ଭୁବନେଶ୍ବର: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ଗଣ୍ଡଗୋଳ, ବାଲାଟ୍ ବାକ୍ସ ଲୁଟ୍ ପାଇଁ ଯେଉଁ ୪୫ଟି ବୁଥ୍ରେ ନିର୍ବାଚନ ବାତିଲ୍ କରାଯାଇଥିଲା ସେଠାରେ୨୩ ତାରିଖ ବୁଧବାର ଦିନ ସାନି ନିର୍ବାଚନ ହେବ। ଏହି ସବୁ କେନ୍ଦ୍ରରେ ଯେପରି ପୁଣି ଗଣ୍ଡଗୋଳ ହେବନି ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ଏଠାକାର ଭୋଟ୍ ବାକ୍ସଗୁଡ଼ିକୁ ରଖିବା ପାଇଁ ବ୍ଲକ୍ ମୁଖ୍ୟାଳୟରେ ଥିବା ଷ୍ଟ୍ରଙ୍ଗ୍ ରୁମ୍ ପରିସରରେ ଆଉ ଏକ କକ୍ଷ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ଭୋଟ୍ ବାକ୍ସ ରଖାଯାଇଥିବା ଷ୍ଟ୍ରଙ୍ଗ୍ ରୁମ୍ ଆଉ ଖୋଲାଯିବ ନାହିଁ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ୨୫ଟି ବୁଥ୍ରେ ନିର୍ବାଚନ ବାତିଲ୍ ହୋଇଥିଲା। ତେଣୁ ବାତିଲ୍ ହୋଇଥିବା ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକର ୪ଟି, ବନ୍ତ ବ୍ଲକର ଗୋଟିଏ, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକର ୪ଟି, ଯାଜପୁର ଜିଲ୍ଲାର ଯାଜପୁର ବ୍ଲକର ୯ଟି, ଧର୍ମଶାଳା ବ୍ଲକର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକର ତିନିଟି କେନ୍ଦ୍ରରେ ବୁଧବାର ପୁନଃମତଗ୍ରହଣ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୨୦ଟି ବୁଥ୍ରେ ନିର୍ବାଚନ ବାତିଲ୍ ହୋଇଥିଲା। ବାତିଲ୍ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଗୋଟିଏ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକର ୩ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଗୋଟିଏ , ଶୁଳିଆପଦା ବ୍ଲକର ଦୁଇଟି ସ୍ଥାନରେ ବୁଧବାର ପୁନଃ ଭୋଟ୍ଗ୍ରହଣ ହେବ।
ଭୁବନେଶ୍ବର: ଷ୍ଟ୍ରଙ୍ଗରୁମ୍ରେ ଭୋଟ୍ ବାକ୍ସ ରଖାଯିବା ପରେ ବି କିଛି ଅଧିକାରୀ ଏହି ରୁମ୍ ଖୋଲୁଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିସନର ଷ୍ଟ୍ରଙ୍ଗରୁମ୍ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି। ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଗୋଟିଏ ଷ୍ଟ୍ରଙ୍ଗରୁମ୍ ସିଲ୍ ହେଲା ପରେ ଗଣତି ପୂର୍ବରୁ କୌଣସି ପରିସ୍ଥିତିରେ ଏହାକୁ ଖୋଲାଯିବନି। ଯେଉଁ ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ ସେସବୁ ଭୋଟ୍ ବାକ୍ସଗୁଡ଼ିକୁ ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ରେ ରଖାଯିବା ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି।
ସେହିପରି ଷ୍ଟ୍ରଙ୍ଗରୁମ୍ ହୋଇଥିବା କୋଠାରେ ୨୪ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ସହ ଷ୍ଟ୍ରଙ୍ଗରୁମ୍ ହୋଇଥିବା ଅଞ୍ଚଳଟି ସିସିଟିଭି ନଜରରେ ରହିବ। ଭୋଟ୍ ଗଣତି କେନ୍ଦ୍ରକୁ ପ୍ରବେଶ କଲାବେଳେ ପ୍ରାର୍ଥୀଙ୍କ ଦ୍ବାରା ନିଯୁକ୍ତ କରାଯାଇଥିବା ପ୍ରାଧିକୃତ ପ୍ରତିନିଧିମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ। ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍ ଫୋନ୍, ସ୍ପାଏପେନ୍ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିଁ। ଭୋଟ୍ ଗଣତି ପ୍ରକ୍ରିୟାରେ ବାଧାସୃଷ୍ଟି କଲା ଭଳି କୌଣସି ସାମଗ୍ରୀ ଭୋଟ୍ ଗଣତି କେନ୍ଦ୍ର ମଧ୍ୟକୁ ଯାଇପାରିବ ନାହିଁ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ସମସ୍ତ ନିଷେଧାଦେଶଗୁଡ଼ିକ ମଧ୍ୟ ଭୋଟ୍ ଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ଲାଗୁ କରାଯିବ। ଭୋଟ୍ ଗଣତି କେନ୍ଦ୍ର ମଧ୍ୟକୁ ପାଣି ବୋତଲ ନନେଇ କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗଣତି କେନ୍ଦ୍ରରେ ଗଣତି ପରେ ଫଳାଫଳକୁ ନିର୍ବାଚନ ଅଧିକାରୀ ‘ପରିଣାମ’ପୋର୍ଟାଲ୍ରେ ଅପ୍ଲୋଡ୍ କରିବେ। ଏଥି ପାଇଁ ସେମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗଣତି କେନ୍ଦ୍ରରେ ଇଣ୍ଟର୍ନେଟ୍ ସଂଯୋଗ ଥାଇ ଆବଶ୍ୟକ କମ୍ପ୍ୟୁଟର୍/ ଲାପ୍ଟପ ପ୍ରସ୍ତୁତ ରଖିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Mkg-vote-kendra-khali-padichhi-2.jpg)