ବସ୍ ଷ୍ଟାଣ୍ଡରୁ ଆରଡ଼ିଏର ମାସିକ ଆୟ ୨ ଲକ୍ଷ, ୮୨ ଲକ୍ଷ ଭଡ଼ା ଆଦାୟ କରି ପୁଲିସ ବିଭାଗ ଦେଉନି

ରାଉରକେଲା: ପଶ୍ଚିମ ଓଡ଼ିଶାର ସର୍ବବୃହତ୍ତମ ରାଉରକେଲା ନୂଆ ବସଷ୍ଟାଣ୍ଡ। ୧୯୯୩ରେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆରଡ଼ିଏ) ପକ୍ଷରୁ ନିର୍ମାଣ ହୋଇଥିଲା ଏହି ବସ୍ ଷ୍ଟାଣ୍ଡ। ପ୍ରତିଦିନ ଏଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରକୁ ୪୦୦ରୁ ଅଧିକ ବସ୍ ଯାତାୟାତ କରୁଛି। ଷ୍ଟାଣ୍ଡରେ ଗାଡ଼ି ରଖିବାର ଏକ ନିର୍ଦ୍ଦିଷ୍ଟ ଭଡ଼ା ରଖା ଯାଇଛି। ଏହି ବସଷ୍ଟାଣ୍ଡରୁ ଆରଡିଏ ମାସକୁ ୨ ଲକ୍ଷ ଟଙ୍କା ଆୟ କରୁଛି। କିନ୍ତୁ ଭଡା ଟଙ୍କା ଆଦାୟ କରିବା ପାଇଁ ଆରଡ଼ିଏ ଗୃହରକ୍ଷୀ ବିଭାଗକୁ ଏହାକୁ ଭଡ଼ାସୂତ୍ରରେ ଦେଇଥିଲା। ୨୦୧୯ରୁ ପୁଲିସ ବିଭାଗ ଆରଡ଼ିଏକୁ କୌଣସି ଟଙ୍କା ଦେଉନାହିଁ। ଏନେଇ ଆରଡ଼ିଏ ପୁଲିସ ବିଭାଗକୁ ୩ ଥର ଚିଠି କରିଥିବାର ସୂଚନା ମିଳିଛି।

ସୂଚନା ଅନୁସାରେ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ୨୦୦୫ରେ ଗୃହରକ୍ଷୀ ବିଭାଗକୁ ବସ୍ ଷ୍ଟାଣ୍ଡ ଭଡ଼ା ସୂତ୍ରରେ ଦେଇଥିଲେ। ପ୍ରଥମେ ଗୃହରକ୍ଷୀ ବିଭାଗ ମାସିକ ୯୦ ହଜାର ଟଙ୍କା ଆରଡ଼ିଏ ବିଭାଗକୁ ଭଡ଼ା ଦେବା ପାଇଁ ଚୁକ୍ତି ହୋଇଥିଲା। ଗୃହରକ୍ଷୀ ବିଭାଗ ଜିଲ୍ଲା ପୁଲିସ ସହ ମିଶିବା ପରେ ଆରଡ଼ିଏ ୨୦୧୫ରେ ୨ ଲକ୍ଷ ଟଙ୍କା ଭଡ଼ା ବୃଦ୍ଧି ହୋଇଥିଲା। ଭଡ଼ା ଦେବା ପରେ ଅବଶିଷ୍ଟ ଟଙ୍କା ପୁଲିସ ବିଭାଗ ରଖୁଥିଲା। କିନ୍ତୁ ଆଜିକୁ ୩ ବର୍ଷ ହେବ ଆରଡ଼ିଏକୁ ଟଙ୍କା ଦେବା ବନ୍ଦ କରି ଦେଇଛି। ତେଣୁ ବର୍ତ୍ତମାନ ଆର୍‌ଡିଏର ପ୍ରାୟ ୮୨ ଲକ୍ଷ ଟଙ୍କା ପୁଲିସ ବିଭାଗ ଉପରେ ରହିଛି। ବକେୟା ଟଙ୍କା ଦେବାପାଇଁ ଆରଡ଼ିଏ ଗତ ଫେବ୍ରୁଆରି ମାସ ଭିତରେ ୩ ଥର ଚିଠି କଲାଣି। କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରକାଶ।

ଉଲ୍ଲେଖନୀୟ ଯେ ପ୍ରତିଦିନ ବସ୍ ଷ୍ଟାଣ୍ଡରୁ ପାର୍କିଂ ଭଡ଼ା ଭାବେ ୮ ରୁ ୧୦ ହଜାର ଟଙ୍କା ରୋଜଗାର ହେଉଛି। ବସ୍ ଷ୍ଟାଣ୍ଡ ଭିତରକୁ ଗାଡ଼ି ପ୍ରବେଶ ଦର ରହିଛି, ବାହାର ରାଜ୍ୟକୁ ଯାଉଥିବା ବସ୍-୫୦ ଟଙ୍କା, ଜିଲ୍ଲା ବାହାର ବସ୍ – ୩୦ ଟଙ୍କା, ସୁନ୍ଦରଗଡ଼ ଜିଲ୍ଲା ଭିତର ବସ୍‌-୨୦ ଟଙ୍କା, ମିନି ବସ୍-୧୦ ଟଙ୍କା, ଅଟୋ- ୫ ଟଙ୍କା, ଟ୍ରଲି ଓ ରିକ୍ସା ପାଇଁ-୨ ଟଙ୍କା ଗୃହରକ୍ଷୀମାନେ ଆଦାୟ କରୁଛନ୍ତି। ସମୟକ୍ରମେ ଭଡ଼ା ବୃଦ୍ଧି ପାଇବା କଥା ତାହା ମଧ୍ୟ ହୋଇନାହିଁ।

ସମ୍ବନ୍ଧିତ ଖବର