ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ପୁଣି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ନିଷ୍ପତ୍ତି ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବ। ଆଶା ଅଛି ଆଜିର ବୈଠକରେ ରତ୍ନଭଣ୍ଡାର ଖୋଲାଯିବାର ତାରିଖ ଧାର୍ଯ୍ୟ ହେବ। ଚଳିତ ମାସରେ ହିଁ ରତ୍ନଭଣ୍ଡାର ଖୋଲାଯିବ ଏବଂ ଗଣତି ହେବ।

Advertisment

ରତ୍ନଭଣ୍ଡାର ଖୋଲାଯିବା ସମୟରେ ଯେପରି ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଏହାଛଡ଼ା ରତ୍ନଭଣ୍ଡାରର ତଥ୍ୟକୁ ଡିଜିଟାଲ୍ ଡକ୍ୟୁମେଣ୍ଟେସନ କରାଯାଇ ସଂରକ୍ଷିତ ରଖାଯିବ ବୋଲି ବି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମହାପ୍ରଭୁ ଶ୍ରୀମନ୍ଦିରକୁ ଆସିବା ପୂର୍ବରୁ ଯାହା ମରାମତି ଦରକାର ତାକୁ କରିବୁ।

ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଆରମ୍ଭ ହୋଇଛି। ବୈଠକରେ ରତ୍ନଭଣ୍ଡାର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବାର ଥିବାରୁ ଏହା ଅନେକ ଗୁରୁତ୍ବ ବହନ କରୁଛି। ଅପରପକ୍ଷେ ରତ୍ନଭଣ୍ଡାର ଚାବି ବି ବୈଠକରେ ଉପସ୍ଥାପିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି କମିଟି ଆଗରେ ଦାଖଲ କରିବେ। ରତ୍ନଭଣ୍ଡାର ଚାବି ବି କେମିତି ଖୋଲାଯିବ, ବୈଠକରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ଯେହେତୁ ୨୦୧୮ ମସିହାଠାରୁ ରତ୍ନଭଣ୍ଡାର ଚାବିକୁ ନେଇ ଭକ୍ତଙ୍କ ମହଲରେ ସନ୍ଦେହ ଉଦ୍ରେକ ହୋଇଛି, ମଙ୍ଗଳବାର ବୈଠକରେ ଚାବି ଉପସ୍ଥାପନ ପରେ ଭକ୍ତଙ୍କ ଏହି ସନ୍ଦେହ କିଛିକାଂଶରେ ଦୂର ହେବ ବୋଲି ଆଶା କରାଯାଉଛି।