ପୁରୀ: ରଥ ନିର୍ମାଣର ଚତୁର୍ଥ ଦିବସ ସୁଦ୍ଧା ରଥ ସେବକମାନେ ତିନି ରଥର ମୋଟ ୨୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଗତକାଲି ତିନି ରଥଚାଳିକୁ କରତୀ ସେବକ ଯୋଗାଇଥିବା ମୋଟ ୪୦ ଗୋଟି ତୁମ୍ବ ଗଡ଼ରୁ ତିନି ରଥର ମହାରଣା ସେବକମାନେ ୬ଟି ଲେଖାଏଁ ମୋଟ ୧୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଥିଲେ। ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ମହାରଣାମାନେ ୧୦ଟି ଲେଖାଏଁ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଦେବୀ ରଥର ମହାରଣା ସେବକମାନେ ୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ତିନି ରଥର ୪୨ଟି ଚକ ପାଇଁ ୪୨ଟି ତୁମ୍ବର ଆବଶ୍ୟକତା ଥିବା ବେଳେ କରତୀ ସେବକମାନେ ଆଜି ସୁଦ୍ଧା ୪୧ଟି ତୁମ୍ବ ଗଡ଼ କରି ଯୋଗାଇଛନ୍ତି।
କମାରଶାଳରେ ଅର କଣ୍ଟା ପ୍ରସ୍ତୁତି ଆରମ୍ଭ
ତୁମ୍ବ ଗଡ଼ ପୋଲା
ଚିହ୍ନଟ ହୋଇଥିବା ତୁମ୍ବ କାଠକୁ ଆଜି କରତୀ ସେବକ କାଟିବା ପରେ ସେଥିରୁ କିଛି ଫମ୍ପା ଥିବା ନଜରକୁ ଆସିଥିଲା। ତାଳଧ୍ୱଜ ରଥ ମୁଖ୍ୟ ମହାରଣା, ଦେବଦଳନ ରଥ ମୁଖ୍ୟ ମହାରଣା ଏବଂ ରଥ ଅମିନ ରଥଖଳାରେ ଗଚ୍ଛିତ ଥିବା ଅନ୍ୟ ତୁମ୍ବ କାଠକୁ ଚିହ୍ନଟ କରିଛନ୍ତି। ଆସନ୍ତାକାଲି କରତୀ ସେବକମାନେ ଚିହ୍ନଟ ତୁମ୍ବକାଠକୁ କାଟି ଯୋଗାଇବେ। ଆଜିଠାରୁ ଦୋଳବେଦି ଅସ୍ଥାୟୀ କମାରଶାଳ କାର୍ଯ୍ୟକ୍ଷମ ହୋଇଛି। ତିନି ରଥର ମୁଖ୍ୟ ଓଝା ସେବକ କମାରଶାଳ ପୂଜା ସହ ତିନି ରଥର ଚକ ପାଇଁ ଅର କଣ୍ଟା ପ୍ରସ୍ତୁତ କରିଛନ୍ତି। ଆଜି କାର୍ଯ୍ୟ ଶେଷ ବେଳକୁ ଗୋଟିଏ ଗୋଟିଏ ଚକ ପାଇଁ ଆବଶ୍ୟକ ୬ରୁ ୭ ଇଞ୍ଚିଆ ଅର କଣ୍ଟା ପ୍ରସ୍ତୁତ ସହ ବାକି ଚକଗୁଡ଼ିକର ଅର କଣ୍ଟା ନିର୍ମାଣ ପାଇଁ ଜିଆଇ ଲୁହା ରଡ୍ ମାପ ପ୍ରକାରେ କାଟି ସାଇତି ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/05/4b0DdODujCsKjEUXNqeY.jpg)