୯ ଜଣଙ୍କୁ ଫାଶୀ ଦଣ୍ତ ପ୍ରସଂଗ, ନିମ୍ନ ଅଦାଲତ ରାୟ ରଦ୍ଦ

ସାନି ଶୁଣାଣି ପାଇଁ ନିର୍ଦ୍ଦେଶ, ୬ ମାସ ଭିତରେ ‌ହେବ ଶେଷ

କଟକ: ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ତ ସ˚ପର୍କିତ ଗୁଣୁପୁର ଅତିରିକ୍ତ ଦୌରାଜଜଙ୍କ ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଦଣ୍ଡାଦେଶ ରଦ୍ଦ କରିବା ସହିତ ଏହି ମାମଲାର ସାନି ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୬ ମାସ ଭିତରେ ଶୁଣାଣି ଶେଷ କରିବା ପାଇଁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାନି ଶୁଣାଣି ସମୟରେ ଅନ୍ୟ ଦଫା ସହିତ ଆଇପିସିର ଦଫା ୩୬୪ ଓ ୩୬୫ରେ ଚାର୍ଜଫ୍ରେମ୍ କରାଯିବ। ନିମ୍ନ ଅଦାଲତ ସିଆରପିସିରେ ଥିବା ବ୍ୟବସ୍ଥା ଅନୁସାରେ ତଥ୍ୟ ସଂଗ୍ରହ କରି ମାମଲାର ସାନି ଶୁଣାଣି କରି ରାୟ ପ୍ରକାଶ କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ଆଜି ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା ସହିତ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଦାୟର ଅପିଲର ରାୟ ପ୍ରକାଶ କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ୍.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ‌ ୨୦୧୯, ସେପ୍ଟେମ୍ବର ୧୧ରେ ଏ ସଂପର୍କିତ ମାମଲାର ଚୂଡାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକ‌ାଶ ପାଇଛି। ନିମ୍ନ ଅଦାଲତରେ ଦୋଷୀ ସାବସ୍ୟସ୍ତ ୯ଜଣଙ୍କ ପକ୍ଷରୁ ଆମିକସ୍ କ୍ୟୁରି ରତି ରଂଜନ ମହାପାତ୍ର, ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟିକିଆ ଓ ଏତଲାକାରୀଙ୍କ ତରଫରୁ ଆଇନଜୀବୀ ଅସିତ କୁମାର ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ଅନ୍ତର୍ଗତ କିତୁ˚ ଗ୍ରାମରେ ଏହି ଘଟଣା ଘଟିଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୬, ସେପ୍ଟେମ୍ବର ୯ ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡ଼ି ସ˚ନ୍ଦେହରେ ଅସୀନ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଆଶାମଣି ଶବରଙ୍କୁ ପିଟି ପଟି କେତେକ ବ୍ୟକ୍ତି ଅଧମରା କରି ଦେଇଥିଲେ। ଝିଅ ପାଟିରେ କୀଟନାଶକ ଇଞ୍ଜେକସନ୍‌ ଭର୍ତ୍ତି କରି ମୃତ ପ୍ରାୟ କରି ଦେଇଥିଲେ। ଆସାମୀମାନେ ଜୀବନ ଥାଉ ଥାଉ ବାପା-ମା’ ଓ ଝିଅ ୩ଜଣଙ୍କୁ ଗାଁ ଶ୍ମଶାନରେ ପୋତି ଦେଇଥିଲେ। ୨୦୧୮ରେ ପ୍ରକାଶିତ ରାୟରେ ଗୁଣୁପୁର ଅଦାଲତ ଡେଗୁନୁ ଶବର, ଅଜନ୍ତ ଶବର, ବୁଭୁନା ଶବର, ମାଲୁକୁ ଶବର, ପୋଡାନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଦଶନ୍ତ ଶବର ଓ ଦାଲସା ଶବରଙ୍କୁ ଆଇପିସିର ଦଫା ୩୦୨, ୨୦୧, ୩୬୫, ୩୪୨, ୫୦୬ ଓ ଓଡ଼ିଶା ପ୍ରିଭେନସନ୍ ଅଫ୍ ୱିଚ୍ ହଣ୍ଟିଂ ଆଇନର ଧାରା ୪ରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ତାଦେଶ ପ୍ରଦାନ କରିଥିଲେ। କିନ୍ତୁ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ ତଦନ୍ତ ସମୟରେ ମୃତକଙ୍କ ଶବ ମିଳି ପାରି ନଥିଲା। ନିମ୍ନ ଅଦାଲତ ଆଇପିସିର ଦଫା ୩୬୫ରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ‌ଫ୍ରେମ୍ ନ କରି ସେମାନଙ୍କୁ ଏହି ଦଫାରେ ଦୋଷୀ ସାବ୍ୟସ୍ତ କରିଥିବା ସ୍ପଷ୍ଟ ହୋଇଥିଲା। ଏପରି କରି ନିମ୍ନ ଅଦାଲତ ତ୍ରୁଟି କରିଥିଲେ। ଏପରି ସ୍ଥଳେ ନିମ୍ନ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶ ରଦ୍ଦ କରାଯିବା ଉଚିତ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର