ପୁରୀ: ରଥ ନିର୍ମାଣର ୪୬ତମ ଦିବସରେ ପଡ଼ିଛି ମୂଳ କଇଁଚି। ଗତକାଲି ସୁଦ୍ଧା ତିନି ରଥର ତୃତୀୟ ଭୂଇଁ ଫ୍ରେମ୍ ଉଠି ମଝି ଭୂଇଁ ଉପରେ ସଂଯୋଗ ହୋଇଥିଲା। ତୃତୀୟ ଭୂଇଁ ଫ୍ରେମ୍ ଉପରେ ବଡ଼ ଥଳ ପୋଟଳ ବା ଏକ ନମ୍ୱର ପୋଟଳ ସେଟିଂ ଶେଷ ହୋଇଥିଲା। ଆଜି ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ସହଯୋଗୀ ମହାରଣା ଓ ଭୋଇ ସେବକମାନେ ମିଶି ତିନି ରଥର ମୂଳ କଇଞ୍ଚି ବା ଚାରି ନାହାକା କଇଞ୍ଚି ପକାଇଥିଲେ। ତିନି ରଥରେ ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଏଁ କଇଞ୍ଚି ପଡ଼ିଥିଲା। ଏହି କଇଞ୍ଚି ଚାରିନାହାକା ଭିତର ଦୁଇପାର୍ଶ୍ୱରେ ଚାରିନାହାକା ମୂଳରୁ ଗରଗରା ସହ କ୍ରସ୍ କରି ଫିଟିଂ ହୋଇଛି।
ଏଥିସହ ପାରା ଭାଡ଼ି ଓ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ରଥ କଳସରେ ପାଖୁଡ଼ା ସଂଯୋଗ ଶେଷ ହୋଇଛି। କଳସରେ ସିଲଭର୍ ପାତ ଫିଟିଂ ପରେ କଳସର ରଙ୍ଗ କାର୍ଯ୍ୟ ଆରମ୍ଭ ହେବ। ଦୁଆର ବେଢ଼ା ପାଇଁ ଚାରିଟି ଲେଖାଏଁ ଅଁଳା ନିର୍ମାଣ ଶେଷ ହୋଇଛି। ବେଦି ସମ୍ମୁଖ ଭାଗକୁ ଛାଡ଼ି ତିନିପାର୍ଶ୍ୱରେ ତାଗ ବା ବଟନ୍ ବାଡ଼ିଆ ଜାରି ରହିଛି। ରୂପକାର ସେବକମାନେ ତିନି ରଥର ୩୨ଟି ନାଟ ଗୋଡ଼ ମଧ୍ୟରେ ୧୬ଟିରେ ରାହୁ ରୂପ ବା କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ସେଥିରେ ରଙ୍ଗ କାର୍ଯ୍ୟ ପାଇଁ ଚିତ୍ରକାର ସେବକଙ୍କୁ ଯୋଗାଇ ଦେଇଛନ୍ତି। ବାକି ୧୬ଟି ନାଟ ଗୋଡ଼ରେ ରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାର ସେବକମାନେ ରଥପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ କରୁଛନ୍ତି। ରଥ ବାହ୍ୟ ଅଂଶ କୋଣ ଗୁଜ, ପଟା ଗୁଜରେ ଧଳା ପ୍ରାଇମର ଦେବାସହ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକ ତିନି ରଥର ଶୁଆ ଫିଟିଙ୍ଗ ପାଇଁ ନାରାଜ କଣ୍ଟା ଓ ପୋଟଳ ପାଇଁ ଜଙ୍ଘା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦରଜୀ ସେବକମାନେ ତିନି ରଥର କନା କଟିଂ ପରେ ସେଥିରେ ଲେସ ଫିଟିଂ କାର୍ଯ୍ୟ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/16/wdttHWyrQDNKdCIfj3MP.jpg)