ଟୁରିଜିମ୍‌ କରିଡର ପାଇଁ ପୁନର୍ବାର ସର୍ଭେ, ସମଲେଶ୍ବରୀ ମନ୍ଦିର ପାଖ ଲୋକଙ୍କୁ ଉଚ୍ଛେଦ ଚିନ୍ତା

ସମ୍ବଲପୁର : ସମଲେଶ୍ବରୀ ମନ୍ଦିର ଟୁରିଜିମ୍‌ କରିଡର ପାଇଁ ପୁନର୍ବାର ଆରମ୍ଭ ହୋଇଛି ସର୍ଭେ। ଏଥିସଂକ୍ରାନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ରିପୋର୍ଟ ଦାଖଲ ପରେ ଏହାର ଡିପିଆର ପ୍ରସ୍ତୁତ ହେବ। ସମଲେଶ୍ବରୀ ମନ୍ଦିରରୁ କମଲିବଜାର ଦେଇ ରାଜଘାଟ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଉଛି। ପୂର୍ବରୁ ଥରେ ଏହାର ସର୍ଭେ କରାଯାଇଥିଲା। ରାଜ୍ୟ ସରକାର ଏଥିରେ ସନ୍ତୋଷ ପ୍ରକାଶ ନକରି ଆହୁରି କିଛି ବିନ୍ଦୂ ଉପରେ ସର୍ଭେ ପାଇଁ ନିର୍ଦେଶ ଦେଇଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ମାସେ ହେଲା ଏହି କାର୍ଯ୍ୟ କରାଯାଉଥିଲେ ମଧ୍ୟ ପ୍ରତିଦିନ ନୂଆ ପରାମର୍ଶ ଦିଆଯାଉଛି। ଖୁବ ଶିଘ୍ର ସର୍ଭେ କାର୍ଯ୍ୟ ସରିଯିବ ବୋଲି ଆଶା ରହିଛି।

ଗତବର୍ଷ ଜାନୁଆରି ୨୧ ତାରିଖରେ ସମ୍ବଲପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଭଳି ସମଲେଶ୍ବରୀ ମନ୍ଦିର ପାଇଁ ଟୁରିଜିମ୍‌ କରିଡରର ଘୋଷଣା କରିଥିଲେ। ଏଥି ଅନ୍ତର୍ଗତରେ ମନ୍ଦିର ଅଞ୍ଚଳକୁ ସମ୍ପ୍ରସାରଣ କରାଯାଇ ପର୍ଯ୍ୟଟନର ବିକାଶ କରାଯିବ। ଯେପରିକି ଏହା ଜାତୀୟ ସ୍ତରରେ ପର୍ଯ୍ୟଟନ କେନ୍ଦ୍ର ହୋଇ ପାରିବ। ପ୍ରଶାସନିକ ସ୍ତରରେ ବର୍ତ୍ତମାନ ମଧ୍ୟ ଏହାର ରୂପରେଖା ସମ୍ପର୍କରେ ସ୍ପଷ୍ଟ କରାଯାଉ ନାହିଁ। ସମଲେଶ୍ବରୀ ମନ୍ଦିରରୁ ରାଜଘାଟ ପର୍ଯ୍ୟନ୍ତ ଥିବା ଗୋପାଲଜୀ ମଠ, ଦଶମତି ଗୁଡ଼ି, ଜଳେଶ୍ବର ମହାଦେବ ମନ୍ଦିର, ଏହାକୁ ଅତିକ୍ରମ କଲେ ପାଟମେଶ୍ବରୀ ମନ୍ଦିର, ଅନନ୍ତ ଶଯ୍ୟା, ଦାନିମଠ, କୁଠା ଜଗନ୍ନାଥ, ଗୀତାଗୁଡ଼ି, ଶିବ ମନ୍ଦିର, ରଘୁନାଥ ମନ୍ଦିର ଭଳି ଅନେକ ମଠ, ମନ୍ଦିର ରହିଛି। ଏହାର ବିକାଶ ସାଧିତ ହେବ ବୋଲି ଆଶା ରହିଛି। ଐତିହାସିକ ଦୀପକ ପଣ୍ଡା କହନ୍ତି, ସମଲେଶ୍ବରୀ ମନ୍ଦିର ଥିବା ବଡ଼ବଜାର ଅଞ୍ଚଳ ସମ୍ବଲପୁରର ସର୍ବପୁରାତନ ଜନବସତି ଅଞ୍ଚଳ। ଏଠାରେ କୁଷ୍ଠାପଡ଼ା, ମାଲିପଡ଼ା, ତେଲିପଡ଼ା, ପଠାନପଡ଼ା, କେଉଁଟପଡ଼ା ରହିଛି। ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ପାରିବ ବୋଲି ଆଶା ରହିଛି।

ଅନ୍ୟଦିଗରେ ଟୁରିଜମ କରିଡର ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପଡ଼ା ଉଚ୍ଛେଦ ସମ୍ପର୍କରେ ଘୋଷଣା କରାଯାଇ ନାହିଁ। ସର୍ଭେ ବେଳେ ଘରମାନଙ୍କ ଅବସ୍ଥିତି, ଦୈର୍ଘ୍ୟ, ପ୍ରସ୍ଥ, ପକ୍କା କି କଚ୍ଚା ଘର ଏହାକୁ ସ୍ଥାନିତ କରାଯାଉଛି। ଏଥିଯୋଗୁଁ କମଲିବଜାର ଚତୁପାର୍ଶ୍ବରେ ଥିବା ଜନବସତିର ବାସିନ୍ଦାଙ୍କୁ ଉଚ୍ଛେଦ ଚିନ୍ତା ଘାରିଛି। ସେମାନଙ୍କ ପାଇଁ ଥଇଥାନର କ’ଣ ବ୍ୟବସ୍ଥା ଗ୍ରହଣ କରାହେବ ଏହାକୁ ନେଇ ସମସ୍ତେ ଅନିଶ୍ଚିତତାରେ ରହିଛନ୍ତି। ବିଭିନ୍ନ ପଡ଼ାରେ ବୈଠକ, ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହେଉଛି। ସେମାନଙ୍କୁ ଉଚ୍ଛେଦ କରାଗଲେ ପୁରୀ ଭଳି ସେମାନଙ୍କ ପାଇଁ ଉପଯୁକ୍ତ କ୍ଷତିପୂରଣ, ଥଇଥାନ ପାଇଁ ଆଲୋଚନା କରୁଛନ୍ତି। ଏଠାରେ ରହୁଥିବା ଅନେକ ଲୋକଙ୍କ ସ୍ଥାୟୀ ପଟ୍ଟା ନାହିଁ। ତେଣୁ ସେମାନେ ମଧ୍ୟ ଥଇଥାନ ବ୍ୟବସ୍ଥାରୁ ଯେପରି ବାଦ୍‌ ନପଡ଼ନ୍ତି ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ଅନୁରୋଧ କରୁଛନ୍ତି। ଅନ୍ୟଦିଗରେ ଟୁରିଜମ କରିଡରର ସମସ୍ତ କାର୍ଯ୍ୟ ରାଜ୍ୟ ପୂର୍ତ୍ତ ବିଭାଗ ସିଧାସଳଖ ନିରୀକ୍ଷଣ କରୁଛି। ଡିପିଆର ଦାଖଲ ନହେବା ପର୍ଯ୍ୟନ୍ତ ଜନବସତି ଉଚ୍ଛେଦ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ପୂର୍ତ୍ତ ବିଭାଗ କହିଛି।

ସମ୍ବନ୍ଧିତ ଖବର