ଆରବିଏସ୍‌କେ ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

demand for qyush doctors permanent appoitment in RBSK

ଭୁବନେଶ୍ବର : ରାଷ୍ଟ୍ରୀୟ ବାଲ୍ ସୁରକ୍ଷା କାର୍ଯ୍ୟକ୍ରମ ବା ଆରବିଏସ୍‌କେ ଅଧୀନରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ୭ମ ବେତନ କମିସନ ଲାଗୁ କରିବା ପାଇଁ ଦାବି କରିଛି ରାଜ୍ୟ ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ। ଆସନ୍ତା ୧୫ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଆୟୁଷ ଡାକ୍ତରମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସଂଘ ଚେତାବନୀ ଦେଇଛି।

ଆଜି ରାଜଧାନୀ କଳା ସଂସଦ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ଡା. ବିଜୟ ସାମଲ କହିଲେ, ୨୦୧୩ ମସିହାରୁ ଆରବିଏସ୍‌କେ ଅଧୀନରେ ୭ଶହରୁ ଅଧିକ ଆୟୁଷ ଡାକ୍ତର ସବୁ ଜିଲ୍ଲାରେ ଠିକା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଅଧିକାଂଶ ଜିଲ୍ଲାରେ ବହୁ ପଦବି ଖାଲି ପଡ଼ିଛି। ଜନ୍ମରୁ ୧୮ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଦାୟିତ୍ବ ରହିଛି ଆରବିଏସ୍‌କେ ଆୟୁଷ ଡାକ୍ତରଙ୍କର। ଏତେ ଦିନ କାର୍ଯ୍ୟ କରିବା ପରେ ମଧ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ଡାକ୍ତରମାନଙ୍କୁ ସ୍ଥାୟୀ ନିଯୁକ୍ତି ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକାଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ହେଲେ କେହି ଶୁଣୁ ନାହାନ୍ତି। ଆରବିଏସ୍‌କେ ଆୟୁଷ ଡାକ୍ତରଙ୍କୁ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ନିୟମ ଥିଲେ ହେଁ ଅନେକ ସ୍ଥାନରେ ଡାକ୍ତରମାନେ ଏହା ପାଇପାରୁ ନାହାନ୍ତି। ଯାହାଫଳରେ ଦିନକୁ ଦିନ ଆୟୁଷ ଡାକ୍ତର ହତୋତ୍ସାହିତ ହୋଇ ପଡ଼ୁଛନ୍ତି। ତେଣୁ ରାଜ୍ୟ ସରକାର ସଂଘର ଦାବି ଉପରେ ତୁରନ୍ତ ବିଚାର କରିବା ଲାଗି ଡା.ସାମଲ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ସୁଶିଲ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର