ଢେଙ୍କାନାଳ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ନିମନ୍ତେ ସରକାର ୫-ଟି ଯୋଜନା ଅଧୀନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହାଇଟେକ୍‌ ଶ୍ରେଣୀଗୃହ କରୁଥିବା କହୁଛନ୍ତି। ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ କରି ଶିକ୍ଷାଦାନରେ ବ୍ୟାପକ ପରିବର୍ତ୍ତନ କରୁଛନ୍ତି ବୋଲି କହୁଛନ୍ତି। ହେଲେ ବାସ୍ତବ ଚିତ୍ର କିନ୍ତୁ ଏହାର ଠିକ୍‌ ବିପରୀତ। ଯାହାର ପ୍ରଭାବ ସଂପୃକ୍ତ ବିଦ୍ୟାଳୟର ଶିକ୍ଷାଦାନ ଉପରେ ପଡ଼ୁଛି। ଛାତ୍ରଛାତ୍ରୀମାନେ ମାନସିକ ଦୁଶ୍ଚିନ୍ତା ଓ  ସମସ୍ୟା ଭିତରେ ପାଠ ପଢ଼ୁଛନ୍ତି। ଯାହାର ଏକ ଜ୍ବଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ରୂପାନ୍ତରୀକରଣ ହୋଇଥିବା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ନଡ଼ିଆଳିସ୍ଥିତ ବାଣୀ ସରକାରୀ ଉଚ୍ଚବିଦ୍ୟାପୀଠରେ। ଏଠାରେ ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ କକ୍ଷ ନାହିଁ। ସାଇକଲ୍ ଷ୍ଟାଣ୍ଡ ପାଲଟିଛି ଶ୍ରେଣୀ ଗୃହ। ସମ୍ମୁଖରେ ସାଇକଲ୍ ଧାଡ଼ି ଧାଡ଼ି ହୋଇ ରହୁଛି। ସେହିପରି ପ୍ରଧାନ ଶିକ୍ଷକଙ୍କ କୋଠରି ପାଲଟିଛି ଚାଉଳ ଗୋଦାମ। ଶିକ୍ଷା ବିଭାଗର ଏଭଳି ବିକଳ ଚିତ୍ର ଦେଖି ଲାଗୁଛି ୫-ଟି ସଚିବଙ୍କ ରୂପାନ୍ତରୀକରଣ କେବଳ ପ୍ରଚାର ସର୍ବସ୍ବ। ଏଭଳି ମତ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏବଂ ଶିକ୍ଷାବିତ୍‌।

Advertisment

ନଡ଼ିଆଳିସ୍ଥିତ ବାଣୀ ସରକାରୀ ଉଚ୍ଚ ବିଦ୍ୟାପୀଠ ୧୯୮୧ ମସିହାରେ ପ୍ରତିଷ୍ଠା ହୋଇଥିଲା। ବିଦ୍ୟାଳୟରେ ପୂର୍ବରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପାଠପଢ଼ା ଯାଉଥିଲା। ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ଯୋଜନାରେ ୨୦୨୦ ମସିହାରେ ଶୋରିଷଢିପ ପ୍ରାଥମିକ ବିଦ୍ୟାଳୟ ନଡ଼ିଆଳି ବିଦ୍ୟାଳୟରେ ‌ମିଶିଯାଇଥିଲା। ଫଳରେ ସେଠାରେ ପ୍ରଥମରୁ  ଅଷ୍ଟମ ଶ୍ରେଣୀ ଖୋଲିଥିଲା। ଏବେ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୯୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ ୧୧୧ ଜଣ ଛାତ୍ରଛାତ୍ରୀ ଅଛନ୍ତି। ବିଦ୍ୟାଳୟରେ ୯ଟି କୋଠରି ରହିଛି। ସେଥି ମଧ୍ୟରେ ୨ଟି ସ୍ମାର୍ଟ କ୍ଲାସ୍‌ ରୁମ୍‌, ଗୋଟିଏ  ଲାଇବ୍ରେରି, ଗୋଟିଏ  ଆଇସିଟି ଲାବ୍‌,  ଗୋଟିଏ  ଇ-ଲାଇବ୍ରେରି, ଗୋଟିଏ ଷ୍ଟାଫ୍‌ କମନ୍‌ରୁମ୍‌, ଗୋଟିଏ ପ୍ରଧାନ ଶିକ୍ଷକ ଏବଂ କିରାଣିଙ୍କ କୋଠରି ରହିଛି। ଏପରି ୭ଟି କୋଠରିକୁ  ବ୍ୟବହାର କରାଯାଉଛି। ସେଥିରୁ ପୁଣି ସ୍ମାର୍ଟ କ୍ଲାସ୍‌ ରୁମ୍‌ ୨ଟିରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢୁଛନ୍ତି। ଆଉ ମାତ୍ର ୨ଟି  କୋଠରିରୁ  ଗୋଟିଏ କୋଠରିରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ବସୁଥିବା ବେଳେ ଏବଂ ଅନ୍ୟ ଏକ କୋଠରିରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ବସୁଛନ୍ତି। ଏତିକିରେ ବିଦ୍ୟାଳୟର ସମସ୍ତ କୋଠରି ବ୍ୟବହାରରେ ଲାଗିଯାଇଛି। ବିଦ୍ୟାଳୟରେ ଆଉ କୋଠରି ନଥିବାରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରସ୍ଥିତ ଆଜବେଷ୍ଟସ୍‌ ଛାଉଣି ଥିବା ସାଇକଲ୍‌ ଷ୍ଟାଣ୍ଡରେ ବସି ପାଠ ପଢୁଛନ୍ତି। ଖରା, ବର୍ଷା, ଶୀତ ସବୁ ଋତୁରେ ଛାତ୍ରଛାତ୍ରୀମାନେ ଏହି  ସାଇକଲ୍‌ଷ୍ଟାଣ୍ଡରେ  ବସି ପାଠ ପଢୁଥିବା ଦେଖିଲେ ବିଦ୍ୟାଦାନର ବିକଳ ଚିତ୍ର ବାରି ହୋଇପଡୁଛି। ଏପରି ଚିତ୍ରକୁ ଅଞ୍ଚଳର ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେହିପରି ପ୍ରଧାନ ଶିକ୍ଷକଙ୍କ କକ୍ଷ ପାଲଟିଛି ଚାଉଳ ଗୋଦାମରେ। ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଏଠାରେ ଗଚ୍ଛିତ ହୋଇ ଷ୍ଟୋର୍‌ ରୁମ ପାଲଟିଛି। ଖାଲି ଏତିକିରେ ସୀମିତ ନାହିଁ ଏହି ଦୃଶ୍ୟ। ରୂପାନ୍ତରୀକରଣ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ଦ୍ବିଗୁଣିତ କରିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ  ନିର୍ଦ୍ଦିଷ୍ଟ ଭାବେ କେହି ଶିକ୍ଷକ ନାହାନ୍ତି। ସେହିପରି ନବମ ଓ ଦଶମ ଶ୍ରେଣୀରେ ଗଣିତ, ବିଜ୍ଞାନ, ସଂସ୍କୃତ ଶିକ୍ଷକ ନାହାନ୍ତି। ଆବଶ୍ୟକ ଶିକ୍ଷକ ନଥିବାରୁ ଏଠି ପାଠପଢ଼ା କିପରି ଚାଲିଛି ତାହା ସ୍ପଷ୍ଟ ଅନୁମେୟ।

ଏ ସଂପର୍କରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକମାନେ ଜିଲ୍ଲା ପ୍ରଶାସନଠାରେ ଲିଖିତ ଅଭିଯୋଗ କରି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ମଧ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସଂପର୍କରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା କୁହନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ କରି ହେବ ନାହିଁ। ବିଦ୍ୟାଳୟରେ କୋଠରି ନଥିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀଙ୍କୁ ସାଇକଲ୍‌ଷ୍ଟାଣ୍ଡରେ ବସି ପାଠ ପଢାଇବାକୁ ପଡୁଛି। ରୂପାନ୍ତରୀକରଣ ମାଧ୍ୟମରେ ବିଦ୍ୟାଳୟରେ ବହୁ ଉନ୍ନତି ହୋଇଛି। ବିଦ୍ୟାଳୟ ପରିସରକୁ ସଜଡ଼ାଯାଇଛି। ବିଦ୍ୟାଳୟ ଚାରିପାଖରେ ପାଚେରି ହୋଇଛି। ଶୌଚାଳୟ, ପଡ଼ିଆରେ ମାଟି ପକାଯିବା ଆଦି ବାବଦକୁ ୩୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକ ଜିଲ୍ଲାପାଳଙ୍କୁ ବିଦ୍ୟାଳୟର ସମସ୍ୟା ତଥା ଶିକ୍ଷକ ଅଭାବ ସଂପର୍କରେ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଦ୍ୟାଳୟର ସମସ୍ତ ସମସ୍ୟାର ସବିଶେଷ ସୂଚନା ଲିଖିତ ଭାବେ ପ୍ରଦାନ କରାଯାଇଛି। ଖୁବ୍‌ ଶୀଘ୍ର ସବୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।