ପୁରୀ: ମହାପ୍ରଭୁଙ୍କ ଉପରେ ଅଭିମାନ କରି ମା’ ଲକ୍ଷ୍ମୀ ଠାକୁରାଣୀ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରି ଆସିବା ପରେ ମହାପ୍ରଭୁଙ୍କ ମନ ଅଥୟ ହୋଇଛି। ଶ୍ରୀମନ୍ଦିର ଫେରିବା ପାଇଁ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ରଥ ପ୍ରସ୍ତୁତ ରଖିବାକୁ ମହାପ୍ରଭୁ ଆଜି ଆଜ୍ଞାମାଳ ପଠାଇଛନ୍ତି। ଆଜ୍ଞାମାଳ ଲାଗି ପୂର୍ବକ ମହାପ୍ରଭୁଙ୍କ ଆଦେଶ ମିଳିବା ପରେ ବାହୁଡ଼ାଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟ ଭାବେ ଆଜି ରଥର ଦକ୍ଷିଣମୋଡ଼ ନୀତି ଅନୁଷ୍ଠିତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣମୋଡ଼ ନେଇ ଶରଧାବାଲିରେ ତାଳଧ୍ୱଜ ଓ ଦର୍ପଦଳନ ରଥ ବିଜେ କରିଛନ୍ତି। ରାତି ହୋଇଯିବାରୁ ଶନିବାର ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ ନେଇ ଶରଧାବାଲିକୁ ବିଜେ କରିବେ। ରଥଯାତ୍ରାଠାରୁ ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଥିଲେ। ଜୁଲାଇ ୧୫ରେ ଚତୁର୍ଦ୍ଧାବିଗ୍ରହ ପହଣ୍ଡିରେ ଆସି ରଥାରୂଢ଼ ହେବା ପରେ ଶ୍ରୀମନ୍ଦିରକୁ ବାହୁଡ଼ଯାତ୍ରା କରିବେ।
ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଲାଗି ପରେ ରଥ ନେଲେ ଦକ୍ଷିଣମୋଡ଼
ଶରଧାବାଲିରେ ତାଳଧ୍ବଜ, ଦର୍ପଦଳନ ଆଜି ଟଣାହେବେ ନନ୍ଦିଘୋଷ
ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନଥିବା ବେଳେ କିଛି ନ ଜଣାଇ ମହାପ୍ରଭୁଙ୍କ ଭାଇଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସିଛନ୍ତି। ଏହା ଜାଣିବା ପରେ ବିରହ ବେଦନା ସହିନପାରି ମା’ ଲକ୍ଷ୍ମୀ ଠାକୁରାଣୀ ମା’ ବିମଳାଙ୍କ ପରାମର୍ଶକ୍ରମେ ଗତକାଲି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ପାଖରେ ମହାପ୍ରଭୁଙ୍କୁ ଭେଟିବାକୁ ମା’ ଲକ୍ଷ୍ମୀ ଠାକୁରାଣୀ ଅପେକ୍ଷା କରିଥିବା ବେଳେ ଧୂପ ନୀତି ପାଇଁ ଜୟବିଜୟ ଦ୍ୱାର ବନ୍ଦ କରି ଦିଆଯାଇଥିଲା। ମହାପ୍ରଭୁଙ୍କ ଭେଟ ନ ପାଇ ଅପମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ନନ୍ଦିଘୋଷ ରଥ ଭାଙ୍ଗିବା ସହ ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ବାହାରିଯାଇଥିଲେ। ଆଡ଼ମ୍ୱର ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀ ହେରାଗୋହିରୀସାହି ଦେଇ ଶ୍ରୀମନ୍ଦିରକୁ ଫେରି ଆସିଥିଲେ। ଏହା ଜାଣିବା ପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଆଜି ଭୋଗମଣ୍ଡପ ନୀତି ପରେ ଅପରାହ୍ଣ ପ୍ରାୟ ୩ଟା ୧୫ରେ ଆଡ଼ପମଣ୍ଡପରୁ ତିନିଠାକୁରଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ବିଜେ ପରେ ତିନି ରଥରେ ଲାଗି ହୋଇଥିଲା। ପରେ ରଥକୁ ଦକ୍ଷିଣମୋଡ଼ ଦେବା ପର୍ବ ଆରମ୍ଭ ହୋଇଛି। ପ୍ରଥମ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଦକ୍ଷିଣମୋଡ଼ ନେଇଥିଲେ। ପୁଲିସ ବଳ ସହଯୋଗରେ ରଥ ଟଣା ଯାଇଥିଲା।