ରାଉରକେଲା : ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ) ଏବେ କିଛି ସରକାରୀ ଅଫିସର ଥଇଥାନ କେନ୍ଦ୍ର ପାଲଟିଛି। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏସବୁ ସରକାରୀ ଅଫିସ୍ ଆର୍ଡିଏରେ ଚାଲିଛି। ଜାଗା ଦେଇଥିବା ସତ୍ବେ ମାସିକ ବିଦ୍ୟୁତ୍ ବିଲ୍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ଆର୍ଡିଏ ବହନ କରୁଛି। ଆଜି ପର୍ଯ୍ୟନ୍ତ ଖୋଲିଥିବା ଅନ୍ୟ ଅଫିସ୍ଗୁଡିକ ଟଙ୍କାଟିଏ ଆର୍ଡିଏକୁ ଦେଇ ନାହାନ୍ତି। ଅବଶ୍ୟ ଆର୍ଡିଏ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଦୁଇଟି ସରକାରୀ ଅଫିସ୍ର ବିଭାଗୀୟଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ହେଲେ ଦୁଇଟି ସରକାରୀ ଅଫିସ ଚିଠି ପାଇ ଚୁପ୍ ବସିଛନ୍ତି ବୋଲି ଆର୍ଡିଏ ଜଣେ ଅଧିକାରୀ କହିଛନ୍ତି।
ଗତ ପ୍ରାୟ ଦୁଇ ବର୍ଷ ତଳେ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରାଉରକେଲାରେ ଖୋଲିଲା। ରାଉରକେଲା ଅବକାରୀ ଅଫିସ୍ରେ ଆବଶ୍ୟକ ରୁମ୍ ନଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆର୍ଡିଏ ଅଫିସ୍ରେ ଚାଲିଲା। ସେମିତି ସେକ୍ଟର-୫ସ୍ଥ ପାନ୍ଥନିବାସ ପରିସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ମଧ୍ୟ ଚାଲିଥିଲା। ପାନ୍ଥନିବାସ ପୁନରୁଦ୍ଧାର କାର୍ଯ୍ୟବେଳେ ପର୍ଯ୍ୟଟନ କାର୍ଯ୍ୟାଳୟ ଆର୍ଡିଏକୁ ସ୍ଥାନାନ୍ତର ହୋଇଥିଲା। ଇତି ମଧ୍ୟରେ ପାନ୍ଥନିବାସ ଖୋଲି ସାରିଲାଣି। କିନ୍ତୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଆର୍ଡିଏରେ ସେମିତି ଚାଲିଛି। ତା’ର ବିଦ୍ୟୁତ୍ ବିଲ୍ ସମେତ ଅନ୍ୟାନ୍ୟ ଖର୍ଚ୍ଚ ଆର୍ଡିଏ ବହନ କରୁଛି। କେବଳ ଆର୍ଡିଏ ଅଫିସ୍ ନୁହେଁ ନୂଆ ବସ୍ଷ୍ଟାଣ୍ଡସ୍ଥିତ ସିଟି ବସ୍ କାର୍ଯ୍ୟାଳୟରେ ‘ମୋ ବସ୍ ’ କାର୍ଯ୍ୟାଳୟ ଚାଲିଛି। ଆର୍ଡିଏର ବିନା ଅନୁମତିରେ ‘ମୋ ବସ୍’ ପରିଚାଳନା ସଂସ୍ଥା (କ୍ରୁଟ୍)କୁ କିଏ ସିଟି ବସ୍ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛି, ତା’ର ଉତ୍ତର ଆର୍ଡିଏ ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। କ୍ରୁଟ୍ ସଂସ୍ଥା କେବଳ ଅଫିସ୍ ଭଡା ନୁହେଁ ଆଜି ପର୍ଯ୍ୟନ୍ତ ବସ୍ଷ୍ଟାଣ୍ଡରେ ‘ମୋ ବସ୍’ ପାର୍କି ଫି ମଧ୍ୟ ଦେଉ ନଥିବା ଆର୍ଡିଏର କର୍ମଚାରୀ କହିଛନ୍ତି। ଆର୍ଡିଏ ଅଧିକାରୀ ଏ ସଂକ୍ରାନ୍ତରେ କ୍ରୁଟ୍ ସଂସ୍ଥାକୁ ଚିଠି ଲେଖିଛନ୍ତି। ଫଳ କିନ୍ତୁ ଶୂନ।
ତେବେ କ୍ଷତିରେ ଚାଲୁଥିବା ଆର୍ଡିଏ ସଫେଇ ଦେଉଥିଲାବେଳେ, ଏମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଆର୍ଡିଏ ଅଫିସ୍ରେ ଚାଲିଥିବା ଏସବୁ ସରକାରୀ ଅଫିସ୍ ଉପରେ ଆର୍ଡିଏ କର୍ତ୍ତୃପକ୍ଷ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।