ବିଜେଡିରୁ ବହିଷ୍କୃତ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଲେ, ‘କୌଣସି ଜନବିରୋଧୀ କାର୍ଯ୍ୟ କରିନାହିଁ’

ଭୁବନେଶ୍ବର: ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସେ କୌଣସି ଜନବିରୋଧୀ କାର୍ଯ୍ୟ କରି ନାହାନ୍ତି। ଯଦି ଜନବିରୋଧୀ କାର୍ଯ୍ୟ କରିଛନ୍ତି, ବିଜେଡି ତା’ର ସ୍ପଷ୍ଟୀକରଣ ଦେଉ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।
ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଫେଇ ଦେଇ କହିଛନ୍ତି ଦଳ ତାଙ୍କୁ ଯେଉଁ କାମ ଦେଇଛି ସେ ତାହା ଠିକ୍ ଭାବେ ସଂପାଦିତ କରିଛନ୍ତି। ବ୍ୟକ୍ତିଗତ ଭାବେ ସେ କେତେ ସମ୍ପତ୍ତିର ମାଲିକ ତାହାର ଅନୁସନ୍ଧାନ କରାଯାଉ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ଆହୁରି ମଧ୍ୟ କହିଛନ୍ତି ଯେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଜଣେ ଭଲ ଅଧିକାରୀ। ଏହାଛଡ଼ା ଗତ ୨୦ ବର୍ଷ ଭିତରେ ବିଜେଡି ପାଇଁ କି କି କାମ କରିଛନ୍ତି, ତାକୁ ବି ବଖାଣିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ଏଣେ ବିଧାନସଭାର ଶୂନ୍ୟକାଳରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ଉଠିଛି। ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ସଂପୃକ୍ତ। ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ। ଏଥିସହ ଶାସକ ଦଳର ବହୁ ନେତା, ମନ୍ତ୍ରୀ ଜଡ଼ିତ ଅଛନ୍ତି । କିଛି ଅଣ ଓଡ଼ିଆ ଅଫିସର ରାଜ୍ୟକୁ ଲୁଟିଖାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ସମ୍ବନ୍ଧିତ ଖବର