ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭି.କେ ପାଣ୍ଡିଆନଙ୍କୁ ବିଜେଡିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଶ୍ରୀ ପାଣ୍ଡିଆନ୍ ଓଡ଼ିଶାବାସୀଙ୍କ ପାଇଁ କଠିନ ପରିଶ୍ରମ କରିଆସୁଛନ୍ତି ଏବଂ ଲୋକଙ୍କ ସମ୍ମାନ ଏବଂ ବିଶ୍ୱାସ ହାସଲ କରିଛନ୍ତି ଏବଂ ଭବିଷ୍ୟତରେ ସେ ଦଳର ସଦସ୍ୟ ଭାବରେ ଏହା ଜାରି ରଖିବେ।
ଏଣେ ଦଳରେ ଯୋଗଦେବା ପରେ ଶ୍ରୀ ପାଣ୍ଡିଆନ୍ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଦଳର ନେତାଙ୍କ ସହଯୋଗରେ ସେ ଆନ୍ତରିକତା, ନିଷ୍ଠା ଏବଂ ନମ୍ରତାର ସହ ରାଜ୍ୟବାସୀଙ୍କ ପାଇଁ ନିଃସ୍ୱାର୍ଥ ଭାବରେ କାର୍ଯ୍ୟ କରିବେ।
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ଭି.କେ.ପାଣ୍ଡିଆନ୍। ଏବେ ୫-ଟି ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଅଛନ୍ତି ଭି.କେ.ପାଣ୍ଡିଆନ୍। ଆଜି ପୂର୍ବାହ୍ଣ ୧୦.୧୫ ମିନିଟରେ ସେ ନବୀନ ନିବାସରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି‌ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ, ତାଙ୍କର ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

Advertisment

ଉଳ୍ଲେଖଯୋଗ୍ୟ,  ଗତ ଅକ୍ଟୋବର ୨୩ ତାରିଖରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ମିଳିଥିଲା ନୂଆ ନିଯୁକ୍ତି। ଏବେ ସେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି।

ଶ୍ରୀ ପାଣ୍ଡିଆନ୍‌ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ୨୦୦୦ ସେପ୍ଟେମ୍ବର ୭ରୁ ୨୦୨୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ତାଲିମ ନେଇଥିଲେ। ତାଲିମ ଶେଷ ହେଲା ପରେ ସେ ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବିରେ ନିଯୁକ୍ତ ହୋଇଥିଲେ। ସେ କଳାହାଣ୍ଡିରେ ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୪ ମାର୍ଚ୍ଚ ୧ରୁ ଜୁନ୍‌ ୩୦ ଯାଏ ଓଡ଼ିଶା ନିର୍ବାଚନ ବିଭାଗରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ।

ସେହିପରି ଶ୍ରୀ ପାଣ୍ଡିଆନଙ୍କୁ ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ମୟୂରଭଂଜ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ସେ ଗଂଜାମ ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ୨୦୧୧ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ପଦବିରେ ଥିବା ସମୟରେ ତାଙ୍କର କ୍ଷମତା କ୍ରମଶଃ ବୃଦ୍ଧି ହୋଇଥିଲା ଓ କାର୍ଯ୍ୟ ପରିସର ବ୍ୟାପକ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ପରୋକ୍ଷ ଭାବେ ଦଳର ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ୍‌ ଥିଲେ ।  ଏହାପରେ ଦଳ କ୍ଷମତାକୁ ଆସିବା ପରେ  ‌ତାଙ୍କୁ ୫-ଟି ସଚିବ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ଏହାପରେ ସେ ଆହୁରି ଅଧିକ କ୍ଷମତାଶାଳୀ ହୋଇଉଠିଥିଲେ। ସଂପ୍ରତି ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣିତ ହେଉଛନ୍ତି।