ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଭୁବନେଶ୍ୱର ଓ ପୁରୀରେ ଏତଲା

ଭୁବନେଶ୍ବର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ପୁରୀକୁ ନେଇ ଲେଖାଶ୍ରୀଙ୍କ ବିଭ୍ରାନ୍ତିକର ଓ ଅପମାନସୂଚକ ମନ୍ତବ୍ୟ ରାଜ୍ୟ ବିରୋଧୀ। ସେ ଯେଉଁଭଳି ଭାବେ ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ସେହିଭଳି ଭାବେ ବଡ଼ଦାଣ୍ଡ ଯାଇ ପ୍ରଭୁ ଜଗନ୍ନାଥକୁ ଭୁଲ ମାଗନ୍ତୁ, ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନ ପକ୍ଷରୁ କୁହାଯାଇଛି।

ସେହିପରି ପୁରୀ ଟାଉନଥାନାରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏତଲା ଦାୟର କରାଯାଇଛି । ଲେଖାଶ୍ରୀ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ, ନହେଲେ ତାଙ୍କୁ ପୁରୀରେ ପୁରାଇ ଦିଆଯିବ ନାହିଁ ବୋଲି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ  ଘଟଣାକୁ ନେଇ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ ଟୁଇଟ୍ କରି କହିଛନ୍ତି, ଆଗରୁ ବୈଜୟନ୍ତ ପଣ୍ଡା କହିଥିଲେ ଓଡ଼ିଶା ପାକିସ୍ତାନ ପରି, ଆଉ ଏବେ ଏକଥା । ଓଡ଼ିଶା ଓ ଜଗନ୍ନାଥଙ୍କ ପ୍ରତି ଏଇଟା ଅପମାନ । ଓଡ଼ିଶାର ଜନତା, ବିଜେପିକୁ ପ୍ରତ୍ୟାଖାନ କରିବାରୁ ଓଡ଼ିଶାବାସୀଙ୍କୁ ଅପମାନ ଦେବାକୁ ଏପରି କାମ କରାଯାଉଥିବା ଟୁଇଟ୍ କରିଛନ୍ତି ସାଂସଦ ଅମର ପଟ୍ଟନାୟକ। ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବଦୀୟ ବୟାନକୁ ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ସମାଲେଚନା କରିଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ‘ଏଭଳି ଶସ୍ତା ମନ୍ତବ୍ୟ ଦିଅନ୍ତୁ ନାହିଁ ଲେଖାଶ୍ରୀ।’

ସୂଚନାଯୋଗ୍ୟ, ଲେଖାଶ୍ରୀ କହିଥିଲେ ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ଡାକ୍ତର ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଜାଣିବାକୁ ପାଇଲେ ଦେଶବାସୀ।

ସମ୍ବନ୍ଧିତ ଖବର