ଭୁବନେଶ୍ବର : ଏମ୍‌ଏଲ୍‌ଏ କଲୋନିରେ ବୁଲିଲା ବୁଲଡୋଜର

ଭୁବନେଶ୍ବର : ବିଧାୟକଙ୍କ ପାଇଁ ବହୁତଳ କୋଠା ନିର୍ମାଣ ହେବାକୁ ଥିବାରୁ ଆଜିଠାରୁ ଏମ୍‌ଏଲ୍‌ଏ କଲୋନିରେ ଥିବା କ୍ବାର୍ଟର୍ସ ଭଙ୍ଗା ଆରମ୍ଭ ହୋଇଛି। ଆଜି ସକାଳୁ ଏମ୍‌ଏଲ୍‌ଏ କଲୋନିରେ ବୁଲଡୋଜର୍‌ ବୁଲିବା ସହ କିଛି କ୍ବାର୍ଟର୍ସକୁ ଅଧା ଭାଙ୍ଗିଛି।

ମଙ୍ଗଳବାର ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥି‌ଲେ ଯେ ବୁଧବାରଠାରୁ ଓଏମ୍‌ସି ସମ୍ମୁଖରୁ ୧୨୦ ବାଟାଲିଅନ୍ ଛକ ପର୍ଯ୍ୟନ୍ତ ଥିବା ଏଫ୍‌ଓଆର୍‌ ଟାଇପ୍ ବିଧାୟକ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେବ। ଏଠାରେ ମୋଟ୍‌ ୪୨ଟି କ୍ବାର୍ଟର୍ସ ଥିବା ବେଳେ ୨୩ଟି କ୍ବାର୍ଟର୍ସ ବିଧାୟକମାନେ ଖାଲି କରିଛନ୍ତି। ତେଣୁ ଏବେ ଏହି ୨୩ଟି କ୍ବାର୍ଟର୍ସ ଭଙ୍ଗାଯିବ। ବାକି କ୍ବାର୍ଟର୍ସରୁ ପାଣି ଓ ବିଦ୍ୟୁତ ସଂଯୋଗ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ କ୍ବାର୍ଟର୍ସକୁ ଭାଙ୍ଗିବା ପରେ ଏଠାରେ ୧୫୦ଜଣ ବିଧାୟକ ରହିବା ଭଳି ବହୁତଳ କୋଠା ନିର୍ମାଣ ହେବ। ବିଧାନସଭା ନିକଟରେ ୧୨ଏକର ଜମିରେ ବିଧାୟକଙ୍କ ରହିବା ପାଇଁ ୮ଟି ବ୍ଲକ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ହେବ। ଏଥିରେ ୩ଟି ୧୦ ମହଲା ଓ ୫ଟି ୯ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ବିଧାୟକମାନଙ୍କୁ ଟାଇପ୍ ୭ କ୍ବାର୍ଟର୍ସ ଯୋଗାଇ ଦିଆଯିବ। ଯେଉଁଠାରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର