ ରାତି ୮ଟାରେ ରାମନାଗୁଡ଼ା ବ୍ଲକ୍ ତାଣ୍ଡିକଣା ଛକରେ କିଛି ସହଯୋଗୀଙ୍କୁ ସାକ୍ଷାତ କରିବାକୁ ଅଟକିଥିଲେ। ଆଲୋଚନା ପରେ ସହଯୋଗୀଙ୍କ ସହ ପୁରୁଷୋତ୍ତମ ନିଜେ ବୁଲେଟ୍‌ ଚଲାଇ ଫେରୁଥିିଲେ। କିଛି ଦୂର ଆସିବା ପରେ ପୁରୁଷୋତ୍ତମ ଭାରସାମ୍ୟ ହରାଇବାରୁ ବୁଲେଟ୍‌ଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ରାତି ପ୍ରାୟ ସାଢ଼େ ୧ଟାରେ ଆନ୍ଧ୍ରର ଜେମସ୍ ଡାକ୍ତରଖାନାରେ ପୁରୁଷୋତ୍ତମଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର