ଭବନେଶ୍ବର: ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରି ଚର୍ଚ୍ଚାରେ ରହିଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏବେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ସୌମ୍ୟଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଉପସଭାପତି ପଦରୁ ହଟାଇବା ପରେ ଏ ନେଇ ରାଜ୍ୟର ବହୁ ତୁଙ୍ଗନେତା ଭିନ୍ନ ଭିନ୍ନ ପ୍ରତିକ୍ରିୟ‌ା ରଖିଛନ୍ତି।

Advertisment

ସୌମ୍ୟଙ୍କ ସପକ୍ଷରେ ବାହାରି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ‘‘ଆଗରୁ କାରଣ ଦର୍ଶାଅ ନୋଟିସ୍ ପଠାଇ କାର୍ଯ୍ୟାନୁଷ୍ଠାନ ହେଉଥିଲା। ମାତ୍ର ସୌମ୍ୟରଂଜନଙ୍କ କ୍ଷେତ୍ରରେ ସେପରି ହୋଇନାହିଁ। ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ। ମୋଟାମୋଟି ରାଜ୍ୟର ରାଜନୈତିକ ପରିସ୍ଥିତି ଭଲ ନାହିଁ। ଏମିତି କେତେ ଅଘଟଣା ଆହୁରି ଆଗକୁ ଘଟିବ।’’

ସେହିପରି ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ମଧ୍ୟ ସମାନ ଧରଣର ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ସୌମ୍ୟରଂଜନଙ୍କ ଅପସାରଣକୁ ନେଇ ଯେଉଁ ଚିଠି ଜାରି କରାଯାଉଛି ସେଥିରେ ଥିବା ସ୍ବାକ୍ଷର ନବୀନବାବୁଙ୍କର କି ନାହିଁ, ତାହାକୁ ନେଇ ମୁଁ ସନ୍ଦେହରେ ଅଛି। ଚିଠିରେ ନବୀନବାବୁ ଦସ୍ତଖତ କରିଛନ୍ତି କି ପାଣ୍ଡିଆନ୍ କରିଛନ୍ତି ତାହା ସନ୍ଦେହଘେରରେ। ମତେ ଲାଗୁଛି ଏ ପର୍ଯ୍ୟନ୍ତ ନବୀନବାବୁ ଏହି ଘଟଣା ସଂପର୍କରେ ଅବଗତ ନଥିବେ, ତାଙ୍କର କେବଳ ଦସ୍ତଖତ ନିଆଯାଇଛି।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ କହିଛନ୍ତି, ‘‘ସୌମ୍ୟରଞ୍ଜନ ପଟ୍ଟନାୟକ ହିମାଳୟ ସଦୃଶ, ତାଙ୍କୁ ପଥର ମାରିଲେ କ'ଣ ହେବ? ସୌମ୍ୟ ଯେଉଁଠି ଠିଆ ହେବେ ହିମାଳୟ ପରି ଠିଆ ହେବେ।’’

ତେବେ ପ୍ରଶ୍ନ ହେଉଛି ଫାଇଭ-ଟି ସଚିବଙ୍କ ଦୋଷଦୁର୍ବଳତା ଉପରେ ପ୍ରଶ୍ନ ଉଠାଇଲେ ବିଜେଡିକୁ ବାଧୁଛି କାହିଁକି ? ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟ । ସଚିବଙ୍କ ବିରୋଧରେ ଲେଖିଲେ, ଯାହା ଫଳରେ ଦଳୀୟ ପଦବୀ ଗଲା କାହିଁକି? ଦଳର ଭଲ ପାଇଁ କହୁଥିବା ଓ ଲେଖୁଥିବା ସୌମ୍ୟ ସଚିବ ବଡ଼ ନା ନେତା ବଡ଼ ବୋଲି ପ୍ରଶ୍ନ କରିଥିଲେ। ତାଙ୍କୁ ଉପ-ସଭାପତି ପଦରୁ ହଟାଇ କି ବାର୍ତ୍ତା ଦେବାକୁ ଚାହୁଁଛି ବିଜେଡି ?

ପଦରୁ ଅପସାରଣ ନେଇ ଆସିଥିବା ଚିଠିରେ ତାଙ୍କୁ କାହିଁକି ପଦରୁ ହଟାଗଲା ସେକଥା ଉଲ୍ଲେଖ ନାହିଁ କାହିଁକି ? କାର୍ଯ୍ୟାନୁଷ୍ଠାନ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରାଯାଇନାହିଁ ? ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ରାଜନୈତିକ ଦଳ ଯେପରି କାର୍ଯ୍ୟଧାରାରେ ଗତି କରୁଛି ତାହା କେତେଦୂର ଠିକ୍ ସେ ନେଇ ଜନମାନସରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।