ପୁରୀ: ରଥ ନିର୍ମାଣର ୪୩ତମ ଦିବସରେ ତିନି ରଥରେ ଚଉଦ ନାହାକା ବୁଲିଛି। ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସହଯୋଗୀ ମହାରଣା ଏବଂ ଭୋଇସେବକମାନେ ମିଶି ତିନି ରଥରେ ଚଉଦ ନାହାକା ବୁଲାଇଥିଲେ। ପ୍ରଥମ ଭୂଇଁ ଛ’ କାଠିରେ ପାଖୁଡ଼ା ସଂଯୋଗ ହୋଇ ପ୍ରଥମ ଭୂଇଁ ବା ମୂଳ ଭୂଇଁ ଫ୍ରେମ ପଡ଼ିଛି। ରଥ ନିର୍ମାଣ ସେବକଙ୍କ ଭାଷାରେ ଏହି ଚଉଦ ନାହାକା ହେଉଛି ୧୦ଟି ପନିକି ପଟା ଏବଂ ୪ଟି ଚଢ଼େଇକୁ ନେଇ ଗଠିତ। ୧୦ଟି ନାହାକା ବା ପନିକି ପଟା ୨୦ ଫୁଟର ଅଷ୍ଟକୋଣୀ ହୋଇଥାଏ। ୪ଟି ଚଢ଼େଇ ୨୦ ଫୁଟର ସାମାନ୍ୟ ଧନୁ ପରି ବଙ୍କା ହୋଇ ନିର୍ମାଣ ହୋଇଥାଏ। ଏହି ଚଢ଼େଇ ଯେପରି ଗୟଳ ସହ ଘଷି ନହୁଏ ସେ ଦୃଷ୍ଟିରୁ ଅନ୍ୟ ନାହାକା ଅପେକ୍ଷା ବଙ୍କା ରହିଥାଏ। ରଥର ଗଠନଶୈଳୀ ସୁନ୍ଦର ଦୃଶ୍ୟମାନ ହୋଇଥାଏ। ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ୍ ନିର୍ମାଣ ଶେଷ ହୋଇ ଦ୍ୱିତୀୟ ଭୂଇଁ ଫ୍ରେମ୍ର ବିଭିନ୍ନ ଅଂଶଗୁଡିକର ନମ୍ୱରିଂ ଶେଷ ହୋଇଛି। ଆସନ୍ତାକାଲି ଏହି ଦ୍ୱିତୀୟ ଭୂଇଁ ଫ୍ରେମ ଖୋଲା ଯାଇ ତିନି ରଥରେ ସଂଯୋଗ ସହ ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ୍ ନିର୍ମାଣ ହେବ। ତିନିରଥର ଆଗ ଆଣି, ପଛ ଆଣି ଦୁଇଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି। ତିନି ରଥର ଦୁଇଟି ଲେଖାଏଁ ପଛ ଆଣି କତରା ତିନି ରଥରେ ସେଟିଂ ହୋଇଛି।
ମହାରଣା ସେବକମାନେ ରୂପକାର ସେବକମାନଙ୍କୁ ଗୋଟିଏ ଗୋଟିଏ ଧୂଳି ଦଣ୍ଡା ଚଉପଟ ଶେଷ କରି ଯୋଗାଇ ଦେଇଛନ୍ତି। ରୂପକାର ସେବକମାନେ ସେଥିରେ ୫ଟି ଲେଖାଏଁ ପଦ୍ମ ଫୁଲ ଏବଂ ଦୁଇ ପାର୍ଶ୍ୱରେ ପଦ୍ମକଢ଼ି ଚିତ୍ର ଅଙ୍କନ ଶେଷ କରି ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭୋଇମାନେ ଜିନିଷ ବୁହାବୋହି ପାଇଁ ମହାରଣା ସେବକ ଦୁଇଟି ଲେଖାଏଁ ୨୦ ଫୁଟିଆ ସାଙ୍ଗି ନିର୍ମାଣ ଶେଷ କରିଛନ୍ତି। ତିନି ରଥର କନକ ମୁଣ୍ଡି, ଅଁଳା ପିଣ୍ଡି ଓ କଳସ ପିଣ୍ଡି ନିର୍ମାଣ ଶେଷ କରିଛନ୍ତି। ରଥ ସମ୍ମୁଖ ଭାଗ ବ୍ରେକ୍ ଚକଗୁଡ଼ିକର ଉଭୟ ପାର୍ଶ୍ୱରେ ପଇ, ପଇ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ୍ମାନ ନଟ୍ ବୋଲ୍ଟ ଦେଇ ମହାରଣା ସେବକମାନେ ଫିଟିଂ କରିଛନ୍ତି। ରୂପକାର ସେବକମାନେ ତିନି ରଥର ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ସହ, ଧୂଳି ଦଣ୍ଡାରେ ଚିତ୍ର ଖୋଦେଇ ଜାରି ରଖିଛନ୍ତି। କମାରଶାଳରେ ଓଝା ସେବକ ତିନି ରଥର କତରା କଣ୍ଟା ନିର୍ମାଣ ଶେଷ କରି ଦ୍ୱିତୀୟ ଭୂଇଁ, ତୃତୀୟ ଭୂଇଁ କଣ୍ଟା, ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦିଠାରେ ପାହି ମହାରଣା ଅଣସର ପାଇଁ ଅଣସର କୁଣ୍ଡ ଘୋଡ଼ିଆ ଏବଂ କାଠ, ବାଉଁଶ ସାମଗ୍ରୀ ଯୋଗାଇ ସାରିଛନ୍ତି। ଗୁଣ୍ଡିଚା ଘର ଗରୁଡ଼ ମହାପ୍ରଭୁଙ୍କ ସ୍ନାନ ଏବଂ ବେଶ କାର୍ଯ୍ୟ ପାଇଁ କାଠ ନିର୍ମିତ ନିଶୁଣି ତିଆରି କରୁଛନ୍ତି। ତିନି ରଥରେ ଠାକୁରଙ୍କ ବେଶ ପାଇଁ ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ, ବାସୁଙ୍ଗା ପାଟ ଦଉଡ଼ି ବୋଳିବା ପାଇଁ ବାଉଁଶ କାଠି ଏବଂ ବାଉଁଶ ଶିଡ଼ି ନିର୍ମାଣ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/13/fnLfH5Y7FPrEgEPB9d08.jpg)