କଟକ: ରାଜ୍ୟସଭା ଟିକେଟ ମିଳିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ବିଧାନସଭାରୁ ରାଜ୍ୟସଭାକୁ ଯିବା ମୋ ପାଇଁ ପ୍ରମୋସନ। ବିଧାୟକ ହେବି ନା ସାଂସଦ ହେବି ମୋର ପସନ୍ଦ ନୁହେଁ, ବରଂ ଏହା ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ। ରାଜ୍ୟସଭାରେ ବାଲିଯାତ୍ରାକୁ ଐତିହାସିକ ମାନ୍ୟତା ଓ କଟକର ଅନ୍ୟାନ୍ୟ ବହୁ ସମସ୍ୟାର ସମାଧାନ ପାଇଁ ସ୍ୱର ଉଠାଇବି।
ସେ ଆହୁରି କହିଛନ୍ତି, ମୁଁ ରାଜ୍ୟସଭା ଗଲେ ଆଗକୁ ଏହି ଆସନ ବିଜୁ ଜନତା ଦଳର ଗଡ଼ ହୋଇ ରହିବ। କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ସରପ୍ରାଇଜ ଦେବେ। କଟକ ମୋ ଘର, ଲୋକ ଆଗରୁ ମୁଁ ବିଧାୟକ ଭାବେ ଲୋକଙ୍କ ସହ ଯୋଡ଼ି ହୋଇ ଥିଲି ଏବେ ସାଂସଦ ଭାବେ ମଧ୍ୟ ସେମାନଙ୍କ ସହ ରହିବି। ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୋର ଆଭିମୁଖ୍ୟ ରାଜ୍ୟସଭାରେ ରହିବ। ମୋ ଉପରେ ଭରସା କରି ଗୁରୁ ଦାୟିତ୍ୱ ଦେଇ ଦିଲ୍ଲୀ ପଠାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି।
ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟ ୨୦୦୦ ମସିହା ସାଧାରଣ ନିର୍ବାଚନରେ ତାଙ୍କର ସଂପର୍କୀୟ ଭାଇ ତଥା ରାଜ୍ୟ ରାଜନୀତିର ଅତ୍ୟନ୍ତ ପ୍ରଭାବଶାଳୀ ନେତା ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କୁ ତିର୍ତ୍ତୋଲ ଆସନରେ ପରାସ୍ତ କରି ଚର୍ଚ୍ଚାକୁ ଆସିଥିଲେ। ଦେବାଶିଷ ୨୦୦୪ରେ ବସନ୍ତଙ୍କ ପୁଅ ଚିରଞ୍ଜୀବୀ ବିଶ୍ବାଳଙ୍କ ଠାରୁ ନିର୍ବାଚନ ହାରିଯାଇଥିଲେ। ପରବର୍ତ୍ତୀ ସମୟରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ତିର୍ତ୍ତୋଲ ଆସନ ସଂରକ୍ଷିତ ହୋଇଯିବାରୁ ୨୦୦୯ ନିର୍ବାଚନରେ ସେ ବାରବାଟୀ-କଟକ ବିଧାନସଭା ଆସନରେ ଦଳର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ମଧ୍ୟ ଏ ଆସନ ତାଙ୍କ ଦଖଲରେ ରହିଲା। ହେଲେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଇଂଜିନିୟର ମହମ୍ମଦ ମୋକିମ୍ଙ୍କ ଠାରୁ ୩ ହଜାରରୁ ଅଳ୍ପ କିଛି ଅଧିକ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ଏହାସତ୍ତ୍ବେ ଦଳ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେବା ସହିତ କଟକ ଜିଲ୍ଲା ବିଜେଡି ରାଜନୀତିରେ ସବୁ ବେଳେ ଆଗରେ ରଖି ଆସିଛି। ଏହାର ପ୍ରଭାବ ବି ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିଛି। ୨୦୨୨ କଟକ ପୌର ନିଗମ କାଉନସିଲ୍ ନିର୍ବାଚନରେ ବିଜେଡିର ଉଲ୍ଲେଖନୀୟ ସଫଳତା ପଛରେ ଦେବାଶିଷଙ୍କ ପ୍ରମୁଖ ଭୂମିକା ଥିଲା। ସଦର ଓ ଚୌଦ୍ବାର-କଟକ ନିର୍ବାଚନମଣ୍ଡଳୀ ତୁଳନାରେ ବାରବାଟୀ-କଟକରେ ବିଜେଡିକୁ ପୌର ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ମିଳିଥିଲା।