ଅଭୟଙ୍କୁ ପୁଣି ନିଯୁକ୍ତି, ଅବସର ପରେ ଦ୍ବିତୀୟ: ଷ୍ଟାଫ୍ ସିଲେକ୍ସନ କମିସନ୍ ଅଧ୍ୟକ୍ଷ ହେଲେ

କ୍ଷମତା କରିଡର୍‌ରେ ଜୋର୍‌ ଧରିଲା ଚର୍ଚ୍ଚା

ଭୁବନେଶ୍ବର: ପୂର୍ବତନ ଡିଜି ଅଭୟଙ୍କୁ ଆଜି ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି। ତାଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଭୟଙ୍କ ଏହି ନିଯୁକ୍ତି କ୍ଷମତା କରିଡର୍‌ରେ ଚର୍ଚ୍ଚାର ବିଷୟ ହୋଇଛି। ଡିଜି ପଦବିରୁ ଅବସର ପରେ ଏକ ନୂଆ ପଦବିରେ ନିଯୁକ୍ତି ପାଇଥିବା ଅଭୟଙ୍କୁ ପୁଣି କାହିଁକି ଆଉ ଗୋଟିଏ ନିଯୁକ୍ତି ଦେବାର ଆବଶ୍ୟକତା ପଡ଼ିଲା, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨୦୨୧ ଡିସେମ୍ବର ୩୧ ତାରିଖରେ ଅଭୟ ଅବସର ଗ୍ରହଣ କଲେ। ସେହିଦିନ ହିଁ ତାଙ୍କୁ ରାଜ୍ୟ ନାର୍କୋଟିକ୍ ଡ୍ରଗ୍ସ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତି ଦେଲେ। ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ବି ଦିଆଗଲା। ଓଡ଼ିଶାରେ ନାର୍କୋଟିକ୍ ଡ୍ରଗ୍ସର ବ୍ୟବହାର ଓ ଚାଲାଣକୁ ରୋକିବା ପାଇଁ ସେ କାର୍ଯ୍ୟ କରିବେ ବୋଲି କୁହାଗଲା। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିଲା ବେଳେ ଅଭୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମହାନିର୍ଦ୍ଦେଶକ ଥିବାରୁ ତାଙ୍କ ଅଭିଜ୍ଞତାରୁ ଓଡ଼ିଶା ବେଶ୍ ଫାଇଦା ପାଇବ ବୋଲି ଏକ ଧାରଣା ଦିଆଗଲା। ଗୁରୁତ୍ବପୂଣ୍ଣ କଥା ହେଉଛି ଅଭୟଙ୍କ ନିଯୁକ୍ତି ପୂର୍ବରୁ ଏପରି ଏକ ଟାସ୍କଫୋର୍ସ ହିଁ ଓଡ଼ିଶାରେ ନ ଥିଲା। ଅବସର ପରେ ବରିଷ୍ଠ ଅଧିକାରୀଙ୍କୁ ଥଇଥାନ ପାଇଁ ସରକାରଙ୍କ ନିକଟରେ ବହୁ ପଦବି ଥିଲା ବେଳେ ଅଭୟଙ୍କୁ କାହିଁକି ଏପରି ଏକ ଅତର୍କିତ ନିଯୁକ୍ତି ଦିଆଗଲା, ତାହା ବୁଝିପଡ଼ିଲାନି। ଖୋଦ୍ ପୁଲିସ୍ ବିଭାଗରେ ମଧ୍ୟ ଏପରି ନିଯୁକ୍ତିରେ ସମସ୍ତ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଅଭୟଙ୍କର କାମ କ’ଣ ହେବ ଓ କ୍ଷମତା କେତେଦୂର ରହିବ, ସେ ସମ୍ପର୍କରେ ତାଙ୍କ ନିଯୁକ୍ତିରେ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ ନ ଥିଲା। ନିଯୁକ୍ତି ବେଳେ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ନାର୍କୋଟିକ୍ ଡ୍ରଗ୍ସ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ଅଭୟଙ୍କ ନିଯୁକ୍ତିକୁ ପାଖାପାଖି ସାଢ଼େ ତିନି ମାସ ହେଲାଣି। ଏହା ଟାସ୍କଫୋର୍ସ କି କାମ କରୁଛି ଓ ଓଡ଼ିଶାରେ ନାର୍କୋଟିକ୍ ଡ୍ରଗ୍ସ କାରବାର ରୋକିବାକୁ କି ପଦକ୍ଷେପ ନିଆଯାଇଛି, ତାହା ଅନ୍ଧାରରେ ରହିଗଲା। ଏପରିକି ଅଭୟଙ୍କର କାର୍ଯ୍ୟାଳୟ କେଉଁଠି, ତାହାର ଠିକଣା ବି କେହି ପାଇଲେନି। ସରକାରଙ୍କର ଏପରି ବିଚିତ୍ର ନିଯୁକ୍ତିକୁ ନେଇ ବିଭିନ୍ନ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହେଲା। ଖୋଦ୍ ପ୍ରଶାସନିକ ଓ ପୁଲିସ ବିଭାଗରେ ମଧ୍ୟ ଅସନ୍ତୋଷ ସୃଷ୍ଟି ହେଲା। ଏବେ ଅଭୟଙ୍କ ନୂଆ ନିଯୁକ୍ତି ଏହି ବିତର୍କକୁ ଦାନା ଦେଇଛି।

ପ୍ରଶ୍ନ ଉଠୁଛି, ସତରେ କ’ଣ ନାର୍କୋଟିକ୍ ଡ୍ରଗ୍ସ କାରବାରକୁ ରୋକିବା ପାଇଁ ସରକାର ଯୋଜନବାଦ୍ଧ ନିଷ୍ପତ୍ତି ନେଇଥିଲେ?

କେବଳ ଅଭୟଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏମିତି ମନଇଚ୍ଛା ପଦବି ସୃଷ୍ଟି କରାଯାଇଥିଲା କି?

ଯଦି ଟାସ୍କଫୋର୍ସ ଗଢ଼ିଥିଲେ ଓ ସରକାରଙ୍କର ଆନ୍ତରିକତା ଥିଲା, ତେବେ ଅଭୟଙ୍କ ପରେ ସେହି ସଂସ୍ଥାର ନେତୃତ୍ବ କିଏ ନେବ?

ଯଦି ସେପରି କିଛି ନେତୃତ୍ବର ଆବଶ୍ୟକତା ନାହିଁ, ତେବେ ମୁଖ୍ୟ ଶାସନ ସଚିବ ପାହ୍ୟା ଦିଆଯାଇ ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ କରିବା କେତେଦୂର ଯୁକ୍ତିଯୁକ୍ତ ଥିଲା?

ଅଭୟଙ୍କ ନିଯୁକ୍ତି ପଛରେ ଆଉ କିଛି ବାଧ୍ୟବାଧକତା ସରକାରଙ୍କର ଥିଲା କି?

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନିଯୁକ୍ତି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ର ଅଧ୍ୟକ୍ଷ ପଦବିରେ ଅଭୟ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ହେବା ପର୍ଯ୍ୟନ୍ତ କାମ କରିବେ। ଯେହେତୁ ଆସନ୍ତା ବର୍ଷ ଜୁନ୍‌ରେ ଅଭୟଙ୍କୁ ୬୨ ବର୍ଷ ପୂରିଯିବ, ତେଣୁ ସେ ପାଞ୍ଚ ବର୍ଷ ସେହି ପଦବିରେ କାମ କରିବାର ସମ୍ଭାବନା ନାହିଁ। କମିସନ୍‌ର ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ମାତ୍ର ୧୪ ମାସ ରହିବ।

ସମ୍ବନ୍ଧିତ ଖବର