ଏଏନ୍‌ଏମ୍‌ କର୍ମଚାରୀଙ୍କୁ ପୁନଃନିଯୁକ୍ତି ନେଇ ଶୂନ୍ୟକାଳରେ ହଟ୍ଟଗୋଳ

କାମ ସରିବା ପରେ ସରକାର ସେମାନଙ୍କୁ ଫୋପାଡ଼ିଦେଲେ: ବିରୋଧୀ
୨ ଦିନ ଭିତରେ ସ୍ବାସ୍ଥ୍ୟ ମନ୍ତ୍ରୀ ବିବୃତି ରଖିବାକୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ବର : କୋଭିଡ୍‌ ମହାମାରୀ ସମୟରେ ଏଏନ୍‌ଏମ୍‌ କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ରୋଗୀ ସେବା କଲେ। ଏବେ ସରକାର ସେମାନଙ୍କୁ ବାହାରି କରିଦେଇଛନ୍ତି। ଦୀର୍ଘଦିନ ହେଲାଣି ପୁନଃନିଯୁକ୍ତି ଦାବିରେ ସେମାନେ ରାଜଧାନୀରେ ଧାରଣା ଦେଇଛନ୍ତି। ଅଥଚ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ସେମାନଙ୍କୁ ପୁଣି ଥରେ ସରକାର ନିଯୁକ୍ତି ଦିଅନ୍ତୁ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ଦାବି କରିବା ସହିତ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରସଙ୍ଗ ଉଠାଇ କହିଥିଲେ, ଏଏନ୍‌ଏମ୍‌ କର୍ମୀମାନେ ରାସ୍ତାଉପରେ ବସିଛନ୍ତି। କରୋନା ସଂକ୍ରମଣ ବେଳେ ରୋଗୀ ସେବା ପାଇଁ ସରକାର ବିଧିବଦ୍ଧ ବିଜ୍ଞପ୍ତି କରି ଏମାନଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଇଥିଲେ। ପ୍ରତି ପଞ୍ଚାୟତ ଓ ସହରାଞ୍ଚଳରେ ଏଏନ୍‌ଏମ୍‌ମାନଙ୍କୁ ନିୟୋଜିତ କରାଗଲା। ୧୪ ବର୍ଷ ହେଲାଣି ରାଜ୍ୟରେ ଶହ ଶହ ଏଏନ୍ଏମ୍‌ ଓ ଟେକ୍ନିସିଆନ୍‌ ପଦବି ଖାଲିପଡ଼ିଛି। ଫଳରେ ରୋଗୀ ସେବା ବି ବ୍ୟାହତ ହେଉଛି। ଏହି ସ୍ବାସ୍ଥ୍ୟ କର୍ମୀମାନେ ପ୍ରଶିକ୍ଷିତ ପ୍ରାପ୍ତ ହୋଇଥିଲେ ବି କେବଳ କରୋନା ବେଳେ ସେମାନଙ୍କୁ ବ୍ୟବହାର କରି ଏବେ ସରକାର ସେମାନଙ୍କୁ ଫୋପାଡ଼ି ଦେଇଛନ୍ତି। ଏହା ଆଦୌ ଯୁକ୍ତି ସଂଗତ ନୁହେଁ। ଏମାନଙ୍କ ପାଇଁ ସରକାର ବିଚାର କରନ୍ତୁ। ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଏବେ ସେମାନେ ଖରା ବର୍ଷାରେ ରାଜଧାନୀରେ ପଡ଼ିରହିଛନ୍ତି। ସରକାର ସେମାନଙ୍କ ପ୍ରତି ନ୍ୟାୟ କରିବା ଦରକାର। ତୁରନ୍ତ ସେମାନଙ୍କ ପୁଃନନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ରଖନ୍ତୁ ବୋଲି ଶ୍ରୀ ବାହିନୀପତି ଦାବି କରିଥିଲେ।

ବିରୋଧୀଙ୍କ ଦାବି ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇ କହିଥିଲେ, ସ୍ବାସ୍ଥ୍ୟ ମନ୍ତ୍ରୀ ଏ ସମ୍ପର୍କରେ ଆଗାମୀ ଦୁଇ ଦିନ ଭିତରେ ଗୃହରେ ବିବୃତି ରଖିବେ। ମନ୍ତ୍ରୀଙ୍କ ବିବୃତି ନୁହେଁ, ପୁନଃନିଯୁକ୍ତି ନେଇ ବିରୋଧୀ ସରକାର ନିର୍ଭର ପ୍ରତିଶ୍ରୁତି ଦେବାକୁ ଦାବି କରିଥିଲେ। ବାଚସ୍ପତି ବିରୋଧୀ ସଦସ୍ୟଙ୍କ କଥା ନ ଶୁଣିବାରୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି କିଛି ସମୟ ପାଇଁ ପାଟିତୁଣ୍ଡ କରିଥିଲେ। ପରେ ବାଚସ୍ପତି ଶ୍ରୀ ପାତ୍ର ମନ୍ତ୍ରୀଙ୍କ ବିବୃତିକୁ ଅପେକ୍ଷା କରନ୍ତୁ ବୋଲି କହି ବୁଝାସୁଝା କରିବାରୁ ଗୃହ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର