ଜୟପୁର: ଉଡାନ ଯୋଜନାରେ ନିର୍ମାଣାଧୀନ ଜୟପୁର ଏୟାରଷ୍ଟ୍ରିପ ସଂପ୍ରସାରଣ କାମର ତଦାରଖ କରିଛନ୍ତି ଦକ୍ଷିଣାଂଚଳ ଆରଡିସି ଟି.ଆଓ। ତାଙ୍କ ସହ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ହେମକାନ୍ତ ସୟ, ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଅରୁଣ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ଇଂ. ଭାସ୍କର ସାମନ୍ତରାୟ, ଏସଡିଓ ଇଂ.ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଉଡାନ-୧ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ ରନୱେର ଲମ୍ବ ୯୧୫ ମିଟର ଏବଂ ଚଉଡା ୨୩ ମିଟର କରିବାକୁ ପ୍ରଥମେ ନିଷ୍ପତି ନିଆ ଯାଇଥିଲା । ଏହି କାମ ଶେଷ ହେବା ପରେ ପରବର୍ତୀ ସମୟରେ ଏହାର ସଂପ୍ରସାରଣ କରିବାକୁ ପୁଣି ପ୍ରସ୍ତାବ ଆସିଲା । ସେହି ସମୟରେ ରନୱେକୁ ୧୨୦୦ ମିଟର ଲମ୍ବା ଓ ଚଉଡାକୁ ୩୦ ମିଟର କରିବାକୁ ଅଟକଳ କରି ଟେଣ୍ଡର ଆହ୍ୱାନ କରି ଠିକାଦର ସହ ଚୁକ୍ତି ନାମା କରାଯିବା ସହ କାମ ଆରମ୍ଭ ହୋଇଛି। ରନୱେକୁ ୧୨୦୦ ମିଟର ପରିବର୍ତେ ୧୫୦୦ ମିଟର କରିବାକୁ ଯୋଜନା କରିଛି ଜୟପୁର ପୂର୍ତ୍ତ ବିଭାଗ । ୧୫୦୦ ମିଟର ସଂପ୍ରସାରଣ ହେଲେ ୭୨ ସିଟ ବିଶିଷ୍ଟ ବିମାନ ଚଳାଚଳ କରି ପାରିବ। ନଚେତ କେବଳ ୧୮ସିଟ ହିଁ ଚଳାଚଳ କରିବ। ତେବେ ଏହି ସଂପ୍ରସାରଣ ଯୋଜନାରେ ବାଧକ ସାଜିଛି କୋଲାବ ଜଳସେଚନ ପ୍ରକଳ୍ପର କେନାଲ ।

ଏୟାରଷ୍ଟ୍ରିପ ପାର୍ଶ୍ବ ଦେଇ ଯାଇଥିବା ଧନପୁର ସବମାଇନର କେନାଲ ଉପରେ ସଂପ୍ରସାରଣ ହେଉଥିବା ୧୫୦୦ ମିଟର ରନୱେ ନିର୍ମାଣ କେମିତି ହେବ, ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। କେନାଲର ଗତି ପଥକୁ ପରିବର୍ତନ କରି ରନୱେ ନିର୍ମାଣ କରିବାକୁ ଉପର କୋଲାବ ଡିଭିଜିନର ସର୍ବୋଚ୍ଚ ଯନ୍ତ୍ରୀ ଓ ପୂର୍ତ ବିଭାଗର ଯନ୍ତ୍ରୀ ମାନଙ୍କ ମଧ୍ୟରେ ବି ଆାଲୋଚନା ହୋଇଥିବା ସଂପର୍କରେ ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଆରଡିସିଙ୍କୁ ସୂଚନା ଦେଇଥିଲେ। କେନାଲର ଗତି ପଥ ବଦଳାଇବାକୁ ନକ୍ସା ତିଆରି କରି ସୌରାଗୁଡାରୁ ଗାଗନାପୁର ଦେଇ ଅନ୍ତା ଡିଷ୍ଟ୍ରିବ୍ୟୁର ଯାଏ ନୁତନ କେନାଲ ନିର୍ମାଣ ଯୋଜନା କରିବାକୁ କୋଲାବ ଓ ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ।

ଗତି ପଥ ବଦଳାଇବା ପ୍ରକ୍ରିୟାରେ ଜମି ଅଧିଗ୍ରହଣ କରିବାକୁ ବହୁ ସମୟ ଚାଲିଯିବ ଏବଂ ବିମାନ ସଂପ୍ରସାରଣ କାମ ବିଳମ୍ବ ହେବ। ସଂପ୍ରସାରଣ କରା ଯାଉଥିବା ରନୱେ ପାଇଁ ଜିମି ଅଧିଗ୍ରହଣ କରି କେନାଲ ଗତି ପଥ ବଦଳା ଯିବ ନାଁ ପୂର୍ବ ଅବସ୍ଥିତି ପୁରୁଣା କେନାଲ ଉପରେ ନିର୍ମାଣ ହେବ ତାକୁ ନେଇ ଆରଡିସିଙ୍କ ସହ ବିସ୍ତୃତ ଆଲୋଚନା କରା ଯାଇଥିଲା। ସଂପ୍ରତି ୧୫୦୦ ମିଟର ରନୱେ ସଂପ୍ରସାରଣ ହେଲେ ଧନପୁର ଡିଷ୍ଟ୍ରିବ୍ୟୁଟେରୀର ୧୮୦ ମିଟର କେନାଲ ଉପରେ ପାଚଂ ଫୁଟର କାନ୍ଥ ଉଠାଇ ତାହାରି ଉପରେ ନିର୍ମାଣ କରିବାକୁ ଆରଡିସିଙ୍କ ସହ ଆଲୋଚନା ହେଇଥିବା କହିଛନ୍ତି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ସାମନ୍ତରାୟ।