ରାଉରକେଲା: ଦେଶର ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି ରାଉରକେଲା। କିନ୍ତୁ ସହର ଯେତିକି ସ୍ମାର୍ଟ ହେବା କଥା, ଆଜିପର୍ଯ୍ୟନ୍ତ ତାହା ହୋଇପାରିନି। ପ୍ରାୟ ୭ ଲକ୍ଷ ଲୋକ ବାସ କରୁଥିବା ଇସ୍ପାତ ସହରରେ ବାସଗୃହ ବଡ଼ ସମସ୍ୟାଭାବେ ଉଭା ହୋଇଛି। ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଓ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା ଆଜିକୁ ୨୦ ବର୍ଷ ଧରି ସହରରେ ଗୋଟିଏ ହେଲେ ବାସଗୃହ ନିର୍ମାଣ କରିନି। ଆଗାମୀ ଦିନରେ କରିବ କି ନାହିଁ ସନ୍ଦେହ। ୧୯୬୫-୬୬ ମସିହାରେ ରାଉରକେଲାରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ପ୍ରକଳ୍ପ ଅଫିସ୍‌ ଖୋଲାଯାଇଥିଲା। ଅଫିସ୍‌ ଖୋଲିବା ଦିନଠୁ ୨୦୦୪-୦୫ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ସହରର ବାସନ୍ତୀ ଓ ଛେଣ୍ଡ କଲୋନିରେ ଏହି ସଂସ୍ଥା ୫୧୯୩ଟି ଆବାସିକ ଗୃହ ନିର୍ମାଣ କରି ଆବଣ୍ଟନ କରିଥିଲା। ବାସନ୍ତୀ କଲୋନିରେ ଏଲ୍‌, ବିଏଲ୍‌, ସିଏଲ୍‌, ଡିଏଲ୍‌, ଇଏଲ୍‌, ଡିଇ, ଏଫ୍‌ଇ, ଇଡବ୍ଲ୍ୟୁଏସ୍‌ ପ୍ଲଟ, ଏମ୍‌, ବିଏମ୍‌, ସିଏମ୍‌, ଡିଏମ୍‌, ଇଏମ୍‌, ଏଫ୍‌ଏମ୍‌, ଜିଏମ୍‌, ଇସିଆର୍‌ରେ ମୋଟ୍‌ ୨୩୭୬ ଗୃହ ରହିଛି। ଛେଣ୍ଡ କଲୋନିରେ ଇସିଆର୍‌, ଏମ୍‌ଆଇସିଆର୍‌, ଏଲ୍‌୧, ଏଲ୍‌ ୨, ଏମ୍‌ଆଇଜି, ଏଚ୍‌ଆଇଜି, ଡୁପ୍ଲେକ୍ସ ଆଦି ବ୍ଲକରେ ୨୮୧୭ ଗୃହ ନିର୍ମାଣ କରି ଆବଣ୍ଟନ କରାଯାଇଛି। ସେହିପରି, ସୁନ୍ଦରଗଡ଼ରେ ପ୍ରାୟ ୨୫୦ ଗୃହ ନିର୍ମାଣ କରାଯାଇଛି।

Advertisment

ମାତ୍ର, ପରବର୍ତ୍ତୀ ସମୟରେ ଗୋଟିଏ ବି ଘର ତିଆରି ହୋଇନାହିଁ। ସେହି ସମାନ ଅବସ୍ଥା ଆର୍‌ଡିଏରେ। ଛେଣ୍ଡକଲୋନିରେ ବାସଗୃ୍ହ ପ୍ରକଳ୍ପ ପାଇଁ ଆର୍‌ଡିଏକୁ ପ୍ରାୟ ୧୦୪ ଏକର ଜାଗା ଦିଆ ଯାଇଥିଲା। ସେଥିରୁ ଅଧାରୁ ଅଧିକ ଜାଗା ଏବେ ଜବରଦଖଲ ହୋଇ ସାରିଛି। ତତ୍କାଳୀନ ଆର୍‌ଡିଏ ସଚିବ ତଥା ରାଉରକେଲା ବିଧାୟକ ସାରଦା ନାୟକ ୬ ବର୍ଷ ତଳେ ୩୦ ହଜାର ବାସଗୃହ ନିର୍ମାଣ ହେବ ବୋଲି କହିଥିଲେ। ହେଲେ ଆଜିପର୍ଯ୍ୟନ୍ତ ପ୍ରସ୍ତାବିତ ଜାଗାରେ ଗୋଟିଏ ବି ଘର ନିର୍ମାଣ ହୋଇନାହିଁ। ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପରି ଆର୍‌ଡିଏ ବାସନ୍ତୀକଲୋନିରେ ପ୍ରାୟ ୮୦୦, ଛେଣ୍ଡକଲୋନିରେ ୨୨୦୦, ସୁନ୍ଦରଗଡ଼ରେ ୪୦୮ ଓ ମହତାବରୋଡ୍‌ରେ ୨୮୮ ଗୃହ ନିର୍ମାଣ କରି କାମ ସାରି ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ବାସନ୍ତୀ କଲୋନି ଓ ଛେଣ୍ଡ କଲୋନିରେ ଥିବା ସଂସ୍ଥାର ୬୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦ ଏକରରୁ ଅଧିକ ଜାଗାକୁ ଜବରଦଖଲକାରୀ ମାଡ଼ି ବସିଛନ୍ତି। ଛେଣ୍ଡ କଲୋନିର କିଛି ଜାଗା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ରହିଛି। ଅବଶିଷ୍ଟ ଜାଗାକୁ କିଛି ବ୍ୟକ୍ତି ଓ ଅନୁଷ୍ଠାନ ମାଡ଼ି ବସିଛନ୍ତି। ଖାଲି କରିବାକୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ପ୍ରକଳ୍ପ ଅଫିସ୍‌କୁ ଜଣେ ପରେ ଜଣେ ପ୍ରକଳ୍ପ ଯନ୍ତ୍ରୀ ଆସୁଛନ୍ତି, କିନ୍ତୁ କେହି ଜଣେ ହେଲେ ଯନ୍ତ୍ରୀ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ କରୁ ନାହାନ୍ତି। ସେପଟେ ଯେତିକି ଜାଗା ଗୃହ ନିର୍ମାଣ ସଂସ୍ଥା ଅଧୀନରେ ରହିଛି ସେଠି ମଧ୍ୟ ପ୍ରକଳ୍ପ ଶୂନ। ଅନେକ ଦିନରୁ କହାଯାଉଛି, ଦୁଇଟି ଆପାର୍ଟମେଣ୍ଟରେ ୩୦୦ରୁ ଅଧିକ ଆବାସିକ ଗୃହ ନିର୍ମାଣ ହେବ ଓ ତଳ ମହଲାରେ ବାଣିଜ୍ୟିକ ଅନୁଷ୍ଠାନ ଖୋଲିବ। ଏଥିପାଇଁ ବାସନ୍ତୀ କଲୋନି ଜିଏମ୍‌ ବ୍ଲକ ସମ୍ମୁଖ ୦.୭୫ ଏକର ଓ ନିଜସ୍ବ ଅଫିସ୍‌ର ୦.୫୨ ଏକର ଜାଗାରେ ଗୋଟିଏ ଲେଖାଏଁ ଚାରି ମହଲା ଆପାର୍ଟମେଣ୍ଟ ନିର୍ମାଣ ଯୋଜନା ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ବି ପଡ଼ିନାହିଁ। ଏ ସଂକ୍ରାନ୍ତରେ ଆର୍‌ଡିଏର ସଚିବ ଚନ୍ଦ୍ରକାନ୍ତ ମଲ୍ଲିକ କହିଛନ୍ତି, ଛେଣ୍ଡ ଓ ସିଭିଲଟାଉନ୍‌ସିପ୍‌ରେ ବାସଗୃହ ପ୍ରକଳ୍ପ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ମାତ୍ରେ କାମ ଆରମ୍ଭ ହେବ। ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ୨ ବିଏଚ୍‌କେ ଓ ୩ ବିଏଚ୍‌କେ ବାସଗୃହ ଖୁବ୍‌ଶୀଘ୍ର ନିର୍ମାଣ ହେବ।