ଭୁବନେଶ୍ବର: ସମଗ୍ର ଦେଶରେ ୨୦୨୧ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରକ୍ରିୟାରେ ସାମିଲ୍ ହୋଇ ଓଡ଼ିଶାରେ ଏହାକୁ ତ୍ବରାନ୍ବିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ସଚିବାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଜନଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ ଓ ଠିକ୍ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଯେପରି ସମସ୍ତ ଘର ଏହି ପ୍ରକ୍ରିୟାରେ ସାମିଲ୍ ହେବେ ଏବଂ ଗଣନା ଠିକ୍ ଭାବେ କରାଯିବ ତା’ଉପରେ ଗୁରୁତ୍ବ ଦେଇଥିଲେ। ଚଳିତ ବର୍ଷ ଏହି ଜନଗଣନା ପ୍ରକ୍ରିୟାକୁ ଠିକ୍ ଭାବେ ନିର୍ଧାରିତ ସମୟରେ କରିବା ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏକ ‘ମୋବାଇଲ୍ ଆପ୍’ର ସହାୟତା ନିଆଯିବ। ତହସିଲ ଅଧୀନରେ ଥିବା ଗାଁଗୁଡ଼ିକର ମାନଚିତ୍ର ଅପ୍ଡେଟ୍ କରିବା ପାଇଁ ତହସିଲଦାରଙ୍କୁ କୁହାଯିବ। ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରମୁଖ ଜନଗଣନା ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ନିଜ ଜିଲ୍ଲାରେ ଜିଲ୍ଲା ଜନଗଣନା ଅଧିକାରୀ ଭାବେ କାର୍ଯ୍ୟ କରିବେ।
ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଘରଗୁଡ଼ିକର ତାଲିକା ଏବଂ ଘରେ ରହୁଥିବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରସ୍ତୁତ ହେବ। ଦ୍ବିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା କରାଯିବ। ୨୦୨୧ ମସିହା ମାର୍ଚ ମାସ ସୁଦ୍ଧା ପର୍ଯ୍ୟାୟକ୍ରମେ ଏହି କାମ ସମାପ୍ତ କରିବାକୁ ହେବ। ପୂର୍ବ ଜନଗଣନା ଭଳି ଏଥର ମଧ୍ୟ ପୁଲିସ୍ ଷ୍ଟେସନ ପରିସରରେ ଆସୁଥିବା ଜନବସତିକୁ ହିସାବକୁ ନନେଇ ତହସିଲ ପରିସରରେ ଆସୁଥିବା ଜନବସତିରେ ଜନସଂଖ୍ୟା ଆଧାରରେ ହିସାବ ପ୍ରସ୍ତୁତ କରାଯିବ।
ଏ ନେଇ ଜନଗଣନା କୌଶଳ ସମ୍ବନ୍ଧୀୟ ଏକ ପ୍ରି-ଟେଷ୍ଟିଂ ତଥା ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ରାଜ୍ୟର ୩ଟି ସ୍ଥାନରେ ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ବଲାଙ୍ଗୀରର ପୁଇଁତଳା ଏବଂ ଭୁବନେଶ୍ବର ମହାନଗର ନିଗମରେ ଏହି ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ବତନ୍ତ୍ର ମୋବାଇଲ୍ ଆପ୍ ଯୋଗେ ପ୍ରିଟେଷ୍ଟିଂ କରାଯିବ। ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖରୁ ଆରମ୍ଭ ହୋଇ ଏହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ମୋବାଇଲ୍ ଆପ୍ ଓ ପେପରରୁ ମିଳିଥିବା ସଂଖ୍ୟାର ନମୁନା ଆଧାରରେ ଜନଗଣନା କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଆଜି ଅନୁଷ୍ଠିତ ବୈଠକରେ ଆଲୋଚ୍ୟ ବିଷୟ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଭାରତ ସରକାରଙ୍କ ଜନଗଣନା ବିଭାଗର ଯୁଗ୍ମ ନିର୍ଦେଶକ ପ୍ରଭାକର ବରାଡ ନିଜର ମତ ରଖିଥିଲେ। ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ପ୍ରମୁଖ ସଚିବ ଏନ୍.ବି ଧଳ, ବିଷ୍ଣୁପଦ ସେଠୀ, ଜି ମାଥିବଥନନ, ଷ୍ଟେଟ୍ ନୋଡାଲ୍ ଅଧିକାରୀ ଶୈଳେନ୍ଦ୍ର ଦ୍ବିବେଦୀଙ୍କ ସମେତ ଜନଗଣନାରେ ସାମିଲ୍ ହେବାକୁ ଥିବା ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।