କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପରାମର୍ଶ : ପୋର୍ଟାଲରେ ପାଠ ପଢ଼

ଭୁବନେଶ୍ୱର : ସ୍କୁଲ, କଲେଜ, ୟୁନିଭର୍ସିଟି ବନ୍ଦ। ପିଲାଙ୍କ ପାଠପଢ଼ା ବି ବନ୍ଦ। ୭ ଦିନ ହେଲା ସାରା ଦେଶରେ ଏଭଳି ସ୍ଥିତି। ଆଗକୁ ଆହୁରି କେତେଦିନ ଯେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ଏବେଠୁ କହିବା ମୁସ୍କିଲ। କେବେ ଖୋଲିବ ସେନେଇ ବି କେହି କହିପାରିବେନି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କିଭଳି ଘରେ ରହି ପଢ଼ି ପାରିବେ ତାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ।

ତେବେ ଘରୋଇ ସ୍କୁଲଗୁଡ଼ିକ ଇତିମଧ୍ୟରେ କିଛି ପଦକ୍ଷେପ ନେଇଛନ୍ତି। ଆଗକୁ ଥିବା ବିଭିନ୍ନ ପରୀକ୍ଷା ଓ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ ଘରୋଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଅନଲାଇନରେ ଶିକ୍ଷାଦାନ କରୁଛନ୍ତି। ପାଠପଢ଼ାକୁ ନେଇ ପିଲାମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ସେମାନେ ଦୂର କରୁଛନ୍ତି। ପିଲାମାନେ ବି ଘରେ ରହି ସୁବିଧାରେ ଶିକ୍ଷା ଗ୍ରହଣ କରି ପାରୁଛନ୍ତି। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ପରି ସହରରେ ଥିବା ପ୍ରମୁଖ ସ୍କୁଲଗୁଡ଼ିକ ଏଭଳି ପଦକ୍ଷେପ ନେଇଛନ୍ତି। ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟ ବି ସମାନ ପନ୍ଥା ଆପଣାଇଛନ୍ତି। ପିଲାଙ୍କୁ ଅନ୍‌ଲାଇନରେ ନୋଟ୍‌ ପଠାଇ ଦେଉଛନ୍ତି। ପରଦିନ ବି ପିଲାମାନେ ଉତ୍ତର ଦାଖଲ କରୁଛନ୍ତି। ତେବେ ଏସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ସରକାରୀ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ। ଉପଯୁକ୍ତ ତଥା ଆବଶ୍ୟକତା ଅନୁଯାୟୀ ସୁବିଧା ନ ଥିବାରୁ ପିଲାମାନେ ପଢ଼ିପାରୁ ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ବର୍ଷ ତଳେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ଯାଏ ଚୂଡ଼ାନ୍ତ ରୂପ ନେଇନି। କେବେ ହେବ ସେନେଇ କାହା ପାଖରେ ଉତ୍ତର ନାହିଁ।
ଅନ୍ୟପକ୍ଷରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପିଲାମାନଙ୍କ ଲାଗି ଡିଜିଟାଲ ସୁବିଧା କରାଯାଇଛି। ଯେମିତିକି ‘ଦୀକ୍ଷା’ ୱେବସାଇଟ ‘www.diksha.gov.in’ ରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ସମସ୍ତ ପ୍ରକାର ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି। ଏନସିଇଆରଟି ଦ୍ୱାରା ବିକଶିତ ହୋଇଥିବା ୱେବ ପୋର୍ଟାଲ ‘ଇ-ପାଠଶାଳା’ରେ ପାଠ୍ୟକ୍ରମ ଉପଲବ୍ଧ ହେଉଛି। ଏହି ପୋର୍ଟାଲରେ ୧୮୮୬ଟି ଅଡିଓ, ୨ ହଜାର ଭିଡିଓ, ୬୯୬ ଇ-ବୁକ୍‌ସ, ୫୦୪ ଫ୍ଲିପ ବୁକ୍ସ ରହିଛି। ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ବି ବିଶେଷ ସୁବିଧା ରହିଛି। ସେହିପରି ସ୍ୱୟଂ ପୋର୍ଟାଲ ମାଧ୍ୟମରେ ବି ପିଲାମାନେ ଘରେ ରହି ପଢ଼ିପାରିବେ। ଉଭୟ ସ୍କୁଲ ଓ ଉଚ୍ଚଶିକ୍ଷା ପାଇଁ ଏଥିରେ ପାଠ୍ୟକ୍ରମ ଉପଲବ୍ଧ ହେଉଛି। ସ୍କୁଲ ପିଲାଙ୍କ ପାଇଁଏନସିଇଆରଟି ପକ୍ଷରୁ ୧୨ଟି ବିଷୟରେ ୨୮ଟି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ନ୍ୟାସନାଲ ରିପୋଜିଟୋରି ଓପନ ଏଜୁକେସନ ରିସୋର୍ସ(ଏନଆରଓଇଆର) ପୋର୍ଟାଲରେ ବି ବହୁ ପରିମାଣର ତଥ୍ୟ ରହିଛି। ‘www.nroer.gov.in’ ପୋର୍ଟାଲରେ ୧୪ ହଜାର ୫୨୭ ଫାଇଲ, ୪୦୧ କଲେକ୍ସନ, ୨,୭୭୯ ତଥ୍ୟ, ୧,୩୪୫ ଇଣ୍ଟରଆକ୍ଟିଭ, ୧୬୬୪ ଅଡିଓ, ୨୫୮୬ ଇମେଜ୍‌, ୬୧୫୩ ଭିଡିଓ ଉପଲବ୍ଧ ହେଉଛି। ସେହିପରି ସ୍କୁଲ ପିଲାଙ୍କ ପାଇଁ ‘ସ୍ଵୟଂ ପ୍ରଭା’ ଚ୍ୟାନେଲ, ‘ନିଷ୍ଠା’ ମୋବାଇଲ ଆପ୍‌ ବେଶ ସହାୟକ ହେବ।

ଉଚ୍ଚଶିକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ବି ମନ୍ତ୍ରଣାଳୟ ପକ୍ଷରୁ ପୋର୍ଟାଲ ଖୋଲାଯାଇଛି। ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଲାଗି ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥା ହୋଇଛି। ଯାହାକୁ ଦେଶର ଯେକୌଣସି ସ୍ଥାନରେ ଯିଏ ବି ଗ୍ରହଣ କରି ପରିବେ। ଦେଶର ଶ୍ରେଷ୍ଠ ଶିକ୍ଷକଙ୍କ ଦ୍ଵାରା ସମସ୍ତ ପାଠକ୍ରମ ବିକାଶ ହୋଇଛି। ‘www.swayam.gov.in’ ୱେବସାଇଟରେ ଏହି ପାଠ୍ୟକ୍ରମ ରହିଛି। ଘରେ ଥିବା ସମୟରେ ପିଲାମାନେ ‘ସ୍ୱୟଂ ପ୍ରଭା’ ସହାୟତାରେ ପିଲାମାନେ ପଢ଼ିପାରିବେ। ୩୨ଟି ଚ୍ୟାନେଲ ମାଧ୍ୟମରେ ଛାତ୍ରଛାତ୍ରୀ ୨୪ ଘଣ୍ଟା ଉଚ୍ଚଶିକ୍ଷା ପାଠ ପଢ଼ିପାରିବେ। ‘www.swayaprabha.gov.in’ ୱେବସାଇଟରେ ଏହା ଉପଲବ୍ଧ ହେଉଛି।

ଏହିସବୁ ପୋର୍ଟାଲ ଦ୍ୱାରା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ବିଶେଷକରି ସିବିଏସଇ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସମେତ ଜେଇଇ ମେନ, ନିଟ୍‌ ଆଦି ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି।

ସମ୍ବନ୍ଧିତ ଖବର