ପୁରୀ: ଗତଥର ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣା ପରେ ସୁରକ୍ଷାରେ କୌଣସି ବୁଝାମଣା କରିବାକୁ ଚାହୁନି ଶ୍ରୀମନ୍ଦିର ପ୍ରଶାସନ। ଚାରମାଳ ବନ୍ଧା ହେବା ପରେ ବାଡ଼ଗ୍ରାହୀଙ୍କ ସମେତ ଜଣେ ଜଣେ ବରିଷ୍ଠ ଅଧିକାରୀ ଚାରମାଳ ଯାଞ୍ଚ କରିବେ। ଅଘଟଣ ଯେଭଳି ପୁନରାବୃତ୍ତି ନ ହୁଏ ତାହା ନିଶ୍ଚିତ କରିବେ। ଆଜି ଭକ୍ତ ନିବାସରେ ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ସହ ରଥଯାତ୍ରା ନୀତିରେ ମୋହର ବାଜିଛି।
ଜୁନ୍ ୨୭ରେ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ସାଢ଼େ ୧୨ଟା ସୁଦ୍ଧା ସରିବ। ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ରଥ ଛେରାପହଁରା ଓ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ହେରାପଞ୍ଚମୀରେ ରାତି ସାଢ଼େ ୯ଟାରେ ମହାଲକ୍ଷ୍ମୀ ଜଗମୋହନକୁ ବିଜେ କରିବେ। ସେହିଭଳି ଦେବସ୍ନାନ ପୂର୍ଣ୍ଣିମା ଦିନ ଅପରାହ୍ଣ ସାଢ଼େ ୪ଟାରେ ହାତୀ ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣ ମେଲା ଓ ରାତି ୧୧ଟାରେ ହାତୀ ବେଶ ଓଲାଗି ହେବ। ସ୍ନାନ ପୂର୍ଣ୍ଣିମାରେ ମଙ୍ଗଳାର୍ପଣ ସମୟରେ ନୀତି ସମ୍ପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକୃତ ଅଧିକାରୀ ଭିତର କାଠ ନିକଟରେ ଉପସ୍ଥିତ ରହିବେ। ସାତ ପାହାଚରେ ଟାହିଆ ବନ୍ଧା ଯିବ। ବାଡ଼ଗ୍ରାହୀମାନେ ଟାହିଆ ସୁରକ୍ଷିତ ରହିବା ନିଶ୍ଚିତ କରିବେ। ଶ୍ରୀଜୀଉ ସ୍ନାନବେଦୀକୁ ଉଠିବା ପରେ ଟାହିଆ ଖୋଲାଯିବ। ଧାଡ଼ି ପହଣ୍ଡିରେ ଆସିବା ବେଳେ ନୃତ୍ୟ ମନା। ସ୍ନାନମଣ୍ଡପକୁ ଶ୍ରୀଜୀଉ ବିଜେ ବେଳେ ପହଣ୍ଡି ଦର୍ଶନ କରିବାକୁ ୧୫୦ ଟଙ୍କା ଟିକେଟ୍ ବ୍ୟବସ୍ଥା କରାଯାଇଛି। ସ୍ନାନଯାତ୍ରାରେ ସୀମିତ ସଂଖ୍ୟକ ଘଣ୍ଟୁଆକୁ ମଣ୍ଡପକୁ ଛଡ଼ାଯିବ। ଅନ୍ୟ ଘଣ୍ଟୁଆ ପାହାଚ ତଳେ ରହି ଘଣ୍ଟ ବଜାଇବେ। ଠାକୁରଙ୍କ ସାମନାରେ ସେବାୟତ ରହିବେ ନାହିଁ।
ଜୁଲାଇ ୨ରେ ରଥ ଦକ୍ଷିଣି ମୋଡ଼ ଏବଂ ୪ ତାରିଖରେ ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଜୁଲାଇ ୫ତାରିଖରେ ବାହୁଡ଼ା ଯାତ୍ରା ହେବ। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବାକୁ ସ୍ଥିର କରାଯାଇଛି। ଜୁଲାଇ ୬ ତାରିଖରେ ଅପରାହ୍ଣ ୫ଟାରୁ ସାଢ଼େ ୬ଟା ମଧ୍ୟରେ ସୁନାବେଶ ହେବ। ରାତି ୧୦ଟାରୁ ୧୧ଟା ମଧ୍ୟରେ ସୁନାବେଶ ମଇଲମ ହେବ। ଜୁଲାଇ ୮ତାରିଖରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ରାତି ୧୦ଟା ମଧ୍ୟରେ ପହଣ୍ଡି ଶେଷ ହେବ।ଜୁନ୍ ୫ ତାରିଖରେ ରାଜେନ୍ଦ୍ରାଭିଷେକ ନୀତି, ୬ ତାରିଖରେ ରୁକ୍ମିଣୀ ହରଣ ଏକାଦଶୀ, ୭ରେ ଚମ୍ପକ ଦ୍ବାଦଶୀ ନୀତି, ୯ ତାରିଖ ତ୍ରୟୋଦଶୀରେ ଦଇତା ପ୍ରବେଶ ଅନୁଷ୍ଠିତ ହେବ। ଏହି ଦିନ ରାତି ୧୨ଟା ୪୦ରେ କୋଠସୁଆଁସିଆ ସେବକ ଚାରବନ୍ଧାକୁ ପ୍ରବେଶ କରିବେ। ୧୦ ତାରିଖରେ ଚତୁର୍ଥୀ ହୋମ ଓ ସେନାପଟା ଲାଗି ହେବାକୁ ସ୍ଥିର ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ବିନିତ ଅଗ୍ରୱାଲ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2022/06/rathayatra-202254545.jpg)