ପୁରୀ : ଛାତ୍ର ଜୀବନରୁ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବାର ସୁଯୋଗ ଦିଏ କଲେଜରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ। କଲେଜ ପରିସରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଛାତ୍ର ନେତା ଉତ୍ତରଦାୟୀ ରୁହନ୍ତି। ଏହା ଛାତ୍ରଛାତ୍ରୀଙ୍କୁ ଦାୟିତ୍ବବୋଧ ବାବଦରେ ସଚେତନ କରାଏ। ଭବିଷ୍ୟତ ପାଇଁ ନେତୃତ୍ବର ମୂଳଦୁଆ ସ୍ଥାପନ ହୁଏ। ମାତ୍ର ଛାତ୍ରସଂସଦ ନିର୍ବାଚନକୁ ବନ୍ଦ କରିଦିଆଯାଇଛି। ପ୍ରତିବଦଳରେ ସରକାର ଛାତ୍ର ସଂଗଠନ ଜରିଆରେ କ୍ୟାମ୍ପସ୍ କମିଟି ଗଠନ କରିବା ପାଇଁ ମସୁଧା ଚଳାଇବାକୁ ପ୍ରୟାସ କରୁଥିବା ବେଳେ ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।'
ଏନେଇ ପୁରୀର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ କହିଛନ୍ତି, ଛାତ୍ରଟିଏ ଭୋଟ୍ ଦେଇ ନେତା ବାଛି ନିଜର ସମସ୍ୟା ଉତ୍ଥାପନ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ୍ ହେବାର ଅନ୍ତୁଡ଼ିଶାଳ ହେଉଛି କଲେଜ୍। ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ରଙ୍କ ଗଣତାନ୍ତ୍ରିକ ଅଧିକାରକୁ ଦମନ କରିବାକୁ ପ୍ରୟାସ ହେଉଛି। ପଢ଼ିବା ବେଳଠୁ ନେତୃତ୍ବ ନେବାର ମନୋବୃତ୍ତିକୁ ଅବଦମିତ କରାଯାଉଛି। ଆଜି ରାଜ୍ୟ ଓ ବିଭିନ୍ନ ଅଞ୍ଚଳର ଜନପ୍ରତିନିଧି ଭାବେ ଦାୟିତ୍ବ ନିର୍ବାହ କରୁଥିବା ବହୁନେତା ଛାତ୍ର ରାଜନୀତିରୁ ହିଁ ଆସିଛନ୍ତି। ଛାତ୍ର ଜୀବନରୁ ସେମାନେ ନିଜର ନେତୃତ୍ବକୁ ପ୍ରମାଣିତ କରିଥିଲେ। ମାତ୍ର ଏବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ର ନେତୃତ୍ବକୁ ବିଫଳ କରାଯାଉଛି। ଛାତ୍ରଙ୍କ ସ୍ବରକୁ ଚପାଇବାକୁ ଉଦ୍ୟମ ହେଉଛି। ଛାତ୍ରମାନେ କେବଳ କଲେଜ ପରିସରରେ ସାଂଗଠନିକ କାର୍ଯ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରୁଥିଲେ ତାହା ନୁହେଁ, ବରଂ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଉଥିଲେ। ଏହା ସେମାନଙ୍କ ଭବିଷ୍ୟତ ନେତୃତ୍ବକୁ ମଜ୍ବୁତ କରୁଥିଲା। ଏବେ ବୋଧହୁଏ ସରକାର ଛାତ୍ର ନେତୃତ୍ବକୁ ନେଇ ଭୟଭୀତ। ତେବେ ଗଣତାନ୍ତ୍ରିକ ପଦ୍ଧତିରେ ଛାତ୍ର ସଂସଦ ଗଢ଼ା ହେବା ଜରୁରୀ ବୋଲି ସେ କହିଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୁରୀର ପୂର୍ବତନ ସାଂସଦ ବ୍ରଜକିଶୋର ତ୍ରିପାଠୀ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଛାତ୍ର ସଂସଦ ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ଛାତ୍ର ନେତାମାନେ ଦେଶର ନେତୃତ୍ବ ନେଉଛନ୍ତି। ତେଣୁ ଏ ପ୍ରକ୍ରିୟାକୁ ବନ୍ଦ କରାଯିବା ଉଚିତ୍ ନୁହେଁ। ମାତ୍ର ଏବେ ଛାତ୍ର ସଂସଦ ନିର୍ବାଚନରେ ଟଙ୍କା ପଇସା କାରବାର ଓ ଗଣ୍ଡଗୋଳ ବନ୍ଦ ହେବା ଉଚିତ୍। ସରକାର ଏହା ଉପରେ ଧ୍ୟାନ ଦେବା ଦରକାର। ଛାତ୍ର ନିର୍ବାଚନ ହେବା ଉଚିତ୍, କିନ୍ତୁ ସବୁକିଛି ଶୃଙ୍ଖଳିତ ଭାବେ ହେବା ଦରକାର ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ଏନେଇ ରାଜଧାନୀ କଲେଜ୍ର ପୂର୍ବତନ ଅଧ୍ୟକ୍ଷ ତଥା ପୁରୀର ସମର୍ପଣ ଅନୁଷ୍ଠାନର ଅଧ୍ୟକ୍ଷ ଅଭିମନ୍ୟୁ ଭୂୟାଁ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଦେବା ଗ୍ରହଣଯୋଗ୍ୟ ନୁହେଁ। ବରଂ ଛାତ୍ର ପରିଷଦ ତଥା କାଉନ୍ସିଲ୍ ଗଠନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍। ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଭିତ୍ତିରେ ନିର୍ବାଚନ କରାଯିବା ଉଚିତ୍। ଏହା କରାଯିବା ଫଳରେ ଭଲ ନେତୃତ୍ବ ଛାତ୍ର ସ୍ତରରୁ ସୃଷ୍ଟି ହୋଇପାରିବ। ଏହା ଭବିଷ୍ୟତ ନେତୃତ୍ବ ପାଇଁ ପଥ ପ୍ରସ୍ତୁତ କରିବ। ତେବେ ସରକାର କ୍ୟାମ୍ପସ୍ ଗଠନ କରିବା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ନିଜ ଦଳୀୟ ଭାବନାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍ ଗଠନ କରାଯିବା ଶୁଭଙ୍କର ହେବ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/student-election.jpg)