ପୁରୀ: ରଥ ନିର୍ମାଣ କାର୍ଯ୍ୟ ୫୩ ଦିନରେ ପହଞ୍ଚିଛି। ଗତକାଲି ସୁଦ୍ଧା ତିନିରଥର ୪ଟି ଲେଖାଏଁ ଦୁଆର ବେଢ଼ାରୁ ତିନି ରଥର ଆଗ, ପଛ ଦୁଆର ବେଢ଼ା ରଥ ଉପରକୁ ଉଠିଥିଲା। ଆଜି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ତିନିରଥର ଭୋଇ ସେବକମାନେ ମିଶି ତିନି ରଥର ଦୁଇଟି ଲେଖାଏଁ ପାର୍ଶ୍ୱ ଦୁଆର ବେଢ଼ାକୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ଼ ସହ ସଂଯୋଗ କରିଛନ୍ତି।
ତିନିରଥର ଦୁଆର ବେଢ଼ାକୁ ମଜବୁତ୍ ରଖିବା ପାଇଁ ଦୁଆର ବେଢ଼ାଗୁଡ଼ିକର ଉପର ଭାଗ ଚନ୍ଦ୍ରଶାଳୀରେ ଧ୍ୱଜ ବତା ସଂଯୋଗ କରାଯାଇଛି। ମଝି ଭୂଇଁ ଶେଣିରେ କଣ୍ଟା ବସି ସେଟିଂ କରାଯାଇଛି। ଏଥିସହ ତିନି ରଥର ଦୁଆର ବେଢ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢ଼ାର ନାଟ ଗୋଡ଼ ସହ ଚଉଦ ନାହାକାରେ ଦୁଇଟି ଲେଖାଏଁ ସପୋର୍ଟ ବଟନ୍ ବା ଦୁଆର ବାଣିଆ ପ୍ରତି ରଥରେ ୧୬ଟି ଲେଖାଏଁ ଖଞ୍ଜାଯାଇଛି। ମହାରଣା ସେବକମାନେ ତିନି ରଥ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ପ୍ରତି କୋଣଗୁଡ଼ିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇଛନ୍ତି। ତିନିରଥ ଚାରି ପାର୍ଶ୍ବରେ ଦୁଇଟି ଲେଖାଏଁ ମଣ୍ଡଣୀବତା ପଡ଼ି ବଡ଼ଥଳ ପୋଟଳଠାରୁ ଚନ୍ଦ୍ର ଶାଳୀ ପର୍ଯ୍ୟନ୍ତ ଲାଗିଛି। ଆସନ୍ତାକାଲି ‘ହାତିଆଳ ମାଳ’ ବା କାଠ ବଟନ୍ ଆଠଟି ଲେଖାଏଁ ବଡ଼ ଥଳ ପୋଟଳ ଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଖଞ୍ଜା ଯିବ। ଫଳରେ ରଥରେ କନା ପଡ଼ିବା ସୁବିଧା ଜନକ ହେବା ସହ ରଥର କନା ଆବରଣ ଏକ ଗୋଲାକାର ଆକୃତି ଦୃଶ୍ୟମାନ ହେବ। ଏଥିରେ ରଥର ଗଠନ ଶୈଳୀ ସୁନ୍ଦର ଦେଖାଯିବା ସହ ରଥ କନା ସୁରକ୍ଷିତ ରହିବ। ସେପଟେ ରୂପକାର ସେବକମାନଙ୍କର ତିନିରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଧ୍ୱଜ ବତା କଣ୍ଟା ଯୋଗାଇବା ସହ ଶୁଆ ପାଇଁ ନାରାଜ କଣ୍ଟା ଓ କଳସ ପାଇଁ ଫାନ୍ଦ କଣ୍ଟା ଯୋଗାଇଛନ୍ତି। ଏବେ ତିନି ରଥର ପ୍ରଭା ପାଇଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କରୁଛନ୍ତି। ଚିତ୍ରକାର ସେବକମାନେ ରଥର ବାହ୍ୟ ଅଂଶଗୁଡିକ ସହ ସାରଥି ଓ ଘୋଡ଼ା ଇତ୍ୟାଦି ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/23/daggadagdadg-2025-06-23-03-44-50.jpg)