କୋରାପୁଟ/ପଟାଙ୍ଗୀ/ନନ୍ଦପୁର: ଥମିଲା ହୋହଲ୍ଲା। ସରିଲା ଝାଳବୁହା ପ୍ରଚାର। ଆଉ କିଛି ଘଣ୍ଟା ପରେ ୫ବର୍ଷ ପାଇଁ ନେତାଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ। ତେବେ ଏଥର କିଛି ସମ୍ବେଦନଶୀଳ ଅଞ୍ଚଳରେ ମତଦାନ ପ୍ରଶାସନ ପାଇଁ ବଡ଼ ଆହ୍ବାନ ହୋଇଛି। କାରଣ ପଟାଙ୍ଗି ବ୍ଲକ୍‌ର କୋଟିଆ ଓ ନନ୍ଦପୁର ବ୍ଲକର ରାଇପାହାଡ଼ ଭୋଟର କାହାକୁ ଭୋଟ୍‌ ଦେବେ ତାହା ବଡ଼ ପ୍ରଶ୍ନ। ଅନ୍ୟପଟେ ଭୋଟରଙ୍କ ମତିଗତି ମଧ୍ୟ ଅସ୍ପଷ୍ଟ ରହିଛି। ଗତଥର କୋଟିଆବାସୀ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ପାଇଁ ଭୋଟ୍‌ ଦେଇଥିଲେ। ଏଥର ବି ସମାନ ନିଷ୍ପତ୍ତି ନେଇପାରନ୍ତି। ସକାଳୁ ଓଡ଼ିଶାରେ ଏବଂ ଅପରାହ୍ନ ପରେ ଆନ୍ଧ୍ର ପାଇଁ ମତଦାନ କରିବାକୁ ବିଚାର କରୁଛନ୍ତି। ଆନ୍ଧ୍ର ଏଜେଣ୍ଟ ମଧ୍ୟ ଭୋଟରଙ୍କୁ ଏଥିପାଇଁ ପ୍ରବର୍ତ୍ତାଉଛନ୍ତି। ଏହାବ୍ୟତୀତ ଓଡ଼ିଶାର ଅନେକ ସୀମାନ୍ତ ଗାଁର ଲୋକ ଦ୍ବୈତ ଶାସନ ନିମନ୍ତେ ଡବଲ୍‌ ଭୋଟ୍‌ ଦେଇପାରନ୍ତି ବୋଲି ସୂଚନା ମିଳିଛି। ଯାହା ପ୍ରଶାସନର ଚିନ୍ତାକୁ ବଢ଼ାଇଛି। ଏଥିପାଇଁ ପ୍ରଶାସନ ମଧ୍ୟ ପରିସ୍ଥିତି ଏବଂ ଭୋଟରଙ୍କ ଗତିବିଧି ଉପରେ ନଜର ରଖିଛି।

Advertisment

କୋଟିଆ, ରାଇପାହାଡ଼ ଉପରେ ନଜର
ଓଡ଼ିଶାର ଗୋଟିଏ ସ୍ଥାନରେ ଆନ୍ଧ୍ରର ମତଦାନ କେନ୍ଦ୍ର

କୋଟିଆ ପଞ୍ଚାୟତରେ ଓଡ଼ିଶାର ମୋଟ ୫୫୧୦ ଜଣ ଭୋଟର ଅଛନ୍ତି। ଏଥିପାଇଁ ଓଡ଼ିଶା ପକ୍ଷରୁ କୋଟିଆ, ତଳକାଣ୍ଟି, ଫଗୁଣସିନେରୀ, ମାଡକାର, ଗଞ୍ଜେଇପଦର, ଗୁମେଲପଦର, ଥୁରିଆ, ଟାଉପଦର ଓ ରଣସିଂରେ ବୁଥ୍‌ କରାଯାଇଛି। ଅନ୍ୟପଟେ ଓଡ଼ିଶା ଭିତରେ ଥିବା ନେରେଡିବାଲାସାସ୍ଥିତ ଜିସିସି କୋଠାକୁ ଆନ୍ଧ୍ର ମତଦାନ କେନ୍ଦ୍ରରେ ପରିଣତ କରିଛି। ସେହିପରି ଫାଟୁସିନେରୀ, ଫଗୁଣସିନେରି ଏବଂ ଶିଖାପାରୁବୁ ଠାରେ ମଧ୍ୟ ମତଦାନ କେନ୍ଦ୍ର କରିଛି। କିନ୍ତୁ ଉକ୍ତ ତିନିଟି ମତଦାନ କେନ୍ଦ୍ର ସୀମାରେ ରହିଛି। ଆନ୍ଧ୍ରର ଏହି ଚାରିଟି କେନ୍ଦ୍ରରେ ୨୫୫୪ଜଣ ଭୋଟରଙ୍କ ମତଦାନ ନିମନ୍ତେ ବ୍ୟବସ୍ଥା ହୋଇଛି। ଆଜିଠାରୁ ବୁଥ୍‌ଗୁଡ଼ିକରେ ପୋଲିଂ ପାର୍ଟି ପହଞ୍ଚିବା ଆରମ୍ଭ କଲେଣି। ସେହିପରି ରାଇପାହାଡ଼ରେ ୩୧ଜଣ ଏବଂ ପଟାଙ୍ଗି ବ୍ଲକ ବାଙ୍ଗାରୁଗୁଡି ଗାଁର ୩୪ଜଣ ଭୋଟରଙ୍କ ନିକଟରେ ଉଭୟ ରାଜ୍ୟର ଭୋଟର କାର୍ଡ ରହିଛି। ସୀମା ବିବାଦ ସତ୍ତ୍ବେ ଉପରୋକ୍ତ ଅଞ୍ଚଳରେ ଆନ୍ଧ୍ରର ବିଭିନ୍ନ ରାଜନୈତିକ ଦଳ ପ୍ରଚାର କରିଛନ୍ତି। ତେବେ ଓଡ଼ିଶାର ବୁଥ୍‌ ସଂଖ୍ୟା ଅଧିକ ହୋଇଥିବାରୁ ଓଡ଼ିଶା ଭାଗରେ ଅଧିକ ଭୋଟ ପଡ଼ିବ ବୋଲି ପ୍ରଶାସନ ଆଶା କରୁଛି। ମତଦାନ ହରା ବଢ଼ାଇବା ପାଇଁ ମଧ୍ୟ ଲୋକଙ୍କୁ ସଚେତନ କରିଛି। ପ୍ରଚାର ଶେଷ ହେବାପରେ ପ୍ରଶାସନ ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇଛି।

ଆଜି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସାମ୍ବାଦିକ ସମ୍ମିଳନୀ କରି ୧୦୦ ଦିନିଆ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାରେ ୧୦ହଜାର କର୍ମଚାରୀ, ୯୦୦୦ ହଜାର ପୁଲିସ କର୍ମଚାରୀ ନିର୍ବାଚନରେ ନିୟୋଜିତ ହୋଇଛନ୍ତି। ମୋଟ ୧୧୭ଟି ସଖୀ ବୁଥ୍‌ ହୋଇଛି। ଆଗାମୀ ୭୨ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଜିଲ୍ଲା ପୁଲିସ, ବିଏସ୍‌ଏଫ୍‌, ସିଏପିଏଫ୍‌, ଏସ୍‌ଓଜି ଯବାନ ଶୃଙ୍ଖଳିତ ମତଦାନ ନିମନ୍ତେ ନିୟୋଜିତ ହୋଇଛନ୍ତି। ଆଜି ସନ୍ଧ୍ୟାରୁ ୧୪ତାରିଖ ସକାଳ ୭ଟା ଯାଏ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ଅପରାହ୍ନ ୪ଟାରେ ପ୍ରଚାର ଶେଷ ହୋଇଛି। କୋଟପାଡ଼ ଓ କୋରାପୁଟରେ ୫ଟା ଓ ଜୟପୁରରେ ସଂଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ୧୪ତାରିଖ ସକାଳ ପର୍ଯ୍ୟନ୍ତ ଡ୍ରାଏ ଡେ’ ପାଳନ ହେବ। କୋଟିଆରେ ମୋଟ ୯ଟି ବୁଥ୍‌ରେ ମତଦାନ ହେବ। ଏଠାକାର ଗୋଟିଏ ବୁଥ୍‌କୁ ମଡେଲ୍‌ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି। ଯେଉଁଥିରେ ଆଦିବାସୀ କଳା ଏବଂ ସଂସ୍କୃତିକର ଛାପ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।