ଭୁବନେଶ୍ବର: ଆର୍‌ବିଆଇରେ ଟଙ୍କା ବଦଳ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ଜଣଙ୍କ ତାଲିକା ଧରି ତନାଘନା ଆରମ୍ଭ କରିଛି। ଯେଉଁମାନେ ଆର୍‌ବିଆଇକୁ ବାରମ୍ବାର ନୋଟ୍‌ ବଦଳାଇବା ଓ ଆକାଉଣ୍ଟ୍‌ରେ ନୋଟ୍‌ ଜମା କରିବା ପାଇଁ ଆସୁଥିଲେ ସେମାନଙ୍କୁ ଇଓଡବ୍ଲ୍ୟୁ ଚିହ୍ନଟ କରିଛି।‌ ତେବେ ଇଓଡବ୍ଲ୍ୟୁ ଆର୍‌ବିଆଇରୁ ପାଇଥିବା ୪ ଦିନର ସିସିଟିଭି ଫୁଟେଜ୍‌, ଟଙ୍କା ଜମା ଓ ବଦଳର ତଥ୍ୟ ଆଧାରରେ ଏହି ୩୦ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।

Advertisment

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେମାନଙ୍କୁ ଜେରା ପାଇଁ ଇଓଡବ୍ଲ୍ୟୁ ଯୋଜନା କରୁଛି। ସେମାନେ ଏତେ ଟଙ୍କା କେଉଁଠୁ ଆଣିଲେ? ନିଜ ଟଙ୍କା ନାଁ ଅନ୍ୟର ଟଙ୍କା ବଦଳାଇଛନ୍ତି? ଯଦି ନିଜ ଟଙ୍କା, ଟଙ୍କା ବଦଳ ପାଇଁ ପୂର୍ବରୁ ସମୟ ଦିଆଯାଇଥିବା ବେଳେ କେଉଁ ପରିସ୍ଥିତିରେ ଟଙ୍କା ବଦଳାଇ ନଥିଲେ? ଯଦି ନିଜର ନୁହେଁ, ତେବେ କେଉଁକେଉଁ ଲୋକଙ୍କଠାରୁ ଟଙ୍କା ଆଣିଛନ୍ତି? ବଦଳ ପାଇଁ କେତେ କମିସନ ନେଇଛନ୍ତି? ସମସ୍ତ ଦିଗକୁ ନେଇ ଇଓଡବ୍ଲ୍ୟୁ ଜେରା କରିବ। ଯେଉଁ ବ୍ୟକ୍ତିମାନେ ଟଙ୍କା ବଦଳରେ ଅନିୟମିତତା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଇଓଡବ୍ଲ୍ୟୁର ଏଭଳି ଗୋଟିଏ ପରେ ‌ଗୋଟିଏ ପଦକ୍ଷେପ ଦେଖି ଏବେ ବେଆଇନ ଜମାକାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ହରଡ଼ଘଣାରେ ପଡ଼ିପାରନ୍ତି ବେଆଇନ ଜମାକାରୀ
ପୋଷ୍ଟାଲ୍‌ରେ ଟଙ୍କା ଜମା କରିପାରିବେ: ଆର୍‌ବିଆଇ

ଅନ୍ୟପଟେ ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି ଯେ, ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବ୍ୟାଙ୍କ ଆକାଉଣ୍ଟ୍‌ରେ ୨ ହଜାର ଟଙ୍କିଆ ନୋଟ୍‌ ଜମା ବଢ଼ିବାରେ ଲାଗିଛି। ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ୍‌ରେ ଜମାର ପରିମାଣ ମାତ୍ର ୫% ରହିଥିଲା। ହେଲେ ଏବେ ତାହା ୨୫%ରୁ ୩୦%କୁ ବୃଦ୍ଧିପାଇଛି। ଗୁରୁବାର ୧୪୦ଜଣ ବ୍ୟାଙ୍କ ଆକାଉଣ୍ଟ୍‌ରେ ଟଙ୍କା ଜମାକରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କେହି ଆର୍‌ବିଆଇରେ ଟଙ୍କା ଜମା କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସେମାନେ ପୋଷ୍ଟାଲ ମାଧ୍ୟମରେ ମଧ୍ୟ ୨ ହଜାର ଟଙ୍କିଆ ଜମା କରିପାରିବେ। ପ୍ରକାଶ ଥାଉକି, ଗତ କିଛିଦିନ ହେବ ଆର୍‌ବିଆଇ ସମ୍ମୁଖରେ ଟଙ୍କା ବଦଳାଇବା ନେଇ ଶହଶହ ଲୋକଙ୍କ ଭିଡ଼ ଲାଗିରହିବା ପରେ କଳାଟଙ୍କା ବଦଳ ହେଉଥିବା କଥା ପଦାକୁ ଆସିଥିଲା। ଟଙ୍କା ବଦଳ ପଛରେ ବ୍ୟବସାୟୀ, ରାଜନେତା, ପ୍ରଭାବଶାଳୀଙ୍କ ହାତଥିବା ଜଣାପଡ଼ିଥିଲା। ସେମାନେ ସେମାନଙ୍କ ସମ୍ପର୍କୀୟ, ପ୍ରତିନିଧିଙ୍କୁ ଲଗାଇ, କାହାକୁ ମଜୁରି ଦେଇ ଅଥବା ଦଲାଲଙ୍କୁ କମିସନ ଦେଇ ଟଙ୍କା ବଦଳାଉଥିବା ଚର୍ଚ୍ଚା ହୋଇଥିଲା। ଖବରପାଇ ଇଓଡବ୍ଲ୍ୟୁ ଟିମ୍‌ ଆର୍‌ବିଆଇକୁ ଯାଇ ଲୋକଙ୍କୁ ପଚରାଉଚରା କରିଥିଲେ।