ପତ୍ନୀଙ୍କ ଦ୍ବାରା ଅପଦସ୍ଥ ହେବା ପରେ ବି ବାବୁସାନ୍ କହିଲେ, ମୋର ତାଙ୍କ ଉପରେ ରାଗ ନାହିଁ କି ତାଙ୍କୁ ଦୋଷ ଦେବିନି

ଭୁବନେଶ୍ବର: ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କୁ ଲୋକପ୍ରିୟ ନାୟକ ବାବୁସାନଙ୍କ ପତ୍ନୀ ଟଣାଓଟରା କରୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଏ ନେଇ ଅଭିନେତା ବାବୁସାନ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ଚେନ୍ନାଇ ଗସ୍ତରେ ଥିବା ବାବୁସାନ୍ ଗଣମାଧ୍ୟମକୁ ଫୋନ ଯୋଗେ ନିଜର ପ୍ରତିକ୍ରିୟା ଦେଇ ଏହି ଘଟଣାରେ ପତ୍ନୀଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, ଚେନ୍ନାଇର ଉତ୍କଳ ଆସୋସିଏସନ ପକ୍ଷରୁ ଆୟୋଜିତ ଉତ୍ସବରେ ଆମ ନୂଆ ଫିଲ୍ମର ପ୍ରମୋସନ୍ ପାଇଁ ବିମାନବନ୍ଦରକୁ ବାହାରିଥିଲୁ। କିନ୍ତୁ ହଠାତ୍ ପତ୍ନୀ ଆସି ତାଙ୍କର ଗାଡ଼ି ଅଟକାଇ ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିଥିଲେ। ଏଥିରେ ମୋ ପତ୍ନୀଙ୍କ ଉପରେ ମୋର କୌଣସି ରାଗ ନାହିଁ। ଏନେଇ ତାଙ୍କୁ ମୁଁ ଦୋଷ ଦେବିନି। କାରଣ ସେ ଫିଲ୍ମ ଲାଇନର ନୁହନ୍ତି କି ଏ ଲାଇନ୍ ବିଷୟରେ କିଛି ବୁଝନ୍ତି ନାହିଁ। ମୋତେ ବହୁତ ଝିଅଙ୍କ ସହ କାମ କରିବାକୁ ପଡ଼ିବ। ପ୍ରକୃତି ମୋ ପିଲାଦିନର ସାଙ୍ଗ। ମୁଁ ଠିକ୍ ଅଛି। ମୁଁ ଆଇନର ଦ୍ୱାରସ୍ଥ ହେବିନି। କିନ୍ତୁ ଯଦି ପ୍ରକୃତି ସେଭଳି କିଛି କରେ ସେଥିରେ ମୋର କିଛି କହିବାର ନାହିଁ।

ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଲୋକ‌େ ଏହାର ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଫର୍ଚ୍ୟୁନର ଗାଡ଼ିରେ ଏକାଠି  ସକାଳୁ ସକାଳୁ  ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବ‌ା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଅଟକାଇଛନ୍ତି। ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣାରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି। ଏହାପରେ ତୃପ୍ତି  ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିଥିବାର ଦେଖିବାକୁ ମିଳିଛି।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ। ଘଟଣାଟି ଭୁବନେଶ୍ଵରର ସତ୍ୟନଗର ଅଞ୍ଚଳରେ ଥିବା ପାଢ଼ୀ ଟ୍ୟୁଟୋରିଆଲ୍ ସାମ୍ନା ରାସ୍ତାର ବୋଲି ସୂଚନା ମିଳିଛି। ଏ ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି। ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ଧରିଛନ୍ତି ପତ୍ନୀ।

ସମ୍ବନ୍ଧିତ ଖବର