ଆର୍‌ସିଏମ୍‌ଏସ୍‌ ମାର୍କେଟ ଦୁର୍ନୀତି : ଦୋକାନ ମରାମତି ନାଁରେ ଲକ୍ଷ ଲକ୍ଷ ଚଳୁ!

କର୍ମଚାରୀଙ୍କ ନାଁରେ ଏକାଧିକ ଦୋକାନ
ଚାପିଦେଲେ ୮୦ ଦୋକାନୀଙ୍କ କାରଣଦର୍ଶାଅ ନୋଟିସ୍‌
ମୂଲ୍ୟବାନ ଜମି ବି ଜବରଦଖଲକାରୀଙ୍କ କବ୍‌ଜାରେ

ରାଉରକେଲା : ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ଆର୍‌ସିଏମ୍‌ଏସ୍‌)ରେ ଚାଲିଛି ଖୋଲାଖୋଲି ଦୁର୍ନୀତି। ମନଇଚ୍ଛା ଲୁଟୁଛନ୍ତି। ଖାଲି ପଡିଥିବା ମୂଲ୍ୟବାନ ଜମିକୁ ଅକ୍ତିଆର କଲେଣି ତ ପୁଣି କିଏ ଏକାଧିକ ଦୋକାନ, ଗୋଦାମ ଘର ନିଜ ସମ୍ପର୍କୀୟଙ୍କ ନାଁରେ ହାତେଇଛନ୍ତି। ଭଡାଟିଆଙ୍କ ସହ ଭିତିରି ସଲାସୁତରା କରି ମାସକୁ ମାସ ମୋଟା ରକମର କମାଉଛନ୍ତି। ବର୍ଷ ବର୍ଷ ଧରି ଏଭଳି ବିବାଦ ଲାଗି ରହିଥିଲେ ହେଁ ଦାୟିତ୍ବରେ ଥିବା ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ଓ ଅଧିକାରୀ କିଛି ନ ଜାଣିଲା ପରି ଚୁପ୍‌ ରହୁଛନ୍ତି। ଦୋକାନ ଓ ଗୋଦାମ ଘର ଆବଣ୍ଟନରେ ଦୁର୍ନୀତିକୁ ଜାଣିଶୁଣି ଘଣ୍ଟ ଘଡାଯାଉଛି। ଦୋକାନ, ଗୋଦାମ ଗୃହ ଆବଣ୍ଟନ ପରେ ଏବେ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହେଉଛି।

ଜିଲ୍ଲା ନିବନ୍ଧକ ସମବାୟ ସମିତି (ଡିଆର୍‌ସିଏସ୍‌)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ନୂଆ ମାର୍କେଟ ଷ୍ଟେୟାର କେସ୍‌ ନିର୍ମାଣରେ ୧ ଲକ୍ଷ ୯୧ ହଜାର ୬୫ ଟଙ୍କା, ପୁରୁଣା ମାର୍କେଟ ମରାମତି ଓ ଘର ବାବଦରେ ୨ ଲକ୍ଷ ୧୬ ହଜାର ୨୩୪ ଟଙ୍କା, ସିମେଣ୍ଟ ଗୋଦାମ ଓ ଷ୍ଟୋର ଘର ନିର୍ମାଣରେ ୧ ଲକ୍ଷ ୫୭ ହଜାର ୧୯୦ ଟଙ୍କା, ସମବାୟ ଭବନ ମରାମତି ଓ ନବିକରଣରେ ୨ ଲକ୍ଷ ୧୯ ହଜାର ୭୬ ଟଙ୍କା, କର୍ମଚାରୀଙ୍କ ଘର ମରାମତିରେ ୭୭ହଜାର ୮୫୯ ଟଙ୍କା, କ୍ୟାମ୍ପସ ମୁଖ୍ୟ ଦ୍ବାର ମରାମତି ଓ ନିର୍ମାଣରେ ୧ ଲକ୍ଷ ୨୭ ହଜାର ୨୮୧ ଟଙ୍କା, ଶୌଚାଳୟ ଓ ପରିଶ୍ରାଗାର ନିର୍ମାଣରେ ୧ ଲକ୍ଷ ୯୫ ହଜାର ୨୮ ଟଙ୍କା ମଞ୍ଜୁରୀ ହୋଇଛି। ଅନୁରୂପ ଭାବେ କର୍ମଚାରୀଙ୍କ ପାଇଖାନା ଟାଙ୍କି ନିର୍ମାଣରେ ୮୪ ହଜାର, ନୂଆମାର୍କେଟ ଲଢ଼େଇ ଓ ବାରଣ୍ଡା ମରାମତିରେ ୨ ଲକ୍ଷ ୫୧ ହଜାର ୯୨୩ ଟଙ୍କା, ପୁରୁଣା ମାର୍କେଟର ସମ୍ପ୍ରସାରଣରେ ୩ ଲକ୍ଷ ୧୫ ହଜାର, ନୂଆ ମାର୍କେଟର ମୁଖ୍ୟ ଦ୍ବାରରେ ୨ ଲକ୍ଷ ୯୧ ହଜାର ଟଙ୍କା ମଞ୍ଜୁରି କରାଯାଇଛି। ମାର୍କେଟ, ଗୋଦାମ ଗୃହ ମରାମତି ବାବଦରେ ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସତ୍ବେ ମାର୍କେଟ କମ୍ପ୍ଲେକ୍ସ ଚିତ୍ର କିନ୍ତୁ ଓଲଟା। କେଉଁଟି ଗୋଦାମ, ଦୋକାନ ଘରେ କାଁ ଭାଁ ମରାମତି କରି ମିଳି ମିଶି ଲକ୍ଷ ଲକ୍ଷ ଟଙ୍କାକୁ ଗିଳି ଦେଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଯାହାର ତଦନ୍ତ ସାପେକ୍ଷ।

କେବଳ ଏତିକି ନୁହେଁ ଦୋକାନ ଖଣ୍ଡେ ପାଇବାକୁ ବର୍ଷ ବର୍ଷ ଧରି ବ୍ୟବସାୟୀ ଆବେଦନ କରୁଥିଲେ ହେଁ ଦୋକାନଟିଏ ମିଳୁ ନାହିଁ। ଆଶ୍ଚର୍ଯ୍ୟକଥା, କିଛି କରିତକର୍ମା କର୍ମଚାରୀ ବର୍ତ୍ତମାନ ଆବେଦନ କରୁଥିବା ବ୍ୟବସାୟୀଙ୍କ ଠାରୁ ମୋଟା ରକମର ହାତଗୁଞ୍ଜା ନେଇ ଶାଗମାଛ ଦରରେ ସେମାନଙ୍କ ନାଁରେ ଦୋକାନ କରି ଦେଉଛନ୍ତି। ଏପରିକି ପୂର୍ବତନ ସମ୍ପାଦକଙ୍କ ନିଜ ସମ୍ପର୍କୀୟଙ୍କ ନାଁରେ ଦୋକାନ ଘର ନେଇ ଭଡା ଲଗାଇଛନ୍ତି। କର୍ମଚାରୀ ସମ୍ପର୍କୀୟଙ୍କ ନାଁରେ ଏକାଧିକ ଦୋକାନ ଘର ମଧ୍ୟ ରହିଛି। ଗତ ୨୦୧୯ରେ ଖୋଳତାଡ ହେବା ପରେ ଅନ୍ୟମାନଙ୍କ ଠାରୁ ଦୋକାନ ହାତେଇଥିବା ୮୦ ଦୋକାନୀଙ୍କୁ ଚିହ୍ନଟ କରି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ବିଭାଗୀୟ ଅଧିକାରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଘଟଣାକୁ ଚାପି ଦେଇଥିବା ଆଲୋଚନା ହେଉଛି। ଅନୁରୂପ ଭାବେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଡ. ‌ୟେଦୁଲା ବିଜୟ ଦୋକାନ ଗୁଡ଼ିକ ଚିହ୍ନଟ ବିସ୍ତୃତ ତଥ୍ୟ ଦେବାକୁ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଡିଏମ୍‌ଙ୍କ ବଦଳି ପରେ ଫଳ ଶୂନ୍‌। ସେହିପରି କିଛି ମୂଲ୍ୟବାନ ଜାଗା ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିଲେ ହେଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପଛରେ ମଧ୍ୟ ମନ୍ଦ ଉଦ୍ଦେଶ୍ୟ ରହିଛି।

ଆର୍‌ସିଏମ୍‌ଏସ୍‌ ଅଧିକାରୀ ଓ କର୍ମଚାରୀ ବର୍ଷ ବର୍ଷ ଧରି ସିଟ୍‌ ମାଡି ବସିଛନ୍ତି। ଏମାନଙ୍କୁ ଅନ୍ୟତ୍ର ବଦଳି କରିବାକୁ କିଛି‌ ଆବେଦନକାରୀ ତତ୍କାଳୀନ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ତତ୍କାଳୀନ ଜିଲ୍ଲାପାଳ ବଦଳି ପାଇଁ ଜିଲ୍ଲା ନିବନ୍ଧକ ସମବାୟ ସମିତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବଦଳି ତ ଦୂର କଥା ଏଯାଏ ଏମାନଙ୍କ ବିରୋଧରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଦୋକାନ, ଗୋଦାମ ଗୃହ ଆବଣ୍ଟନ ସହ ମରାମତି ନାଁରେ ଲକ୍ଷ ଲକ୍ଷ ଚଳୁ ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଅସଲି କାରନାମା ପଦାକୁ ଆସି ପାରନ୍ତା। ଏମିତି ଅଭିଯୋଗ ସମ୍ପର୍କରେ ଜିଲ୍ଲା ନିବନ୍ଧକ ସମବାୟ ସମିତି (ଡିଆର୍‌ସିଏସ୍‌) ଜେ. କେର୍କେଟାଙ୍କୁ ପଚାରିବାରୁ ସେ କହିଛନ୍ତି ଏମିତି ହେବା କଥା ‌ନୁହେଁ। ନିଶ୍ଚିତ ଭାବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡିଲେ ଏମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଯିବ। ତେବେ ଆଗାମୀ ଦିନରେ ଡିଆର୍‌ସିଏସ୍‌ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତା ଉପରେ ସମସ୍ତ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ଚାଷୀଙ୍କୁ ସରକାରୀ ମୂଲ୍ୟରେ ସାର ଏବଂ ବ୍ୟବସାୟୀଙ୍କୁ ସୁବିଧା ଦେବାକୁ ଗତ ୧୯୫୭ରେ ଜିଲ୍ଲାରେ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ପଞ୍ଜିକୃ୍ତ ହୋଇଥିଲା। ୧୯୯୨ରେ ଏସ୍‌ଟିଆଇ ଯୋଡାପାଣି ଟାଙ୍କି ନିକଟରେ ଆର୍‌ସିଏମ୍‌ଏସ୍‌ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା। ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସରେ ମୋଟ ୧୫୧ଟି ଦୋକାନ ଓ ଏହା ପଛରେ ୩୬ଟି ଗୋଦାମ ଘର ରହିଛି।

ସମ୍ବନ୍ଧିତ ଖବର