କେନ୍ଦୁଝର : ବହି ନାହିଁ। କିନ୍ତୁ ପାଠ ପଢ଼ା ଚାଲିଛି। ଆଉ ଦିନ କେଇଟା ପରେ ପରୀକ୍ଷା। ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେବେ ସେ ଚିନ୍ତା ଘାରିଲାଣି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏଭଳି ସଂଗିନ ଅବସ୍ଥାକୁ ନେଇ ଉଦ୍ବେଗଜନକ ସ୍ଥିତି ଉପୁଜିଛି।
କେନ୍ଦୁଝରର ସଦର ବ୍ଲକ୍ରେ ମୋଟ ୨୦୬ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏଥିମଧ୍ୟରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ରହିଛି ୧୪୩ଟି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ୧୪୩ଟି ପ୍ରାଥମିକ ବିଦ୍ୟାଳୟରେ ମୋଟ ୧୩ ହଜାର ୮୪୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଉଚ୍ଚ ପ୍ରାଥମିକ ୬୩ଟି ବିଦ୍ୟାଳୟେରେ ୭ ହଜାର ୬୦୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ସମୁଦାୟ ୨୦୬ଟି ବିଦ୍ୟାଳୟ ପାଇଁ ୧,୯୨,୩୧୦ ଖଣ୍ଡ ପାଠ୍ୟ ପୁସ୍ତକର ଆବଶ୍ୟକ ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ବ୍ଲକ୍କୁ ମିଳିଛି ମୋଟ ୧ ଲକ୍ଷ ୬୦ ହଜାର ୩୩୦ ଖଣ୍ଡ ପାଠ୍ୟ ପୁସ୍ତକ। ଏମିତିକି ଅନେକ ବିଦ୍ୟାଳୟରେ ଗୋଟେ ଗୋଟ ଶ୍ରେଣୀ ପାଇଁ ଜମାରୁ ବି ପାଠ୍ୟ ପୁସ୍ତକ ଆସିନି। କେବଳ ଶିକ୍ଷକମାନେ ମୌଖିକ ପାଠ ପଢ଼ାଇବାରେ ଲାଗିଛନ୍ତି।
ସଦର ବ୍ଲକର ଆଟୋପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୫୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ହିନ୍ଦୀ ପୁସ୍ତକ ମିଳିନାହିଁ। ହାଣ୍ଡିଭଙ୍ଗା ପଞ୍ଚାୟତର ଆମୁଣି ଗ୍ରାମରେ ଥିବ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ଅବସ୍ଥା ବି ସମାନ। ଏଠାରେ ପ୍ରଥମରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବା ବେଳେ ସପ୍ତମ ଶ୍ରେଣୀ ପିଲାଙ୍କୁ ବିଜ୍ଞାନ ବହି ଏଯାଏ ମିଳିନାହିଁ। ସପ୍ତମଶ୍ରେଣୀରେ ମୋଟ ୪୫ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ କାହାକୁ ବିଜ୍ଞାନ ବହି ମିଳିନାହିଁ। ୫ମ ଶ୍ରେଣୀରେ ଏଠାରେ ୧୯ ଜଣ ଛାତ୍ରଛାତ୍ରୀ ପଢ଼ୁଥବା ବେଳେ ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଜ୍ଞାନ ବହି ମିଳିନାହିଁ। ଖାଲି ସେତକି ନୁହେଁ, ଏଠାକାର ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କୌଣସି ପୁସ୍ତକ ମିଳିନାହିଁ।
ଜିଲ୍ଲାର ସମସ୍ତ ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଏଭଳି ସମାନ ସ୍ଥିତି। ନଭେମ୍ବର ମାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଷାଣ୍ମାସିକ ପରୀକ୍ଷା ହେବାକୁ ଥିବା ବେଳେ ଏଯାଏ ପାଠ୍ୟ ପୁସ୍ତକ ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅନେକ ଅଭିଭାବକ ପ୍ରକାଶ କରିଛନ୍ତି।