ଭୁବନେଶ୍ବର: ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କଠାରୁ କୌଣସି ପ୍ରସ୍ତାବ ଆସିନାହିଁ। କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ସୂଚନା ସଂଗ୍ରହ ଚାଲିଛି। ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଗୁରୁବାର ଦିନ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜଜୁ ଏହି ସୂଚନା ଦେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ସେ କହିଛନ୍ତି, ୨୦୧୫ ମସିହାରୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏଥିଲାଗି ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ୨୦୧୫ ଜାନୁଆରି ୧୯ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। ବିଭିନ୍ନ ରାଜ୍ୟ ଗସ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ୨୦୧୮ ୬ ସେପ୍ଟେମ୍ବର ୬ ତାରିଖରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା। ତାପରେ ୨୦୧୮ ସେପ୍ଟେମ୍ବର ୧୮ରେ କେନ୍ଦ୍ରକୁ ଚିଠି ପଠାଯାଇଛି। ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ଓ ଆଇନ ସଚିବଙ୍କୁ ବି ପଠାଯାଇଛି। ତେବେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଚିଠି ନପାଇବା କହିବା ଦୁଃଖ ଲାଗୁଛି ଓ ମୋତେ ଚକିତ କରିଛି।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ମନ୍ତ୍ରାଳୟରୁ ସଂଗୃହୀତ ରେକର୍ଡ ଅନୁସାରେ ବିଧାନ ପରିଷଦ ଗଠନ ନେଇ ଓଡିଶା ସରକାର ଏ ଯାବତ କୌଣସି ପ୍ରସ୍ତାବ ପଠାଇନାହାନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ଏବେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଓଡ଼ିଶା ବିଧାନସଭାରେ ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ ହେବା ପରେ ରାଜ୍ୟ ସରକାର ଏହା କେନ୍ଦ୍ରକୁ ପଠାଯାଇଥିବା କହିଥିଲେ। କେବଳ ସେତିକି ନୁହେଁ, ସଂସଦର ବିଭିନ୍ନ ଅଧିବେଶନ ପୂର୍ବରୁ ସରକାରଙ୍କ ସାମ୍ନାରେ ବିଜେଡି ଅନେକବାର ଦାବି ଉଠାଇଛି। ବିଧାନ ପରିଷଦ ବିଲ୍ ଆଣିବା ଲାଗି ବିଜେଡି ସାଂସଦମାନେ ବାରମ୍ବାର କହିଛନ୍ତି। ଏପରିସ୍ଥଳେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ସମସ୍ତଙ୍କୁ ଆଚମ୍ବିତ କରିଛି। କିଏ ଠିକ୍ କହୁଛି, ତାହାକୁ ନେଇ ମଧ୍ୟ ବିତର୍କ ଆରମ୍ଭ ହୋଇଗଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Surya-Patro.jpg)