ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅଣ୍ଟାଭିଡ଼ିଲେ

ଆବୋଟ୍‌ ଓ ‘ମ୍ୟାଲେରିଆ ନୋ ମୋର‌୍‌’ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ୨୦୨୨ ସୁଦ୍ଧା ଦେଶର ୫୭୧ ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟ

ଭୁବନେଶ୍ବର: ମ୍ୟାଲେରିଆ ନିରାକରଣ ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟଧାରା ପ୍ରସ୍ତୁତ କରାଯାଇ ଓଡ଼ିଶାକୁ ଏକ ମଡେଲ୍‌ ରାଜ୍ୟ ଭାବେ ଗ୍ରହଣ କରାଯିବାର ଯୋଜନା ରହିଛି। ହୋଟେଲ ମେ’ ଫେୟାରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଆହୁରି କହିଥିଲେ ଯେ ୨୦୧୭ରେ ମ୍ୟାଲେରିଆରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୩କୁ ହ୍ରାସ ପାଇଛି। ୨୦୩୦ ପୂର୍ବରୁ ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ସରକାର ଆଗକୁ େଠାସ୍ ପଦକ୍ଷେପ େନବେ। ‘ମ୍ୟାଲେରିଆ ନୋ ମୋର‌୍‌’ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆବୋଟ୍‌ ପକ୍ଷରୁ ରାଜ୍ୟକୁ ୧୦ ଲକ୍ଷ ରାପିଡ୍‌ ଚିହ୍ନଟ ପରୀକ୍ଷଣ(ଆର‌୍‌ଡିଟିଏସ୍‌) ବଣ୍ଟନ କରାଯିବ। ଏଥିସହ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦିଆଯିବ। ଏହାଦ୍ବାରା ସର୍ଭେଲାନ୍ସ ଓ ଚିହ୍ନଟ ପ୍ରକିୟା ସଶକ୍ତ ହୋଇପାରିବ। ଏଥିସହ ଆବୋଟ୍‌ ପକ୍ଷରୁ ଅତିରିକ୍ତ ଭାବେ ୩ ବର୍ଷ ପାଇଁ ୭୫୦,୦୦୦ ଆମେରିକୀୟ ଡଲାର(୫୨ ନିୟୁତ ଟଙ୍କା)ର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ମନ୍ତ୍ରୀ କହିଥିଲେ, ରାଜ୍ୟର ଜନସ˚ଖ୍ୟା ୪୨ ନିୟୁତ ଥିବାବେଳେ ଭାରତରେ ଦେଖାଦେଉଥିବା ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ରାଜ୍ୟର ୪୦ ପ୍ରତିଶତ ଲୋକ ଅଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା, ୨୦୧୮ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମ୍ୟାଲେରିଆ ରିପୋର୍ଟ ଅନୁସାରେ ୧.୩ ବିଲିୟନ୍‌ ଜନସ˚ଖ୍ୟା ବିଶିଷ୍ଟ ଭାରତ ସାରା ବିଶ୍ବରେ ୪ର୍ଥ ସ୍ଥାନରେ ରହିଛି। ମ୍ୟାଲେରିଆ ଯୋଗୁଁ ବିଶ୍ବର ଆର୍ଥିକ କ୍ଷତିଗ୍ରସ୍ତ ଦେଶ ମଧ୍ୟରେ ଭାରତ ୧୧ତମ ସ୍ଥାନରେ ରହିଛି। ୨୦୧୬ରୁ ୨୦୧୭ ମଧ୍ୟରେ ଦେଶରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସ˚ଖ୍ୟାରେ ୨୪ ପ୍ରତିଶତ ହ୍ରାସ ହୋଇଛି। ୨୦୧୭ରେ ଭାରତରେ ମ୍ୟାଲେରିଆ ନିରାକରଣ ପାଇଁ ୫ ବର୍ଷିଆ ଜାତୀୟ ଯୋଜନା ପ୍ରଣୟନ କରାଯାଇଥିଲା। ଏହା ଅନ୍ତର୍ଗତ ମ୍ୟାଲେରିଆ ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୨ ସୁଦ୍ଧା ଦେଶର ୬୭୮ ଜିଲ୍ଲା ମଧ୍ୟରୁ ୫୭୧ ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବାର ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଇଥିବା ବକ୍ତାମାନେ କହିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସିଆ ପାସିଫିକ୍‌ ରାପିଡ୍‌ ଡାଇଗ୍ନୋଷ୍ଟିକ୍‌ର ସଭାପତି ସଞ୍ଜୀବ ଜୋହର, ମ୍ୟାଲେରିଆ ନୋ ମୋର ଇଣ୍ଡିଆର ବରିଷ୍ଠ ପରାମର୍ଶଦାତା ପ୍ରତୀକ କୁମାର, ସ୍ବାସ୍ଥ୍ୟ ସେବା ନି‌ର୍ଦେଶକ ହର ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର