ରାଜ୍ୟସଭା ପାଇଁ ନାମ ଘୋଷଣା ହେଲା ପରେ ଚାରି ପ୍ରାର୍ଥୀଙ୍କ ପ୍ରତିକ୍ରିୟା

ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବୁ: ସୁଲତା ଦେଓ
ରାଜ୍ୟସଭା ପାଇଁ ନାମ ଘୋଷଣା ହେଲା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଲତା ଦେଓ କହିଛନ୍ତି ଯେ ମୋ ପରି ଜଣେ ସାଧାରଣ ମହିଳାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାରୁ ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଆମେ ସମସ୍ତେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବୁ। ଓଡ଼ିଶାର ସ୍ବରକୁ ଉଚ୍ଚ ସଦନରେ ଉଠାଇବୁ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଚାଲିଥିବା ବିକାଶର କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରିବାକୁ ଚେଷ୍ଟା କରିବୁ। ମୁଖ୍ୟମନ୍ତ୍ରୀଙ୍କ କାମ ହିଁ କଥା କହେ। ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ ବର୍ଷ ଧରି ଅଛି। ତାଙ୍କରି ଆଦର୍ଶରେ ଆମେ କାର୍ଯ୍ୟ କରୁଛୁ।

ଓଡ଼ିଶାର ଦାବିକୁ ଉପସ୍ଥାପନ କରିବି: ମାନସ ରଂଜନ ମଙ୍ଗରାଜ
ବିଜେଡିର ଅନ୍ୟତମ ପ୍ରାର୍ଥୀ ମାନସ ରଞ୍ଜନ ମଙ୍ଗରାଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମୋତେ ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି, ମୁଁ ତାହାକୁ ଠିକ୍ ଭାବେ ତୁଲାଇବାକୁ ଉଦ୍ୟମ କରିବି। ଓଡ଼ିଶାର ଦାବିକୁ ସଂସଦରେ ଉପସ୍ଥାପନ ପାଇଁ ଉଦ୍ୟମ କରିବି। ସଂସଦ ବ୍ୟତୀତ ମୋର ମୁଖ୍ୟ କାର୍ଯ୍ୟ ହେବ ଦଳର ସଂଗଠନ। ଆମ ସଂଗଠନ ବହୁତ ଦୃଢ଼ ଅଛି। ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ ତାହାକୁ ନିର୍ବାହ କରିବି।

ହକ୍‌ ପାଇଁ ଲଢ଼େଇ ଜାରି ରହିବ: ସସ୍ମିତ
ସସ୍ମିତ ପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ କୃତଜ୍ଞତା ଜଣାଇଛି। ଭଲ କାମ କରିବା ପାଇଁ ସେ ସବୁବେଳେ ପ୍ରୋତ୍ସାହନ ଦେଇଆସୁଛନ୍ତି। ଲୋକଙ୍କ ପାଇଁ ଆମ କାର୍ଯ୍ୟ ଅବ୍ୟାହତ ରହିବ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପାଇଁ ଯେଉଁ ସଂଘର୍ଷ ଦିଲ୍ଲୀ ଦରବାରରେ ଲଢ଼େଇ କରୁଛୁ, ତାହା ଜାରି ରହିବ। ଓଡ଼ିଶାର ଅନେକ ନ୍ୟାର୍ଯ୍ୟ ଦାବି ରହିଛି, ଯାହା କି କେନ୍ଦ୍ର ସରାକାରଙ୍କ ଦ୍ବାରା ଏ ଯାଏ ଗ୍ରହଣୀୟ ହୋଇନି। ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱରକୁ ଆହୁରି ଶାଣିତ କରି ସଂସଦରେ ଉପସ୍ଥାନ କରାଯିବ।

ଆଦିବାସୀଙ୍କ ବିକାଶ ପାଇଁ ଉଦ୍ୟମ କରିବି: ନିରଞ୍ଜନ
ନିରଞ୍ଜନ ବିଶି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋ ପରି ଜଣେ ଆଦିବାସୀ ପରିବାରର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପାଇଁ ମନୋନୀତ କରିଥିବାରୁ ମୁଁ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଦେଖି ମୁଁ ବିଜେଡିରେ ସାମିଲ ହୋଇଛି। ଆଦିବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଦରଦ ରହିଛି। ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଯୋଜନା କରିଛନ୍ତି, ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବି। ଏହି ଯୋଜନା କିପରି ଆଦିବାସୀଙ୍କ ପାଖରେ ପହଞ୍ଚିବ, ସେ ଦିଗରେ ଉଦ୍ୟମ କରିବି। ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବି।

ସମ୍ବନ୍ଧିତ ଖବର