ଅବସର ପରେ ଅନୁକମ୍ପା! ବିଭିନ୍ନ ବିଭାଗରେ ଏକାଧିକ ଅବସରପ୍ରାପ୍ତ ବାବୁଙ୍କୁ ପୁନଃ ନିଯୁକ୍ତି

ଭୁବନେଶ୍ୱର : ଓଡ଼ିଶାରେ ବେକାରି ସମସ୍ୟା କିଛି କମ୍ ନାହିଁ। ରାଜ୍ୟରେ ଗଢ଼ି ଉଠିଥିବା ଶିଳ୍ପସଂସ୍ଥାରେ ଓଡ଼ିଆ ଯୁବକଙ୍କ ନିଯୁକ୍ତି ସଂକ୍ରାନ୍ତ ସରକାରଙ୍କ ସର୍ତ୍ତ ଅନୁପାଳନ ଏବେ ବି ବିତର୍କ ଭିତରେ। ରାଜ୍ୟ ସରକାର ଦକ୍ଷତା ବିକାଶ ଜରିଆରେ କର୍ମସଂସ୍ଥାନ ସୃଷ୍ଟି ପାଇଁ ଯେଉଁ ସ୍ବପ୍ନ ଦେଖାଇଥିଲେ, ତାହାର ଫଳ ଏଯାଏ ଅଜଣା ରହିଛି। ଠିକ୍ ଏମିତି ସମୟରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟଟି ସାମ୍ନାକୁ ଆସିଛି, ତାହା ହେଲା, ବେକାର ଯୁବକଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ କାଳକ୍ଷେପଣ ନୀତି ଗ୍ରହଣ କରି ଆସୁଥିବା ସରକାର କିନ୍ତୁ ତେଲିଆ ମୁଣ୍ଡରେ ତେଲ ଢାଳିବା ନ୍ୟାୟରେ ବିଭିନ୍ନ ପଦ ପଦବିରେ ଅବସରପ୍ରାପ୍ତ ବାବୁଙ୍କୁ ଥଇଥାନ କରିବା ଲାଗି ଆଦୌ ସଙ୍କୋଚ କରୁନାହାନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟସଚିବଙ୍କ କଟକଣାକୁ ତାଙ୍କ ଅଫିସ୍ ମାନୁନି କି ଅନ୍ୟ କୌଣସି ବିଭାଗ। ଗତ ଦୁଇ ତିନିବର୍ଷର ତଥ୍ୟକୁ ଓଲଟାଇ ଦେଖିଲେ, ଏକଥା ଜଳ ଜଳ ହୋଇ ଦିଶୁଛି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପୂର୍ତ ବିଭାଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅବସରପ୍ରାପ୍ତଙ୍କ ପ୍ରତି ସରକାରୀ ବଡ଼ ବାବୁମାନଙ୍କ ଅନୁକମ୍ପା କାହିଁରେ କେତେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଥା ପ୍ରଥମେ ନିଆଯାଉ। ଏଠାରେ ସବୁଠାରୁ ବରିଷ୍ଠ ଅଧିକାରୀ ଭାବେ ଜଣେ ପ୍ରମୁଖ ସଚିବ ପାହ୍ୟାର ଅଫିସର ଅବସ୍ଥାପିତ ହେଉଥିଲେ; ଯାହା ଅତ୍ୟନ୍ତ ଜରୁରୀ ବି। ଗତ ସରକାର ସମୟରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟସଚିବ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦେଇ ଏହି ପଦବିର ଗୁରୁତ୍ବ ଆହୁରି ବଢ଼ାଇ ଦେଇଥିଲେ। ହେଲେ ଏପାଳିରେ କାହିଁକି କେଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନିଜର ପ୍ରମୁଖ ସଚିବ ପଦବିକୁ ଆଉ ପୂରଣ କରିବାକୁ ଚାହିଁନାହାନ୍ତି। ବରଂ ତୃତୀୟ ମହଲାରେ ଆଉ ଗୋଟିଏ ନୂଆ ପଦବି ସୃଷ୍ଟି ହୋଇଛି ଓ ସେଥିରେ ପୂର୍ବତନ ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ବାଲକ୍ରିଷ୍ଣନ୍‌ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇବାରେ କୌଣସି ଅସ୍ବାଭାବିକତା ନାହିଁ। କିନ୍ତୁ ପ୍ରମୁଖ ସଚିବ ପାହ୍ୟାର ଅଧିକାରୀ ଯେଉଁ କାମ କରୁଥିଲେ, ସେ କାମଟି ଏବେ କିଏ ଦେଖୁଛନ୍ତି? ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଆଇଏଏସ୍ ଦିଲ୍ଲୀପ କୁମାର ମହାନ୍ତିଙ୍କ ଚାକିରି ଅବଧିକୁ ଥର ଥର କରି ବର୍ଷେ ଲେଖାଏଁ ଚାରିଥର ବୃଦ୍ଧି କରାଯାଇଥିଲା। ନିକଟରେ ତାଙ୍କର କାର୍ଯ୍ୟ ଅବଧି ଶେଷ ହୋଇଛି। ପ୍ରଦୀପ କୁମାର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ପୁନଃ ନିଯୁକ୍ତି ଦିଆଯାଇଛି। ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଏଭଳି ସ୍ଥିତି ହେବ, ସେତେବେଳେ ଅନ୍ୟ ବିଭାଗକୁ କିଏ ଆଙ୍ଗୁଠି ଉଠାଇବ?

ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଫିସର ଦୀପକ କୁମାର ମହାନ୍ତିଙ୍କ କ୍ଷେତ୍ରରେ ପୁନଃ ନିଯୁକ୍ତି ନିୟମ ସୀମା ସରହଦ ଟପିଯାଇଛି। କେତେବେଳେ ୬ମାସ, ଆଉ କେବେ ୩ମାସ, ଏହିଭଳି ମୋଟ ୮ଥର ତାଙ୍କୁ ନିଯୁକ୍ତି ଦିଆଯାଇଛି। ଶେଷଥର ପାଇଁ ସରକାର ତାଙ୍କୁ ଗତ ଜୁଲାଇ ପହିଲାରେ ବର୍ଷକ ପାଇଁ ଖଣି ବିଭାଗରେ ନିଯୁକ୍ତି ଦେଇଛନ୍ତି। ଏହି ଗୋଟିଏ ଦୁଇଟି ଘଟଣା ନୁହେଁ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ହେମନ୍ତ ପାଢୀଙ୍କୁ ୨୦୨୦ ମାର୍ଚ୍ଚ ୬ ତାରିଖରୁ ୨ବର୍ଷ ପାଇଁ, ବିଶ୍ବନାଥ ଆଚାର୍ଯ୍ୟଙ୍କୁ ଗତ ଏପ୍ରିଲ ପହିଲାରୁ ୬ମାସ, ତ୍ରିବିକ୍ରିମ ପ୍ରଧାନଙ୍କୁ ମେ’ ପହିଲାରୁ ବର୍ଷେ, ହରି ବଲ୍ଲଭ ମିଶ୍ରଙ୍କୁ ୨୦୧୯ ମେ’ ପହିଲାରୁ ୩ମାସ, ରାଜ କିଶୋର ଦାସ ଓ ଶ୍ରୀକାନ୍ତ କବିଙ୍କୁ ୨୦୧୯ ମାର୍ଚ୍ଚ ପହିଲାରୁ ପୁଣି ଥରେ ପୁନଃ ନିଯୁକ୍ତି ଦିଆଯାଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି।

ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଡ. ଅଖିଳ ବିହାରୀ ଓତା ଜଣେ ପ୍ରଭାବୀ ଅଧିକାରୀ ଥିଲେ। ୨୦୧୭ ଅକ୍ଟୋବର ପହିଲାରୁ ତାଙ୍କୁ ପୁନଃନିଯୁକ୍ତି ୪ବର୍ଷ ଯାଏ ଦିଆଯାଇଥିଲା। ଚୂଡାମଣି ସେଠ୍‌ ବି ୨୦୧୮ ଜୁନ୍ ୧୧ରୁ ୨ବର୍ଷ ପାଇଁ ନିଯୁକ୍ତି ପାଇଥିଲେ। ଏହି ତାଲିକା ବେଶ୍ ଲମ୍ବା। ଓଏଏସ୍ ଅଫିସରଙ୍କ କ୍ଷେତ୍ରରେ ବି ବିନୋଦ ବିହାରୀ ମହାନ୍ତି, ପଦ୍ମଲୋଚନ ବେହେରା, ଶ୍ରୀବତ୍ସ କୁମାର ଜେନା, ଖଗେନ୍ଦ୍ର କୁମାର ପାଢୀଙ୍କ ନାମ ପୁନଃ ନିଯୁକ୍ତି ତାଲିକାରେ ରହିଛି। ପୂର୍ବତନ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ, ଭରତ ଚନ୍ଦ୍ର ବେହେରାଙ୍କୁ ବି ପୂର୍ତ ବିଭାଗରେ ପୁନଃ ନିଯୁକ୍ତି ଦିଆଯାଇଥିଲା।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆହୁରି କହୁଛି ଯେ ଅନୁସୂଚିତ ଜାତି ଏବଂ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୬ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି, ଓଏସ୍‌ଡି ଭାବେ। ଜଳସଂପଦ ବିଭାଗରେ ପ୍ରଥମ ଶ୍ରେଣୀ ବର୍ଗର ୨୦ ଜଣ, ଇଡ୍‌କୋ ଆଦିରେ ୯୬ ଜଣ, ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ୪୨ଜଣ ଏହିଭଳି ଭାବେ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।

ପ୍ରଶ୍ନ ଉଠୁଛି, ଯଦି ଅଫିସରମାନେ ଅବସରପରେ ବି କାର୍ଯ୍ୟ କରିବାର ସାମର୍ଥ୍ୟ ରଖୁଛନ୍ତି, ତେବେ ସରକାର ଅବସର ବୟସମୀମା ବୃଦ୍ଧି କରିବାରେ ଅସୁବିଧା କେଉଁଠି? ଏଭଳି ନ କରି ବର୍ଷ ପରେ ବର୍ଷ ପୁନଃ ନିଯୁକ୍ତି ଦେବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନି। କେବଳ ସେତିକି ନୁହେଁ, ଗୋଟିଏ ପଟେ ରାଜ୍ୟ ସରକାର ଆର୍ଥିକ କଟକଣା ଜାରି କରି ସବୁ ଖର୍ଚ୍ଚ ଉପରେ କାଣ୍ଟଛାଣ୍ଟ କରିଥିବା ବେଳେ ଏଭଳି ନିଯୁକ୍ତି ପଛରେ କି ପ୍ରାସଙ୍ଗିକତା ରହିଛି? ଖୋଦ୍ ସରକାରଙ୍କ ଅର୍ଥ ବିଭାଗର ସଂକଳ୍ପର ଏହା ବିରୁଦ୍ଧାଚରଣ କରୁଛି। ଅର୍ଥ ବିଭାଗ ଏମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ କେଉଁଭଳି ଅନୁମତି ଦେଉଛନ୍ତି।

ଉଲ୍ଲେଖଥାଉକି, ଗତ ଜୁଲାଇ ୭ରେ ସରକାର ଆଉ ଏକ ନିର୍ଦେଶାବଳୀ ଜାରି କରିଛନ୍ତି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟତୀତ ନୂତନ ପଦବି ସୃଷ୍ଟି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ଯଦି ପ୍ରଶାସନର ଆଧୁନିକୀକରଣ କିମ୍ବା ବିକାଶର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ପଦବି ସୃଷ୍ଟି ପାଇଁ ସମ୍ପୂର୍ଣ୍ଣ ଆବଶ୍ୟକତା ଅଛି ତାହା କେବଳ ଅର୍ଥ ବିଭାଗର ସହମତି ସହ ସମାନ ପଦବିକୁ ରଦ୍ଦ କରିବା ବିରୁଦ୍ଧରେ ବିଚାର କରାଯିବ ବୋଲି କୁହାଯାଇଛି।

ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ ପୁନଃ ନିଯୁକ୍ତି କ୍ଷେତ୍ରରେ ସରକାରୀ ମାପକାଠିଟି କଣ? ସରକାର ସ୍ବତନ୍ତ୍ର କମିସନ ଗଠନ କରନ୍ତୁ ଓ ଆଇଏଏସ୍ ହୁଅନ୍ତୁ ବା ଅନ୍ୟ କୌଣସି ଅଫିସର ଏହି କମିସନ ମାଧ୍ୟମରେ ପୁନଃ ଚୟନ ହୋଇ ଆସିବାରେ ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର

Comments are closed.