ଭିଜିଲାନ୍ସ ଜାଲରେ ଆର୍‌ଡି ସହକାରୀ ନିର୍ବାହୀ ଯନ୍ତ୍ରୀ

ଦିନକ ପରେ ଅବସର ନେଇଥା’ନ୍ତେ, ଧରାପଡ଼ିଲେ

ନୟାଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦଚନ୍ଦ୍ର ସାହୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଦିନକ ପରେ ସେ ଅବସର ନେଇଥା’ନ୍ତେ। ମାତ୍ର, ଭିଜିଲାନ୍ସ ବିଭାଗ ଚଢ଼ାଉ କରି ତାଙ୍କର ୨କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି।

୨ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ
ପୂର୍ବରୁ ମଧ୍ୟ ଥରେ ଧରାପଡ଼ିଥିଲେ

ସୂଚନା ଅନୁସାରେ, ଭିଜିଲାନ୍ସ ଟିମ୍‌ ଏକାସାଙ୍ଗରେ ଶ୍ରୀ ସାହୁଙ୍କ ନୟାଗଡ଼ କାର୍ଯ୍ୟାଳୟ, ନୟାଗଡ଼ ଆବାସିକ ଘର ସମେତ ଭୁବନେଶ୍ବରର ପଟିଆ, ଖଣ୍ଡଗିରିର ଗାୟତ୍ରୀବିହାରସ୍ଥିତ ଦୁଇ ମହଲା ଘର, କଟକ ଆଲିଶା ବଜାରସ୍ଥିତ ଏକ ମହଲା ଘର, କଟକ କିଶୋରନଗର ଥାନା ଅନ୍ତର୍ଗତ ପିନପୁର ଆଦି ଗ୍ରାମ ଘର ଭଳି ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲେ। ଚଢ଼ାଉ ପରେ ଏ ପର୍ଯ୍ୟନ୍ତ ୨ କୋଟି ୨୨ ଲକ୍ଷ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ ‌ହୋଇଛି। ଖଣ୍ଡଗିରି ଗାୟତ୍ରୀ ବିହାରରେ ଶ୍ରୀ ସାହୁଙ୍କର ଥିବା ଦୁଇ ମହଲା କୋଠା ରହିଛି। ଯାହାର ମୂଲ୍ୟ ୭୫.୬୫ ଲକ୍ଷ ଟଙ୍କା, କଟକ କିଶୋରନଗରସ୍ଥିତ ଗ୍ରାମ ଘରର ମୂଲ୍ୟ ୪୪ ଲକ୍ଷ ଟଙ୍କା, ଫିକ୍ସ ଡିପୋଜିଟ୍‌, ବୀମା ଆଦି ୩୦ ଲକ୍ଷ ଟଙ୍କାର ‌ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏଥିସହିତ ଭୁବନେଶ୍ବର, କଟକ, ଜଟଣୀର ପ୍ରମୁଖ ସ୍ଥାନରେ ୩ଟି ପ୍ଲଟ୍‌ ରହିଛି। ଏହି ଜାଗାଗୁଡ଼ିକର ମୂଲ୍ୟ ପ୍ରାୟ ୪୧.୧୬ ଲକ୍ଷ ଟଙ୍କା ହେବ। ତେବେ ଏହି ମୂଲ୍ୟ ପ୍ରାଥମିକ ଭାବେ ଆକଳନ କରାଯାଇଥିବା ବେଳେ, ଏହାର ମୂଲ୍ୟ ଯଥେଷ୍ଟ ଅଧିକ ହେବ। ଭିଜିଲାନ୍ସର ଟେକ୍‌ନିକାଲ ଶାଖା ଏହାର ଅନୁସନ୍ଧାନ କରୁଥିବା ଜଣାପଡ଼ିଛି। ୧୪ ଲକ୍ଷ ଟଙ୍କା ମୂଲ୍ୟର ଏକ କାର୍‌, ୨ଟି ଦୁଇଚକିଆ ଯାନ ସମେତ ସୁନା, ନଗଦ ଟଙ୍କା, ଗୃହ ଆସବାବପତ୍ରର ମୂଲ୍ୟକୁ ମିଶାଇ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଖବର ଲେଖା ହେବା ସୁଦ୍ଧା ଶ୍ରୀ ସାହୁଙ୍କର ଏତିକି ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି, ଭିଜିଲାନ୍‌ସ ପକ୍ଷରୁ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଆଜି (ମାର୍ଚ୍ଚ ୩୧)ରେ ଶ୍ରୀ ସାହୁ ଅବସର ଗ୍ରହଣ କରିଥାନ୍ତେ। ଏହା ପୂର୍ବରୁ ଭିଜିଲାନ୍‌ସ ତାଙ୍କୁ ଉଠାଇ ନେଇଛି। ଏହାପୂର୍ବରୁ ୨୦୧୯ ଡିସେମ୍ବର ୧୧ରେ ଶ୍ରୀ ସାହୁ ଓ ତତ୍‌କାଳୀନ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ପୃଷ୍ଟି ନୟାଗଡ଼ରୁ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଶ୍ରୀ ସାହୁ ସେତେବେଳେ ଏସ୍‌ଡିଓ ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର