ଭଦ୍ରକ: ଗତ ୨୪ ତାରିଖ ଦିନ ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ୪ଟି ୱାର୍ଡ ଅନ୍ତର୍ଗତ ୬ଟି ବୁଥ୍ରେ ମତଦାନ ସମୟରେ ହିଂସାକାଣ୍ଡ ହୋଇଥିଲା। କିଛି ଅସାମାଜିକ ବ୍ୟକ୍ତି ବୁଥ୍ ଭିତରେ ପଶି ମାର୍ପିଟ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଇଭିଏମ୍କୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏନେଇ ଖବର ପାଇବା ପର ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ଏହି ଘଟଣାରେ ବିଭିନ୍ନ ରାଜନୈତିକ ଦଳର ୪ ଜଣ ଆହତ ହୋଇଥିଲେ। ସେହିପରି ଜଣେ ବ୍ୟକ୍ତିଙ୍କୁ ଛୁରା ମାଡ଼ ହୋଇଥିଲା। ଫଳରେ ଏନ୍ଏସିର ୩,୮,୯,୧୬, ୧୭ ଓ ୧୮ ନମ୍ବର ବୁଥ୍ରେ ମତଦାନ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଉକ୍ତ ବୁଥ୍ଗୁଡ଼ିକରେ ସାନି ମତଦାନ ହେବା ନେଇ ଜଣାପଡ଼ିଛି। ଏପ୍ରିଲ୍ ୫ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି। ପରଦିନ; ଅର୍ଥାତ୍ ୬ ତାରିଖ ଦିନ ଭୋଟ୍ ଗଣତି ହେବା ସହ ଫଳ ପ୍ରକାଶ ପାଇବ। ସାନି ନିର୍ବାଚନ ପାଇଁ ପୁଲିସ ଓ ପ୍ରଶାସନ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛି।