ବିଜେଡିରୁ ନିଲମ୍ବିତ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ କହିଲେ, ‘ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ’

ବାଲେଶ୍ବର: ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ବିଜେଡିରୁ ନିଲମ୍ବିତ  କରାଯାଇଛି। ଏନେଇ ଜୀବନ ପ୍ରଦୀପ ଦାଶ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏ ସମ୍ପର୍କରେ ସେ ଆନୁଷ୍ଠାନିକ ଭାବେ କିଛି ସୂଚନା ପାଇନାହାନ୍ତି। ଯଦି ଏପରି କାର୍ଯ୍ୟାନୁଷ୍ଠାନ ହୋଇଥାଏ, ତାହେଲେ ଯେଉଁ ଅଭିଯୋଗ ସେଥିରେ ଦର୍ଶାଯାଇଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ ସଫେଇ ଦେଇଛନ୍ତି। ଆସନ୍ତାକାଲି ସେ ସାମ୍ବାଦିକ ସମ୍ମିଳନୀ ଡକାଇ ସବୁ ସୂଚନା ଦେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ଉପନିର୍ବାଚନରେ ଜୀବନ ପ୍ରଦୀପ ଦାଶ ପୁଣିଥରେ ବିଜେଡି ପ୍ରାର୍ଥୀ ହେବା ନେଇ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସହ ତାଙ୍କର କନ୍ଦଳ ଲାଗିରହିଥିଲା। ପରେ ଏହି ବିବାଦ ଥମିବାର ନାଁ ଧରିନଥିଲା। ଶେଷରେ ଦଳ ଏହି ଆସନରୁ ଜଣେ ପୂର୍ବତନ କାଉନସିଲରଙ୍କୁ ଟିକେଟ ଦେଇଥିଲା। ଗତ ମଙ୍ଗଳବାର ସଦର ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଛି। ଏଥିରେ ଜୀବନ ଦଳବିରୋଧୀ କାମ କରିଥିବା ଦଳୀୟ ସୁପ୍ରିମୋଙ୍କ କାନରେ ପକାଯାଇଥିଲା। ଆଜି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦୪ ମେଣ୍ଟ ସରକାର ସମୟରେ ଜୀବନ ପ୍ରଦୀପ ଦାଶ ବାଲେଶ୍ୱର ସଦର ଆସନରେ ବିଜେପିରୁ ପ୍ରଥମଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳରେ ଯୋଗ ଦେଇ ୨୦୦୯ ଓ ୨୦୧୪ରେ ସେ ଦୁଇଦୁଇ ଥର ବିଧାୟକ ହୋଇଥିଲେ। ତେବେ ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଠାରୁ ପରାଜିତ ହୋଇଥିଲେ।

ସମ୍ବନ୍ଧିତ ଖବର