ପଟାଙ୍ଗି: କୋଟିଆରେ ସୀମା ବିବାଦ ଲାଗି ରହିଥିଲା ବେଳେ ସରକାରୀ ଯୋଜନାକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଆନ୍ଧ୍ର ଯୋଜନାକୁ ମାତ୍‌ ଦେବାକୁ ଓଡ଼ିଶା ପୂରା ଜୋର୍‌ ଲଗାଇ ଦେଇଛି। ଓଡ଼ିଶା ସରକାରଙ୍କ ଯୋଜନାରୁ ଯେମିତି କୋଟିଆ ପଞ୍ଚାୟତର ଜଣେ ବି ହିତାଧିକାରୀ ବାଦ୍‌ ପଡ଼ିବେ ନାହିଁ ‌ସେଥିପ୍ରତି ପ୍ରଶାସନ ଗୁରୁତ୍ବ ଦେଇଛି। କୋରାପୁଟ ଜିଲ୍ଲା ଗସ୍ତରେ ଥିବା ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ କେଶରୀ ମହାପାତ୍ର ଆଜି କୋଟିଆରେ ପହଞ୍ଚି ଓଡ଼ିଶା ସରକାରଙ୍କ ଯୋଜନା ବିତରଣ କରିଛନ୍ତି। କୋଟିଆ ପଞ୍ଚାୟତର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ମଧ୍ୟ ଦେଇଛନ୍ତି।
ପୂର୍ବରୁ କୋଟିଆ ପଞ୍ଚାୟତରେ ସର୍ଭେ କରି କିଛି ଦିନ ତଳେ ୫୦ଜଣ ହିତାଧିକାରୀଙ୍କୁ ଡିଜିଟାଲ୍‌ ରାସନ୍‌ କାର୍ଡ ବିତରଣ କରିଥିଲା ଆନ୍ଧ୍ର। ଏହି କାର୍ଡରେ ହିତାଧିକାରୀଙ୍କୁ ମାସିକ ୩୫ କିଲୋ ଚାଉଳ, ତେଲ, ସାବୁନ, ଡାଲି ଏବଂ ପ୍ରସୂତିଙ୍କୁ କ୍ଷୀର ମିଳୁଛି। ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଓଡ଼ିଶା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଆନ୍ଧ୍ରର ଯୋଜନା କାର୍ଯ୍ୟକାରୀକୁ ନେଇ ବିଭିନ୍ନ ସଫେଇ ଦିଆଗଲା, କିନ୍ତୁ ଆନ୍ଧ୍ରର ଅନୁପ୍ରବେଶ ବନ୍ଦ ହୋଇନଥିବା ପରୋକ୍ଷରେ ସ୍ବୀକାର କରିଥିଲା ପ୍ରଶାସନ। ଅନ୍ୟପକ୍ଷରେ ଦୁଇ ରାଜ୍ୟର ଯୋଜନାରେ ବଡ଼ ଫରକ ରହିଛି। ଓଡ଼ିଶାଠାରୁ ଆନ୍ଧ୍ର ଯୋଜନାରେ ଅଧିକ ମିଳୁଛି। ଯାହାକୁ ଖୋଲାଖୋଲି କହୁଛନ୍ତି କୋଟିଆରେ ରହୁଥିବା ହିତାଧିକାରୀ। ତେବେ ଆନ୍ଧ୍ର ଯୋଜନାକୁ କଡ଼ା ଟକ୍କର ଦେବାକୁ ଓଡ଼ିଶା ଏବେ ଅଣ୍ଟା ଭିଡ଼ିଛି। 

Advertisment

ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ କେଶରୀ ମହାପାତ୍ର କୋଟିଆ ଗ୍ରାମପୁଞ୍ଜ ପରିଦର୍ଶନ କରିଛନ୍ତି। କୋଟିଆ ପଞ୍ଚାୟତ ମହକୁମା ସହ ଗଞ୍ଜେଇପଦର ଗାଁରେ ସେ ସମୟ ବିତାଇଥିଲେ। ଏହି ଅବସରରେ ଗଞ୍ଜେଇପଦର ଗାଁର ହିତାଧିକାରୀଙ୍କୁ ଜବ୍‌କାର୍ଡ ସହ ନୂଆ ହିତାଧିକାରୀଙ୍କୁ ଭତ୍ତା, ରାସନ କାର୍ଡ, ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଋଣ ଏବଂ ଜଙ୍ଗଲ ଜମି ପଟ୍ଟା ବିତରଣ କରିଥିଲେ। ପରେ କୋଟିଆରେ ନିର୍ମାଣ ହୋଇଥିବା ସରକାରୀ ଡାକବଙ୍ଗଳାରେ ଜିଲ୍ଲା ପ୍ରଶାସନ ସହ ରୁଦ୍ଧଦ୍ବାର ‌ବୈଠକ କରିଥିଲେ। ତେବେ କ’ଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇପାରିନି। ଯାହା ଜଣାପଡ଼ିଛି, ଆନ୍ଧ୍ରକୁ ରୋକିବା ସହ କୋଟିଆବାସୀଙ୍କୁ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଆରଡିସି ପରାମର୍ଶ ଦେଇଛନ୍ତି। ଦେଓମାଳିରେ ବନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା କଟେଜ୍‌ରେ କିଛି ସମୟ ବିତାଇ ଚାରାରୋପଣ କରିଥିଲେ। ଆର୍‌ଡିସିଙ୍କ ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋଟିଆ ସରପଞ୍ଚ ଲିୟୁ ଗେମେଲ୍‌, ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ଏଇଇ ବିଶ୍ୱନାଥ ମାଦେଲି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।