ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କୁ ‘ଠାକୁର’ କହି ବିବାଦରେ ଛନ୍ଦି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଉପ ବାଚସ୍ପତି ରଜନୀକାନ୍ତ ସିଂହ। ସେ କହିଛନ୍ତି, ଠାକୁର କହିବା ସ୍ଲିପ ଅଫ ଟଙ୍ଗ (ପାଟିରୁ ଖସିଯାଇଥିଲା)। ମୁଁ ଦେବ ତୁଲ୍ୟ କହିଥିଲି। ମୋ ମାଇଣ୍ଡ ଭିତରେ ଦେବ ତୁଲ୍ୟ ଥିଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁଇଟି ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଗୋଟିଏ ହେଲା କରୋନାରେ ରୋଗୀଙ୍କୁ ମାଗଣା ଚିକିତ୍ସା ଦେବା, ଆଉ ଦ୍ୱିତୀୟରେ ଗରିବ ଲୋକଙ୍କୁ ମାଗଣାରେ ହେଲଥ କାର୍ଡ ଦେବା। ତେଣୁ ଭଗବାନଙ୍କ ଅତୁଲ୍ୟ ଭାବେ କହିଛି।
ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟାଡିୟମ୍ରେ ସଭା କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଉପବାଚସ୍ପତି ରଜନୀକାନ୍ତ ସିଂହ କହିଥିଲେ ଯେ ଆଜି ଅନୁଗୁଳକୁ ଆମ ମୁଖ୍ୟମନ୍ତ୍ରୀ ଆସିଛନ୍ତି। ଓଡ଼ିଶାର ସାଢେ ୪ କୋଟି ଲୋକଙ୍କର ଠାକୁର ବୋଲି ଆମେ ଯାହାକୁ ମାନୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ ଆଜି ଅନୁଗୁଳ ମାଟିରେ ପାଦ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ଏଠାକୁ ଆସିବା ଆମ ପାଇଁ ଏକ ଗୌରବର କଥା ବୋଲି ଉପବାଚସ୍ପତି କହିଥିଲେ।
ଭରପୂର ସଭାରେ ଉପବାଚସ୍ପତିଙ୍କ ଏମିତି ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଓଡ଼ିଶାର ଠାକୁର ବୋଲି ଜଗନ୍ନାଥଙ୍କୁ ରାଜ୍ୟବାସୀ ଜାଣିଥାନ୍ତି। କିନ୍ତୁ ନବୀନଙ୍କୁ ଠାକୁର ବୋଲି କହିବା ପରେ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ। ବରଂ ସେମାନେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରଜନୀକାନ୍ତ ସିଂହଙ୍କୁ ସମାଲୋଚନା କରିଛନ୍ତି। ଏଥିନେଇ ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣି କହିଛନ୍ତି ଯେ ଉପବାଚସ୍ପତିଙ୍କ ମତିଭ୍ରମ ହେଲାଣି। ନହେଲେ ଭରପୂର ଜନସଭାରେ ସେ ଏମିତି କହି ନ ଥାନ୍ତେ।