ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ମହାରଣା ଓ ଭୋଇ ସେବକଙ୍କ ଦ୍ବାରା ଆଜି ତେର ପରସ୍ତ ପୋଟଳ ସହ ଖପୁରି ପଡ଼ିଛି। ଗତକାଲି ସୁଦ୍ଧା ତିନି ଭୂଇଁରେ କଇଁଚି ସହ ଅନ୍ଦାରୀ ତାଗ ବାଡ଼ିଆ ଶେଷ ହୋଇଥିଲା। ଏଥିସହ ତିନି ରଥର ପୋଟଳ ସମେତ ପାରା ଭାଡ଼ି ଓ ଖପୁରିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଆଜି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ପାରାଭାଡ଼ି ଉଠିଥିଲା। ରଥର ଉପର ପାର୍ଶ୍ବ ମୁହଁ ବନ୍ଦ କରୁଥିବା ଖପୁରି ସଂଯୋଗ ହୋଇଥିଲା। ଏହା ଉପରେ କଳସ ଡାଙ୍ଗିଆ ମଧ୍ୟ ଉଠିଛି। କଳସ ଡାଙ୍ଗିଆ ଉପରେ କଳସ ରହିଥାଏ। ତେଣୁ ଏହା ଉଠିବା ପରେ ମହାରଣା ସେବକମାନେ କଣ୍ଟା ବାଡ଼େଇ ସାଇଜ କରି ଏହାକୁ ସେଟିଂ କରିଛନ୍ତି।
ବେଦି ସିଂହାସନ ପାଇଁ ଜଗତପୃଷ୍ଠ ସେଣି ରଥ ଉପରକୁ ଉଠିଛି। ଏଥିସହ ସେଣି କଡ଼ରେ ବାହୁଟ ଫାଳିଆ ଦିଆଯାଇଛି। ୪ଟି ଚନ୍ଦ୍ରଶାଳୀ ନିର୍ମାଣ ସରିଛି। ପ୍ରଭା କାମ ଏବଂ ଦୁଆର ବେଢ଼ା କାମ ଆରମ୍ଭ ହେବ ବୋଲି ରଥଖଳାରୁ ସୂଚନା ମିଳିଛି। ଖପୁରି ପଡ଼ିବା ପରେ ଆଜି ୬ ନମ୍ବର ହରିବୋଲ ପଡ଼ିଥିଲା। ରୂପକାର ସେବକମାନେ ତିନି ରଥର ପଟା ଗୁଜଗୁଡ଼ିକରେ ନର ବିରାଳ, ଗଜ ବିରାଳ ରୂପ ଖୋଦେଇ ଚାଲୁ ରଖିଛନ୍ତି। ୩୪ ଜଣ ଚିତ୍ରକର ସେବକମାନେ ରଥ ପାର୍ଶ୍ବ ଦେବାଦେବୀମାନଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଚାଲୁ ରଖିଛନ୍ତି। ତିନି ରଥର ବାହ୍ୟ ଅଂଶ କୋଣ ଗୁଜ, ପଟାଗୁଜ, ଚକ ଆଦିରେ ପ୍ରାଇମର ଦେବା ପରେ ରଙ୍ଗ କାର୍ଯ୍ୟ ଚାଲିଛି। ଦରଜୀ ସେବକମାନେ ରଥର କନା କଟିଂ ପରେ ବତା କନାରେ ବିଳାସ ପଟି, ଲେସ୍ ପକା କାର୍ଯ୍ୟ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/18/dgdgdgcvcv-8474b006.jpg)