ଧାମନଗରରେ ଉଦୟ ହେଲା ‘ସୂର୍ଯ୍ୟ’, ପଦାର୍ପଣରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର/ଭଦ୍ରକ : ଧାମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୟ ଲାଭ କରିଛି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନିର୍ବାଚନରେ ପ୍ରାୟ ୧୦,୦୦୦ ଭୋଟରେ  ବିଜୟ ଲାଭ କରିଛନ୍ତି। ପୂର୍ବତନ ବିଧାୟକ ତଥା ବିଷ୍ଣୁ  ସେଠୀଙ୍କ ପରଲୋକ ପରେ ଖାଲି ହୋଇଥିବା  ଧାମନଗର ଆସନ ଲାଗି ଉପନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କର ପୁତ୍ର  ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଥିଲା ଆଉ ପ୍ରଥମ ଥର ଭୋଟ ମଇଦାନରେ ଲଢ଼େଇ କରି ବିଜୟୀ ହୋଇଛନ୍ତି ସୂରଜ। ନିର୍ବାଚନ ରାଜନୀତିର ପ୍ରଥମ ପଦାର୍ପଣରେ  ଧାମନଗରବାସୀ ସୂର୍ଯ୍ୟବଂଶୀ ସୂରଜକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଥିସହ ଭାରତୀୟ ଜନତା ପାର୍ଟି ନିଜ ଆସନକୁ ବଜାୟ ରଖିବାରେ ସଫଳ ହୋଇଛି। ଯଦିଓ ବିଜୁ ଜନତା ଦଳ ପକ୍ଷରୁ ମହିଳା କାର୍ଡ ଖେଳାଯାଇ ଅବନ୍ତୀ ଦାସକୁ ପ୍ରାର୍ଥୀ କରାଯାଇଥିଲା, କିନ୍ତୁ ‌ଶେଷରେ ଏହି ରଣନୀତି ଫେଲ୍ ମାରିଥିବା ପ୍ରମାଣିତ ହୋଇଛି। ମ‌ୋଟାମୋଟି ଭାରତୀୟ ଜନତ‌ା ପାର୍ଟିର ସମବେଦନା କାର୍ଡ ଅଧିକ ଫଳପ୍ରଦ ହୋଇଛି ବୋଲି କହାଯାଇପାରିବ।

ଧାମନଗର ନିର୍ବାଚନରେ ବିଜୟୀ ହେଲା ପରେ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ଧାମନଗରବାସୀଙ୍କର ବିଜୟ। ମୁଁ ନିମିତ୍ତ ମାତ୍ର। ସମସ୍ତଙ୍କର ସହଯୋଗ ଏବଂ ଭଲପାଇବାର କାରଣରୁ ଏହି ବିଜୟ ହୋଇଛି।

ସୂଚନାଯୋଗ୍ୟ, ଧାମନଗରବାସୀ ଭାରତୀୟ ଜନତା ପାର୍ଟି (ବିଜେପି)ଉପରେ ଭରସା ରଖି ଭୋଟ ଦେଇଛନ୍ତି। ଏଠାକାର ମତଦାତାମାନେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଅଧିକ ଭୋଟ ଦେଇ ବିଜୟୀ କରାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ସେଠୀଙ୍କୁ ୮୦,୧୧୧ ଖଣ୍ଡ ଭୋଟ୍‌ ମିଳିଥିଲା। ନିକଟତମ ପ୍ରାର୍ଥୀ ରାଜେନ୍ଦ୍ର ଦାସ (ବିଜେଡି)ଙ୍କୁ ୭୫,୪୮୬ ଖଣ୍ଡ ଭୋଟ ମିଳିଥିଲା। ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସୂଚନା ଅନୁସାରେ ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍‌ ମିଳିଛି। ସୂର୍ଯ୍ୟବଂଶୀଙ୍କ ନିକଟତମ ପ୍ରାର୍ଥୀ ତଥା ବିଜୁ ଜନତା ଦଳ (ବିଜେଡି)ର ଅବନ୍ତୀ ଦାସଙ୍କୁ ୭୦,୪୭୦ ଖଣ୍ଡ ଭୋଟ୍‌ ମିଳିଛି। ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେଡି ପାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରିଥିବା ସୂଚନା ମିଳିଛି। ଏହି ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮୧୫୩ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ ଖଣ୍ଡ ଭୋଟ୍‌ ମିଳିଛି। ସେହିପରି ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ନୋଟାକୁ ୬୫୦ ଖଣ୍ଡ ଭୋଟ୍‌ ଯାଇଛି।  ରାଉଣ୍ଡ ଗଣତି ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଳ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ତେବେ ଭିଭିପାଟ ଗଣତି ପରେ ଚୂଡ଼ାନ୍ତ ଫଳାଫଳ ଘୋଷଣା ହେବ।

ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପକ୍ଷରେ ଜନାଦେଶ ଆସିଥିଲା। ଅର୍ଥାତ ଭୋଟଗଣତିର ବିଭିନ୍ନ ରାଉଣ୍ଡରେ ବିଜେପିକୁ ଅଧିକ ଭୋଟ୍‌ ମିଳୁଥିବାର ପରିଲକ୍ଷିତ ହେଉଥିଲା ଏବଂ ଶେଷରେ ବିଜେପିକୁ ଅଧିକ ଭୋଟ ମିଳିବା ସହିତ ବିଜୟ ହାସଲ ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର